ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିଲିକାରେ ଡଙ୍ଗାବୁଡ଼ି ଘଟଣା ଲୋକଙ୍କ ମନରୁ ପାସୋର ନଯାଉଣୁ ଆଜି ପୁଣି ଏକ ଅଘଟଣ ଘଟିଛି। ଚିଲିକା ମଝିରେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଯାତ୍ରୀମାନେ ଘଣ୍ଟାଏ କାଳ ଯନ୍ତ୍ରଣା ଭୋଗିଥିଲେ। ଆଉ ଗୋଟିଏ ଡଙ୍ଗା ଯାଇ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲା। ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡ଼ିଛି।

ମଙ୍ଗଳବାର ସକାଳେ ଜହ୍ନିକୁଦ ଘାଟରୁ ଗୋଟିଏ ଦେଶୀ ଡଙ୍ଗା ଯାତ୍ରୀମାନଙ୍କୁ ନେଇ ସାତପଡ଼ା ଅଭିମୁଖେ ଯାଉଥିଲା। ଏହି ହଙ୍ଗାରେ ପ୍ରାୟ ୧୦ ଜଣ ଯାତ୍ରୀ ଥିଲେ। ହେଲେ ସାତପଡ଼ା ଘାଟରେ ପହଞ୍ଚିବା ପୂର୍ବରୁ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଡଙ୍ଗାଟି ଆଗକୁ ଯାଇପାରି ନଥିଲା।

ଯାତ୍ରୀମାନେ ମଝି ଚିଲିକାରେ ଛଟପଟ ହୋଇଥିଲେ। ପ୍ରାୟ ଘଣ୍ଟାଏ କାଳ ଡଙ୍ଗାରେ ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ରହିଥିଲେ। ଖବରପାଇ ଆଉ ଗୋଟିଏ ଡଙ୍ଗା ଆସିଥିଲା ଏବଂ ଯାତ୍ରୀମାନଙ୍କୁ ଉଦ୍ଧାର କରି ସାତପଡ଼ା ଅଭିମୁଖେ ନେଇ ଯାଇଥିଲା।

ଜୁନ୍ ୧୬ ତାରିଖରେ ଚିଲିକାରେ ଦେଶି ଡଙ୍ଗା ବୁଡ଼ି ଯାଇଥିଲା। କାଳିଜାଈରୁ ୧୬ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ଡଙ୍ଗାଟି ଝଡ଼ତୋଫାନ ହେବାରୁ ବୁଡ଼ି ଯାଇଥିଲା। ଫଳରେ ୬ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣା ପରେ ଛାନଭିନ ହୋଇଥିଲା। ଡଙ୍ଗାର ଫିଟ୍‌ନେସ୍‌ ଯାଞ୍ଚ କରାଯାଇଥିଲା। ହେଲେ ଆଜି ଚିଲିକା ମଝିରେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ପ୍ରଶାସନ କେଉଁଭଳି ଭାବେ ଫିଟ୍‌ନେସ୍‌ ଯାଞ୍ଚ କରିଥିଲା ତାହା ସ୍ପଷ୍ଟ ଜଣାପଡ଼ିଛି।

Comment