ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳିଙ୍ଗ ଷ୍ଟୁଡିଓରେ ପୁଣି ହେବ ଫିଲ୍ମ ସୁଟିଂ। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଙ୍ଗଳବାର ଭେଟିଛନ୍ତି ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ। ଏହି ସାକ୍ଷାତ ବେଳେ ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରିର ଉନ୍ନୟନ ସମ୍ପର୍କରେ ଆଲୋଚନା ହୋଇଥିଲା। ଓଡ଼ିଆ ଫିଲ୍ମ ଶିଳ୍ପ କେମିତି ଆଗକୁ ଆଗେଇବ ସେନେଇ କୁନା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। କଳିଙ୍ଗ ଷ୍ଟୁଡିଓକୁ ପୁନରୁଦ୍ଧାର କରାଯାଇ କିପରି ସେଠାରେ ଫିଲ୍ମ ସୁଟିଂ କରାଯିବ ସେ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ କୁନା।

“କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର କାମ ଆରମ୍ଭ ହୋଇଛି। ସେପ୍ଟେମ୍ବର ମାସ ସୁଦ୍ଧା ପୁନରୁଦ୍ଧାର କାମ ଶେଷ ହେବ। ଖୁବଶିଘ୍ର ଏଠାରେ ଫିଲ୍ମ ସୁଟିଂ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବରେ ରାଜି ହୋଇଛନ୍ତି”, କହିଛନ୍ତି କୁନା ତ୍ରିପାଠୀ।

କୁନା ଆହୁରି କହିଛନ୍ତି ଯେ କିଛି ପୁରୁଣା ଫିଲ୍ମ ହଲ୍‌ର ମଧ୍ୟ ପୁନରୁଦ୍ଧାର କରାଯିବ। ପୁରୁଣା ଫିଲ୍ମ ହଲକୁ ନୂଆ ଢାଞ୍ଚାରେ ନିର୍ମାଣ କରାଯିବ। ଦର୍ଶକମାନେ କିପରି ହଲ୍‌ରେ ବସି ଫିଲ୍ମ ଦେଖିବେ ସେ ଦିଗରେ ପଦକ୍ଷେପ ନିଆଯିବ।

ଫିଲ୍ମ ଇଣ୍ଡଷ୍ଟ୍ରୀର ବିକାଶ ପାଇଁ ଆସନ୍ତା ୧୫ ଦିନ ଭିତରେ ମୁଖ୍ୟମନ୍ତ୍ରୀ ନୂଆ ଚଳଚ୍ଚିତ୍ର ନୀତି ଘୋଷଣା କରିବେ ବୋଲି କୁନା କହିଛନ୍ତି।

ମେ ୧୧ ତାରିଖରେ କୁନା ତ୍ରିପାଠୀଙ୍କୁ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହି ନୂଆ ଦାୟିତ୍ୱ ନେବା ପରେ କୁନା ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରୀର ଉନ୍ନୟନ ସମ୍ପର୍କରେ ଆଲୋଚନା କରିଛନ୍ତି।

୨୫ ଏକର ଜାଗାରେ ୧୯୮୨ରେ କଳିଙ୍ଗ ଷ୍ଟୁଡିଓ ପ୍ରତିଷ୍ଠା କରାଯାଇଥିଲା। ହେଲେ ୧୯୯୯ ମହାବାତ୍ୟାରେ ଷ୍ଟୁଡିଓ ଭାଙ୍ଗିରୁଜି ଯାଇଥିଲା। ଫଳରେ ଏଠାରେ ଫିଲ୍ମ ସୁଟିଂ ସମ୍ଭବ ହୋଇ ନଥିଲା। କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର କରିବା ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲା।

କଳିଙ୍ଗ ଷ୍ଟୁଡିଓରେ ଫିଲ୍ମ ସୁଟିଂ ହେଉ ନଥିବାରୁ ଏଠାରେ ଏକ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କରିବା ପାଇଁ କ୍ରୀଡ଼ା ବିଭାଗ ସାଧାରଣ ପ୍ରଶାସନ ବିଭାଗ ପ୍ରସ୍ତାବ ଦେଇଥିଲା। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

Comment