ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୮ର ପ୍ରଥମାର୍ଦ୍ଧରେ ଓଲିଉଡରେ ରିଲିଜ୍ ହୋଇଥିବା ଓଡ଼ିଆ ସିନେମାରେ କେତେଜଣ ନବାଗତ ନାୟକ ଓ ନାୟିକାମାନଙ୍କୁ ଦେଖିବାକୁ ମିଳିଛି ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ

୨୦୧୮ରେ ପରଦାରେ ନଜର ଆସିଥିବା ନବାଗତ ନାୟିକା

୨୦୧୮ର ଏକ ଲୋକପ୍ରିୟ ସିନେମା ‘ହାପିଲକି’ରେ ନାୟକ ସମ୍ବିତଙ୍କ ବିପକ୍ଷରେ ଜଣେ ନବାଗତା ନଜର ଆସିଥିଲେ। ସେ ହେଲେ ସସ୍ମିତା। ସେ ରିଆଲିଟି ସୋ ‘କିଏ ହେବ ମୋ’ ହିରୋଇନ୍’ର ଟାଇଟଲ୍ ବିଜୟିନୀ ହେବା ପରେ ‘ହାପି ଲକି’ରେ ସମ୍ବିତଙ୍କ ସାଥ୍ ପାଇଥିଲେ।

୨୦୧୮ର ଏକ ଚର୍ଚ୍ଚିତ ଓଡ଼ିଆ ସିନେମା ହେଲା ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’। ଏହି ଓଡ଼ିଆ ସିନେମାରେ ଦର୍ଶକମାନେ ପ୍ରଥମ ଥର ପାଇଁ ବଡ଼ ପରଦାରେ ଭେଟିଥିଲେ ଜଣେ ନବାଗତା ନାୟିକାଙ୍କୁ। ସେ ହେଲେ ଦିବ୍ୟା। ଏହି ସିନେମାରେ ତାଙ୍କୁ ବାବୁସାନଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା।

ଆକ୍‌ସନ୍ ମୁଭି ‘ଅଜାତଶତ୍ରୁ’ରେ ବି ଓଡ଼ିଆ ଦର୍ଶକ ଜଣେ ନୂଆ ନାୟିକାଙ୍କୁ ଦେଖିବାକୁ ମିଳିଛି। ସେ ହେଲେ ସାଧ୍ୱୀ ସିଂହ| ତାଙ୍କର ନାୟକ ହେଲେ ଜଣେ ନବାଗତ ନାୟକ ସୋହମ୍ ସିଂହ। ସସପେନ୍‌ସ ସିନେମା ‘ହତ୍ୟା’ରେ ନବାଗତା ଅନ୍ୱେଷାଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିଛି। ଏଥିରେ ତାଙ୍କ ବିପକ୍ଷରେ ନାୟକ ଭୂମିକା ନିଭାଇଛନ୍ତି ଅର୍ପଣ।

ଉଚ୍ଚ ପ୍ରଶଂସିତ ସିନେମା ’ମନର ମାନସୀ’ରେ ନବାଗତା ନାୟିକା ସୋନାଲି ଓଲିଉଡରେ ଡେବ୍ୟୁ କରିଥିଲେ। ନବାଗତ ନାୟକ ବିଭାସଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥିଲା ଏହି ସିନେମାରେ।

୨୦୧୮ର ଏକ ଚର୍ଚ୍ଚିତ ସିନେମା ହେଲା ‘ଯୋଗୀ’। ଏହି ଫିଲ୍ମରେ ମଧ୍ୟ ଜଣେ ନାୟିକା ଡେବ୍ୟୁ କରିଥିଲେ। ସେ ହେଲେ ଶିଶୁ କଳାକାରରୁ ନାୟିକା ବନିଥିବା ନିକିତା। ଏଥିରେ ନାୟକ ଭୂମିକାରେ ନଜର ଆସିଥିଲେ ନବାଗତ ଆର୍ଯ୍ୟନ୍ ଦାସ କୁମାର।

୨୦୧୮ରେ ଦର୍ଶକମାନେ ଭେଟିଥିବା ନବାଗତ ନାୟକ

୨୦୧୮ର ପ୍ରଥମାର୍ଦ୍ଧରେ କେତେଜଣ ନବାଗତ ନାୟକଙ୍କୁ ମଧ୍ୟ ପରଦା ଉପରେ ଦେଖିବାକୁ ମିଳିଛି।

‘ଦୀପୁ ଦ ଡ୍ୟାନ୍ସ ବୟ’ ସିନେମାରେ ନବାଗତ ନାୟକ ମନୋଜ ରାଉତ ନାୟକଙ୍କୁ ଭେଟିଥିଲେ ଦର୍ଶକ। ସେ ଏହାର ପ୍ରଯୋଜନା ମଧ୍ୟ କରିଥିଲେ।

ଠିକ୍ ସେହିପରି ’ଗୁଡ଼ୁ ଆଣ୍ଡ୍ ଗୁଡ଼ି’ ସିନେମାରେ ଦର୍ଶକମାନେ ଯେଉଁ ନୂଆ ନାୟକଙ୍କୁ ପରଦାରେ ଭେଟିଛନ୍ତି, ସେ ବି ସେହି ଫିଲ୍ମର ପ୍ରଯୋଜନା କରିଥିଲେ। ସେହି ନାୟକ ଯୋଦକ ଜଣକ ହେଲେ ସୂର୍ଯ୍ୟକାନ୍ତ ସାମଲ। ଏହି ଫିଲ୍ମରେ ତାଙ୍କର ନାୟିକା ବନିଥିଲେ ବଙ୍ଗୀୟ ନାୟିକା ହିମିକା।

’ଅଜାତଶତ୍ରୁ’ କ୍ଷେତ୍ରରେ ବି ସମାନ କଥା ଘଟିଥିଲା। ଏହାର ନାୟକ ଥଇଲେ ସୋହମ୍ ସିଂହ। ସେ ଏହାର ପ୍ରଯୋଜନା ମଧ୍ୟ କରିଥିଲେ।

ରୋମାଣ୍ଟିକ୍-ସସପେନ୍ସ ଫିଲ୍ମ ’ଲଭ୍ ପ୍ରମିଜ୍’ରେ ଦର୍ଶକ ନାୟକ ଭୂମିକାରେ ଦେଖିବାକୁ ପାଇଥିଲେ ଜଣେ ବନାଗତ ନାୟକ ରାକେଶଙ୍କୁ। ଏଥିରେ ତାଙ୍କର ନାୟିକା ବନିଥିଲେ ଜୟା ବିଶ୍ୱାସ। ଠିକ୍ ସେହିପରି ’ମନର ମାନସୀ’ରେ ନବାଗତ ବିଭାସ ନାୟକ ଭୂମିକାରେ ନଜର ଆସିଥିଲେ।

ବିଗ୍ ବଜେଟ୍ ଫିଲ୍ମ ‘ଶକ୍ତି’ରେ ନବାଗତ କରଣଙ୍କୁ ନାୟକ ଭୂମିକାରେ ଦେଖିବାକୁ ମିଳିଥିଲା। ଏଥିରେ କରଣଙ୍କ ନାୟିକା ବନିଥିଲେ ସୁରମୟୀ। ‘ଦିୱାନା ହେଲି ତୋ ପାଇଁ’ରେ ଜଣେ ନବାଗତ ନାୟକ ମୁନ୍ନାଙ୍କୁ ରୀୟାଙ୍କ ବିପକ୍ଷରେ ଦେଖିବାକୁ ପାଇଥିଲେ ଦର୍ଶକ। ଯୋଗୀରେ ନବାଗତ ଆର୍ଯ୍ୟନ ଦାଶ କୁମାର ନାୟକ ଭୂମିକା ନିଭାଇଥିଲେ।

Comment