ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କଟକ ଶହିଦ ଭବନରେ ରଜ ମହୋତ୍ସବ
  • ୧୬ ତାରିଖ ଯାଏଁ ଚାଲିବ ମହୋତ୍ସବ
  • ତିନି ଜଣଙ୍କୁ ଶ୍ରେଷ୍ଠ ଓଡ଼ିଆଣୀ ସମ୍ମାନ

କଟକର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସୁର ମନ୍ଦିର’ ପକ୍ଷରୁ ଆରମ୍ଭ ହୋଇଛି ରଜ ମହୋତ୍ସବ। କଟକ ଶହିଦ ଭବନଠାରେ ଆୟୋଜିତ ମହୋତ୍ସବକୁ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଉଦଘାଟନ କରିଛନ୍ତି। ୧୬ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ସନ୍ଧ୍ୟା ୬ଟା୩୦ରୁ ଆରମ୍ଭ ହୋଇ ରାତି ୧୦ ପର୍ଯ୍ୟନ୍ତ ମହୋତ୍ସବ ଚାଲୁଛି।

ଓଡ଼ିଶାର ପ୍ରାଚୀନ ଓ ଲୋକପ୍ରିୟ ସାଂସ୍କୃତିକ ପରମ୍ପରାକୁ ସମ୍ମାନ ଜଣାଇବା ସହ ଆଜିର ଯୁବପିଢିଙ୍କ ମଧ୍ୟରେ ତା’ର ପ୍ରଚାର ଓ ପ୍ରସାର ଲକ୍ଷ୍ୟରେ ଏହି ମହୋତ୍ସବ ୧୮ ବର୍ଷ ଧରି ଆୟୋଜନ କରାଯାଇ ଆସୁଛି।

ଉଦଘାଟନୀ ଉତ୍ସବରେ ଜଷ୍ଟିସ ଅରଜିତ ପଶାୟତ, ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଅରୂପ ପଟ୍ଟନାୟକ, ବିଶିଷ୍ଟ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଡକ୍ଟର ସଙ୍ଗୀତା ଗୋସାଇଁ, କଟକର ପୂର୍ବତନ ମେୟର ସୌମେନ୍ଦ୍ର ଘୋଷ, ଓସିଏର ପୂର୍ବତନ ଉପାଧ୍ୟକ୍ଷ ନବ ପଟ୍ଟନାୟକ,ସୁର୍ ମନ୍ଦିରର ସମ୍ପାଦିକା ଜ୍ୟୋସ୍ନାରାଣି ସାହୁ ଯୋଗ ଦେଇଥିଲେ। ଓସିଏର ପୂର୍ବତନ ଅଧ୍ୟକ୍ଷ ଆଶୀର୍ବାଦ ବେହେରା ମହୋତ୍ସବରେ ସଭାପତିତ୍ୱ କରିଥିଲେ।

ଏହି ଅବସରରେ ଶ୍ରେଷ୍ଠ ଓଡ଼ିଆଣୀ ଭାବେ ଗାୟତ୍ରୀ ଦାସ, ପ୍ରିୟମ୍ବଦା ରାଏ, ଗାୟତ୍ରୀ ଯୋଶୀଙ୍କୁ ସମ୍ମାନିତ କରାଯାଇଥିଲା। ଜୀବନବ୍ୟାପୀ ସାଧନା ନିମନ୍ତେ ଡକ୍ଟର ପ୍ରିୟମ୍ବଦା ମହାନ୍ତି (ହେଜମାଦୀ)ଙ୍କୁ ସମ୍ମାନିତ କରାଯାଇଥିଲା।

“ଓଡ଼ିଆ ସଂସ୍କୃତି ଏବଂ ପରମ୍ପରାର ଏକ ପ୍ରମୁଖ ପର୍ବ ହେଉଛି ରଜ। ଏହି ପର୍ବରେ ଆମ ରୀତିନୀତି, ଚାଲି ଚଳନ, କୃଷି, ସାହିତ୍ୟ, କ୍ରୀଡ଼ା, ଖାଦ୍ୟ ଯୋଡ଼ି ହୋଇ ରହିଛି। ୧୯ ବର୍ଷ ତଳେ ମୁଁ ଓଡ଼ିଶା ଛାଡ଼ିଥିଲି। ୧୯ ବର୍ଷ ପରେ କଟକରେ ରଜ ମହୋତ୍ସବରେ ସାମିଲ ହୋଇଥିବାରୁ ମୁଁ ବହୁତ ଖୁସି”, କହିଛନ୍ତି ଜଷ୍ଟିସ ଅରଜିତ ପଶାୟତ।

ସୁର ମନ୍ଦିର ଅନୁଷ୍ଠାନର ଶିଳ୍ପୀମାନେ ପ୍ରଥମେ ରଜ ଗୀତରେ ନୃତ୍ୟ ପରିବେଷଣ କରିଥିଲେ। ପରେ କଟକର ନିବେଦିତା ପତ୍ରି ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।ଗୁରୁ ଜ୍ୟୋସ୍ନାରାଣୀ ସାହୁଙ୍କ ନିର୍ଦ୍ଦେଶନାରେ ନୃତ୍ୟନାଟିକା ପରିବେଷଣ କରାଯାଇଥିଲା। ନୃତ୍ୟନାଟିକାର ନାଁ ଥିଲା ସରଣମ୍। ଗଜ ଉଦ୍ଧାରଣଠୁ ଆରମ୍ଭ କରି କୁରୁ ସଭାରେ ଦୌପଦୀଙ୍କ ବସ୍ତ୍ର ହରଣ  ଦୃଶ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ଗୁରୁ ଗାୟତ୍ରୀ ଯୋଶୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ଭୁବନେଶ୍ୱରର ନୃତ୍ୟ ବୈବେଦ୍ୟ ଅନୁଷ୍ଠାନର ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟକୁ ଦର୍ଶକମାନେ ଉପଭୋଗ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ବିଜୟ ମଲ୍ଲ।

୧୫ ତାରିଖରେ ରଜ ସଂକ୍ରାନ୍ତି ଉପଲକ୍ଷେ ସୁର୍ ମନ୍ଦିର ପକ୍ଷରୁ ନୃତ୍ୟ ପରିବେଷଣ କରାଯିବ।ନୂଆଦିଲ୍ଲୀର ପଦ୍ମଶ୍ରୀ ଗୀତା ମହାଳିକ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ଗୁରୁ ରତିକାନ୍ତ ମହାପାତ୍ର ଓଡ଼ିଶୀ ନୃତ୍ୟ ପରିବେଷଣ କରିବା ସହ ନୃତ୍ୟଶାଳା ଅନୁଷ୍ଠାନ ପକ୍ଷରୁ ଶ୍ରୀ ଜୟଦେବ ନୃତ୍ୟନାଟିକା ପରିବେଷଣ କରାଯିବ।

ଚଳିତବର୍ଷ ଓଡ଼ିଶାଲାଇଭ୍‌ ଏହି ସୁର ମନ୍ଦିରର ରଜ ମହୋତ୍ସବରେ ଡିଜିଟାଲ ମିଡିଆ ପାର୍ଟନର୍ ଭାବେ ଯୋଡି ହୋଇଛି। ‘ସୁର ମନ୍ଦିର’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ଭିଡିଓ ଆଗାମୀ ଦିନରେ ଓଡ଼ିଶାଲାଇଭର ୟୁଟ୍ୟୁବ ଏବଂ ଅନ୍ୟ ଚ୍ୟାନେଲରେ ସ୍ଥାନ ପାଇବ।

Comment