ଡକ୍ଟର ଫକୀର ମୋହନ ନାହାକ

କାହା ପାଇଁ ଏ ପତିତପାବନ କ୍ଷେତ୍ର, ପୁଣି ଆଉ କାହା ପାଇଁ ଶଙ୍ଖକ୍ଷେତ୍ରକିନ୍ତୁ ଜଗନ୍ନାଥ ପ୍ରେମରେ ତଲ୍ଲୀନ ଥିବା ମୁକ୍ତିକାମୀ ମୋକ୍ଷାକାଂକ୍ଷୀ ମଣିଷ ପାଇଁ ଏ କେବଳ କ୍ଷେତ୍ର, ଯୋଉ କ୍ଷେତ୍ରର ମାଟିର ଅଣୁରେ ଅଣୁରେ ଈଶ୍ୱର ପ୍ରାପ୍ତିର ପରିତୃପ୍ତି

ସମ୍ପୂର୍ଣ୍ଣ ଜଗଦେବ ନନ୍ଦନ ବନମ୍ ସର୍ବେପି କଳ୍ପଦ୍ରୁମା ।

ଗାଙ୍ଗମ୍ ବାରି ସମସ୍ତ ବାରି ନିବହା ପୁଣ୍ୟା ସମସ୍ତାଃ କ୍ରିୟାଃ ।।

ବାଚଃ ପ୍ରାକୃତ ସଂସ୍କୃତ ଶ୍ରୁତିଗିରୋ ବାରାଣସୀ ମେଦିନୀ ।

ସର୍ବାବସ୍ଥିତିରସ୍ୟ ବସ୍ତୃବିଷୟା ଦୃଷ୍ଟେ ପରଂବ୍ରହ୍ମଣି ।।

ନୀଳାଦ୍ରିର ଗହ୍ୱର ଭିତରେ ଶଙ୍ଖ ମଧ୍ୟରେ ଶତଦଳ କମଳ ଉପରେ ରତ୍ନସିଂହାସନରେ ବିରାଜିତ ନୀଳାଚଳଙ୍କୁ ଦର୍ଶନ କରିବା ପରେ ଏମିତି ହିଁ କିଛି ଶବ୍ଦ ଆପେଆପେ ମୁଖନିସୃତ ହୋଇଥିଲା ଆଦି ଶଙ୍କରାଚାର୍ଯ୍ୟଙ୍କର। ପରମବ୍ରହ୍ମଙ୍କ ଦର୍ଶନ ପରେ ଶଙ୍କରଙ୍କୁ ଲାଗୁଥିଲା ସମସ୍ତ ଜଗତ ନନ୍ଦନବନ, ବୃକ୍ଷରାଜି କଳ୍ପଦ୍ରୁମ। ଏ କ୍ଷେତ୍ରର ସମସ୍ତ ଜଳବିନ୍ଦୁ ଗଙ୍ଗାର ଜଳ ଏବଂ ଏଠାରେ ଉଚ୍ଚାରିତ ସମସ୍ତ ବାକ୍ୟ ବେଦବାକ୍ୟ। ଏଠାରେ ସଂଗଠିତ ସମସ୍ତ କର୍ମ ପୁଣ୍ୟ କର୍ମ ଏବଂ ଭୂଖଣ୍ଡ ବାରାଣସୀ ଭଳି ପବିତ୍ର।

ଏ ସେହି କ୍ଷେତ୍ର, ଯାହାକୁ କିଏ କହେ ଶ୍ରୀକ୍ଷେତ୍ର ତ ଆଉ କିଏ ପୁରୁଷୋତ୍ତମ କ୍ଷେତ୍ର। କାହା ପାଇଁ ଏ ପତିତପାବନ କ୍ଷେତ୍ର, ପୁଣି ଆଉ କାହା ପାଇଁ ଶଙ୍ଖକ୍ଷେତ୍ର। କିନ୍ତୁ ଜଗନ୍ନାଥ ପ୍ରେମରେ ତଲ୍ଲୀନ ଥିବା ମୁକ୍ତିକାମୀ ମୋକ୍ଷାକାଂକ୍ଷୀ ମଣିଷ ପାଇଁ ଏ କେବଳ କ୍ଷେତ୍ର ଯୋଉ କ୍ଷେତ୍ରର ମାଟିର ଅଣୁରେ ଅଣୁରେ ଈଶ୍ୱର ପ୍ରାପ୍ତିର ପରିତୃପ୍ତି। ଯାହାର ଧୂଳିରେ ଗଡିଗଲେ ଜନ୍ମ-ମୃତ୍ୟୁର ଚକ୍ରରୁ ମୁକ୍ତି ପାଇଯିବାର ଅଭୂତ ଅନୁଭୂତି। ଯେଉଁଠି ପାଦ ଥାପିଲେ ବିସ୍ମୃତ ହୁଏ ତମାମ ଜୀବନର ସମସ୍ତ କଷ୍ଟ, ପୀଡା ଆଉ ଯନ୍ତ୍ରଣା। ମନ କେବଳ ଜଗନ୍ନାଥ ମନସ୍କ ହେବା ବ୍ୟତୀତ ଏଇଠି ଆଉ କିଛି ନଥାଏ।

ଜୀବନ ଓ ଜଞ୍ଜାଳର ଧାଁ ଦୌଡ ଭିତରେ ଅନ୍ତର୍ମନ କେବଳ କହି ଉଠୁଥାଏ, ‘ହେ ମହାବାହୁ’, ‘ହେ ବଳୀୟାରଭୁଜ’, ‘ଆର୍ତ୍ତତ୍ରାଣ’, ‘ପତିତପାବନ। ମତେ ଟିକିଏ ହାତଠାରି ଡାକ ପ୍ରଭୁ। ଏ ଅକିଞ୍ଚନକୁ କ୍ଷେତ୍ରକୁ ନିଅ। ଟିକିଏ ଦର୍ଶନ ଦିଅ। ତାପିତ ପ୍ରାଣରେ ଟିକିଏ ଆଶିଷର ବାରି ଢାଳିଦିଅ ପ୍ରଭୁ। ଜୀବନ ଜଞ୍ଜାଳରୁ ମୁକ୍ତି ଦିଅ ପ୍ରଭୁ। ପ୍ରଭୁ, ଏଇ କ୍ଷେତ୍ର ହିଁ ତ ଯୁଗ ଯୁଗ ଧରି ହାତଠାରି ଡାକିଛି ଦୀନ ଦୁଃଖୀ ଦରିଦ୍ରଙ୍କୁ। ରୋଗୀ, ଭୋଗୀ, ଯୋଗୀଙ୍କୁ। କବିଙ୍କୁ, ଲେଖକଙ୍କୁ, ଭାବୁକଙ୍କୁ। ରାଜାଙ୍କୁ ଆଉ ରଙ୍କଙ୍କୁ। ପାପୀଙ୍କୁ, ପୁଣ୍ୟାତ୍ମାଙ୍କୁ, ପ୍ରାର୍ଥୀଙ୍କୁ ଆଉ ପରମାର୍ଥୀଙ୍କୁ। ପ୍ରେମିକଙ୍କୁ, ପ୍ରାଣବନ୍ତଙ୍କୁ, ପ୍ରାଚୁର୍ଯ୍ୟବନ୍ତଙ୍କୁ ଆଉ ପ୍ରଶ୍ନଶୀଳଙ୍କୁ।

ହେ ପ୍ରଭୁ! ଏବେ ତ ଆଷାଢୀ ଆକାଶ କୃଷ୍ଣଘନରେ ଆଚ୍ଛାଦିତ। ମେଘାଡମ୍ବରୁର କର୍ଣ୍ଣଭେଦୀ ଗୁରୁଗମ୍ଭୀର ଗର୍ଜନ, ବିଦ୍ୟୁତଲତାର ଆଲୋକମାଳା, ନବୋଦିତ ସୂର୍ଯ୍ୟ, ଆଉ ଇନ୍ଦ୍ରଧନୁର ବର୍ଣ୍ଣବିଭା ସବୁ ତୁମରି ପାଇଁ। ସମସ୍ତେ କ୍ଷେତ୍ର ମୁହାଁ ପ୍ରଭୁ। ସମସ୍ତେ ଏବେ ତୁମ ବଡ ଦାଣ୍ଡରେ ଦଣ୍ଡାୟମାନ। ସମସ୍ତେ ଏକ ଆକାଂକ୍ଷିତ ନୟନରେ ତୁମକୁ ଅନାଇ ରହିଛନ୍ତି ପ୍ରଭୁ। ଆସ..ଆସ.. ପ୍ରଭୁ, ସେ ଗିରିଗୁମ୍ଫାରୁ ସଯତ୍ନରେ ଓହ୍ଲାଇ ଆସ। ଥରେ ତୁମ ସେ ନିଷ୍ପଲକ ନୟନ ଆମ ଉପରେ ଘୂରାଇ ନିଅ ପ୍ରଭୁ। ଦେଖ, କେମିତି ଜନ୍ମ ଜନ୍ମାନ୍ତରର ଯନ୍ତ୍ରଣାକୁ କୁବୁଜା ଭଳି କାନ୍ଧରେ ବୋହି ନିର୍ନିମେଷ ନୟନରେ ଚନ୍ଦ୍ରକୁ ଅପେକ୍ଷା କରି ରହିଥିବା ଚକୋର ଭଳି ଆମେ ଅନାଇ ରହିଛୁ।

ପ୍ରଭୁ, ଆଜି ତ ଆଷାଢ଼ ଶୁକ୍ଳ ଦ୍ୱିତୀୟା.. ତୁମର କଣ ମନେ ନାହିଁ। କଥା ଦେଇଥିଲ ତମେ, ଶରଧାବାଲିକୁ ଆସିବ। ବଡଦାଣ୍ଡରେ ଗହଳ ଲଗାଇବ। ପାତକିଜନଙ୍କୁ ଦର୍ଶନ ଦେବ। ପତିତ ଉଦ୍ଧାର କରିବ ପ୍ରଭୁ। ହେଲେ ଏତେ ବିଳମ୍ବ କାହିଁକି କରୁଛ କାଳିଆ ସାଆନ୍ତେ। ତମେ ପରା ଆବୋରି ବସିଛ ଏ ସଚରାଚର ବ୍ରହ୍ମାଣ୍ଡ। ତିନି ପାଦରେ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଅକ୍ତିଆର କରିବା ପରେ ଆଉ କଣ ଅଛି ଯେ। ହେ ବାମନରୂପୀ ତ୍ରିବିକ୍ରମ, ତୁମକୁ ରଥରେ ଦର୍ଶନ କଲେ ପୁନର୍ଜନ୍ମରୁ ମୁକ୍ତି ମିଳିବ ବୋଲି ପଣ୍ଡିତଙ୍କଠୁ ଶୁଣିଥିଲି।

ଦୋଳେ ଚ ଦୋଳ ଗୋବିନ୍ଦଂ, ଚାପେ ଚ ମଧୁସୂଦନମ୍ ।

ରଥେ ତୁ ବାମନଂ ଦୃଷ୍ଟ୍ଵା ପୁନର୍ଜନ୍ମଂ ନ ବିଦ୍ୟତେ।

ସେଥିପାଇଁ ତ ଆଜି କ୍ଷେତ୍ର ଆସିଛି ପ୍ରଭୁ। ତମର ଏ ପତିତପାବନ କ୍ଷେତ୍ରର ମାଟିକୁ ମୁଣ୍ଡରେ ମାରିଛି। ଖାଲି ଅପେକ୍ଷା କରିଛି, କେତେବେଳେ ତୁମେ ଓହ୍ଲାଇ ଆସିବ ବାଇଶି ପାହାଚ ଦେଇ ବଡଦାଣ୍ଡକୁ। ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ତମେ ଜନ୍ମବେଦୀକୁ ଯିବ। ଆଉ ତମରି ଦର୍ଶନ ପାଇ ଏ ପାତକୀ ପ୍ରାଣ ପୁଲକିତ ହେବ। ଉତ୍ତପ୍ତ ହୃଦୟ ଶୀତଳ ହେବ। ହେଲେ ଏ କଣ ପ୍ରଭୁ.. ଏତେ ବିଳମ୍ବ କାହିଁକି.. ଦେଖ.. ଦେଖ ପ୍ରଭୁ ବେଳ ଗଡି ଯାଉଛି। ତୁମ ପ୍ରାସାଦର ସମ୍ମୁଖରେ ଅପେକ୍ଷମାଣ ଅଛନ୍ତି ନନ୍ଦିଘୋଷ, ତାଳଧ୍ୱଜ ଆଉ ଦର୍ପଦଳନ। ବିଶ୍ୱକର୍ମାମାନେ ଦୀର୍ଘଦିନ ଧରି ପ୍ରସ୍ତୁତ କରିଛନ୍ତି ତୁମ ଯାନ। ରଥରେ ଅପେକ୍ଷା କରିଛନ୍ତି ଋଷିଗଣ, ପାର୍ଶ୍ଵ ଦେବଦେବୀ, ସାରଥି- ଦାରୁକ, ଅର୍ଜୁନ ଆଉ ମାତଳୀ, ସମସ୍ତ ଅଶ୍ୱ ଏବଂ ରଥରଜ୍ଜୁ ସ୍ୱୟଂ ନାଗରାଜ।

ପ୍ରଭୁ, ବଡଦାଣ୍ଡରେ ଏବେ କେବଳ ମୁଣ୍ଡମାଳ। ମାନବଜାତିର ଏ ମହାପ୍ରବାହ। କୋଟି ହୃଦୟର ହୃଦୟେଶ୍ୱରଙ୍କୁ ପାଖରେ ପାଇ, କୋଳେଇ ନେଇ ସବୁଦିନ ପାଇଁ ନିଜର କରିନେବା ଲାଗି ସମସ୍ତେ ଉର୍ଦ୍ଧ୍ୱବାହୁ। କେବଳ ଆକୁମାରୀହିମାଚଳ ନୁହେଁ, ସମଗ୍ର ବିଶ୍ୱବସୁଧାର ଆଚାଣ୍ଡାଳବ୍ରାହ୍ମଣ, ଆବାଳବୃଦ୍ଧବନିତା ଆଜି ତୁମରି ଅପେକ୍ଷାରେ ପ୍ରଭୁ। ଜୀବନ୍ତ, ଦିବଙ୍ଗତ, ସଚରାଚର ବ୍ରହ୍ମାଣ୍ଡର ସମସ୍ତ ଆତ୍ମା ଆଜି ତୁମ ଦର୍ଶନାଭିଳାଷୀ। ଗୋଟିଏ ମୁହୂର୍ତର ଦର୍ଶନରେ କୋଟି ଜନ୍ମରୁ ମୁକ୍ତି ମିଳିବ, ସେହି ଆଶା ଆଉ ବିଶ୍ୱାସର ସହ ଏ ଜନସମୁଦ୍ର।

ତମର ଏ ନଅ ଦିନର ଯାତ୍ରା ପାଇଁ ଦେଶ ଦେଶାନ୍ତରରୁ, ଦ୍ୱୀପ ଦ୍ୱୀପାନ୍ତରରୁ ଦୌଡି ଆସିଛି ଭକ୍ତ। ଦେଖ ପ୍ରଭୁ, ଚତୁର୍ଦ୍ଦିଗରୁ ଲାଗିଛି ଧାଡି। କିଏ ହାତ ଧରାଧରି ହୋଇ, ତ ଆଉ କିଏ କୋଳରେ ପିଲାକୁ କାଖେଇ, ଆଉ କିଏ ବାପା କାନ୍ଧରେ ବସି ଏ ଭିଡ ଭିତରକୁ ମାଡି ଆସୁଛନ୍ତି। ସମସ୍ତେ କ୍ଷେତ୍ର ମୁହାଁ ପ୍ରଭୁ। ସମସ୍ତଙ୍କ ଗୋଟିଏ କାମନା ତମକୁ ଟିକିଏ ରଥରେ ଦେଖିବେ, ରଥ ଦଉଡିକୁ ଟିକିଏ ଛୁଇଁଦେବେ, ବଡଦାଣ୍ଡର ଏ ଜନସମୁଦ୍ର ଭିତରେ ଟିକିଏ ହଜି ଯିବେ। ତମରି ସାନ୍ନିଧ୍ୟରେ ନିଜର ସତା ହରାଇ ବସିବେ। ଆଉ ବିଳମ୍ବ କରନି ପ୍ରଭୁ। ନୀଳକନ୍ଦରରୁ ଓହ୍ଲେଇ ଆସ ।

ଏ କଣ, ଜନସମୁଦ୍ର ଭିତରେ ଘଣ୍ଟଘଣ୍ଟା ମୃଦଙ୍ଗ ତାଳ କୀର୍ତ୍ତନର ଧ୍ୱନି ଅଧିକ ପ୍ରକମ୍ପିତ ହେଉଛି। ହେଇ ଦେଖ, ନୀଳାଦ୍ରିରୁ ଓହ୍ଲାଇ ଆସୁଛନ୍ତି କାଳିଆ ସାଆନ୍ତ। ସର୍ବାଗ୍ରେ ଚକ୍ରରାଜ ସୁଦର୍ଶନ, ତା ପଛରେ ବଡଠାକୁର ବଳଭଦ୍ର, ଭାଇର ଅଭୟ ପାଇ ପଛେ ପଛେ ଆସୁଛି ସୁନାନାକୀ ସୁଭଦ୍ରା।  ଯିଏ ଯାହାର ରଥରେ ରଥାରୂଢ଼ ହେଲା ପରେ ପଛରେ ହଲି ହଲି ଝୁଲି ଝୁଲି ଆସୁଛନ୍ତି କାଳିଆହାତୀ, କଳାଠାକୁର। ହରିବୋଲ ହୁଳହୁଳି ଧ୍ୱନିରେ କଂପି ଉଠୁଛି ଚଉଦିଗ।

ଏ କ’ଣ, ଏ କି ବିଚିତ୍ର ଦୃଶ୍ୟ। ସମସ୍ତଙ୍କ ଆଖିରେ ଅଶ୍ରୁ.. ସମସ୍ତେ ଉର୍ଦ୍ଧ୍ୱବାହୁ। ସମସ୍ତେ ଆଜି କୃତଜ୍ଞ ତମରି ଦର୍ଶନ ପାଇ ପ୍ରଭୁ। ତମେ ରଥାରୂଢ଼ ହୋଇନାହଁ ପ୍ରଭୁ, ମୋ ମନ ନନ୍ଦିଘୋଷରେ ବିରାଜମାନ କରିଛ। ମୋ ଜୀବନ ରଥର ରଥୀ ତମେ।  ମୁଁ କି ଛାର ପ୍ରାଣୀ, ଉତ୍କଳର ନାୟକ ସ୍ୱୟଂ ଗଜପତି ତ ତୁମର ରାଉତ।  ଯିଏ ଏ ସମଗ୍ର ବିଶ୍ୱବସୁଧା ସମ୍ମୁଖରେ ତୁମର ଦାସତ୍ୱ ସ୍ୱୀକାର କରି ସ୍ୱର୍ଣ୍ଣ ସମ୍ମାର୍ଜନୀରେ ସମ୍ମାର୍ଜନ କରୁଛନ୍ତି। ଆଜି ଆଖି ପବିତ୍ର ହୋଇଯାଉଛି ପ୍ରଭୁ। ଏ ବଡଦାଣ୍ଡରେ ଘୋର ଘର୍ଘର ନାଦ କରି ତୁମ ନନ୍ଦିଘୋଷ ଯେତେବେଳେ ଆଗେଇ ଚାଲୁଛି, ତାରି ଉପରେ ତୁମର ଏ ତ୍ରିବିକ୍ରମ ରୂପ ଦର୍ଶନ କରି ଜନ୍ମ ମୋର ସାର୍ଥକ ହେଉଛି। ଶ୍ରୀକ୍ଷେତ୍ରରେ ମୋର ପଦପାତ ଫଳବତୀ ହେଉଛି।

(ଲେଖକ ଜଣେ ଗଣମାଧ୍ୟମ ବ୍ୟକ୍ତିତ୍ୱ ଏବଂ ସଂପ୍ରତି ଏକ ଜାତୀୟ ସ୍ତରର ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଷୟରେ ଅଧ୍ୟାପନାରତ)

Comment