ବିଷ୍ଣୁପଦ ଦାସ


ଆଜି ସମଗ୍ର ବିଶ୍ୱ ଉତ୍ସବ ମୁଖରିତ। ଜଗତରନାଥ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାକୁ ସବୁବର୍ଗର ଭକ୍ତଗଣ ଚାତକ ପକ୍ଷୀପରି ଚାହିଁ ରହିଛନ୍ତି ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦର୍ଶନ ପାଇଁ। ସେ ଆଜି କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଆରାଧ୍ୟ ହୋଇ ରହିନାହାନ୍ତି। ସେ ବିଶ୍ୱ ଦେବତା।

ଆଜି ଆମେରିକା ଭଳି ଉନ୍ନତ ରାଷ୍ଟ୍ରରେ ଚଉବନ ଗୋଟି ଶ୍ରୀଜଗନ୍ନାଥ ମନ୍ଦିର ଶୋଭାପାଉଅଛି। ଲଣ୍ଡନରେ ମହିଳାମାନେ ଉତ୍ସାହିତ ହୋଇ ଦେବୀ ସୁଭଦ୍ରାଙ୍କ ରଥ ଟାଣିବା କମ୍ ଗୌରବର କଥାନୁହଁ। କାଜାକସ୍ଥାନ ଭଳି ରାଷ୍ଟ୍ରରେ ମନ୍ଦିର ନିର୍ମାଣ, ଆଣ୍ଟାର୍କଟିକା ଭଳି ବରଫ ଭୂଖଣ୍ଡରେ ରଥ କରି(ସ୍ଲେଜ ଗାଡିରେ) ଟାଣିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ଉତ୍ସାହପ୍ରଦ ।ତେଣୁ ଆଜି ସମସ୍ତ ଉକ୍ରଳୀୟ ମାନେ ନିଜର ସ୍ୱାଭିମାନ ଏତାଦୃଶ ରଥଯାତ୍ରା ସମ୍ବନ୍ଧରେ ଜାଣିବା ନିତ୍ୟାନ୍ତ ଅନିର୍ବାଯ୍ୟ ହୋଇପଡିଛି ।

ଚତୁର୍ଦ୍ଧାମୂର୍ତ୍ତିଙ୍କର ଘୋଷଯାତ୍ରା ସଂବନ୍ଧରେ ଆଲୋଚନା କରିବା ପୁର୍ବରୁ ପ୍ରଥମେ ଏହାର ପୌରାଣିକ,ଐତିହାସିକ ପୃଷ୍ଠଭୂମି ପ୍ରତି ଦୃଷ୍ଟିଦେବା ନିତ୍ୟାନ୍ତ ଅନିବାର୍ଯ୍ୟ। ଏହି ଘୋଷଯାତକୁ ଅନେକ ରଥଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା, ପତିତପାବନ ଯାତ୍ରା, ମହାବେଦି ଯାତ୍ରା, ଆଡପମଣ୍ଡପ ଯାତ୍ରା, ନବଦିନ ଯାତ୍ରା ଆଦି ଅର୍ଥରେ ବର୍ଣ୍ଣନା କରି ଅଛନ୍ତି। ଏହା ବିଭିନ୍ନ ପୁରାଣ ଓ ଉପ ପୁରାଣ ଯଥା ସ୍କନ୍ଧ ପୁରାଣ, ବ୍ରହ୍ମ ପୁରାଣ, କପିଳ ସଂହିତା, ନୀଳାଦ୍ରି ମହୋଦୟ, ନାରଦ ପୁରାଣ, ପଦ୍ମ ପୁରାଣ, ବାମଦେବ ସଂହିତା, ଶାରଦା ପୁରାଣ, ଚୈତନ୍ୟ ଚରିତାମୃତ ଆଦି ଅନେକ ପୁରାଣ ଓ ଗ୍ରନ୍ଥରେ ବର୍ଣ୍ଣିତ ହୋଇଅଛି।

ପ୍ରଥମେ ଯଦି ବ୍ରହ୍ମ ପୁରାଣକୁ ପର୍ଯ୍ୟାଲୋଚନା କରାଯାଏ ତାହେଲେ ଏଥିରୁ ରଥଯାତ୍ରା ବିଶୟରେ ଅନେକ ତଥ୍ୟ ମିଳିଥାଏ। ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀ ବିଷ୍ଣୁଙ୍କୁ ଅନୁରୋଧ କରିଥିଲେ ଯେ ତାଙ୍କରି ସରୋବର ନିକଟରେ ଏକସପ୍ତାହ ବ୍ୟାପି ଏକଉତ୍ସବ ହେଉ ଯାହାକି ଗୁଣ୍ଡିଚା ଯାତ୍ରା ନାମରେ ଖ୍ୟାତହେବ।

ଏହି ଉତ୍ସବ ପାଇଁ ଶ୍ରୀବିଗ୍ରହମାନେ ଶ୍ରୀମନ୍ଦିରରୁ ରଥରେ ଆସି ରତ୍ନବେଦିରେ ବା ଆଡପ ମଣ୍ଡପରେ ଲୀଳା କରିବେ। ଯେଉଁ ଭକ୍ତମାନେ ଶ୍ରୀଗୁଣ୍ଡିଚା ମଣ୍ଡପରେ ଚତୁର୍ଦ୍ଧା ମୁର୍ତିକୁ ପୁଜାର୍ଚ୍ଚନା ଓ ଦର୍ଶନ କରିବେ ସେମାନଙ୍କର ଅଶେଷ ପୁଣ୍ୟଫଳ ପ୍ରାପ୍ତିହେବ। ଭଗବାନ ପୁରୁଷୋତ୍ତମ ଭକ୍ତର ଅନୁରୋଧ ରକ୍ଷାକରି ତଥାସ୍ତୁ କହି ଅନ୍ତର୍ଦ୍ଧାନ ହୋଇଥିଲେ। (ବ୍ରହ୍ମପୁରାଣ-୬୩ ଅଧ୍ୟାୟ )। ସ୍କନ୍ଧପୁରାଣରେ ପ୍ରଭୁ ଶ୍ରୀଜଗନ୍ନାଥ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହୁଛନ୍ତି, ହେ ରାଜନ(କ୍ଷିତିଶ୍ୱର)! ମୋର ଗୁଣ୍ଡିଚା ନାମକ ମହାନ ଯାତ୍ରାକୁ ପାଳନ କରିବ। ଯେଉଁ ଯାତ୍ରାର ନାମ ଶ୍ରବଣ ମାତ୍ରେ ମାନବ ଅବଶ୍ୟ ପାପରୁ ମୁକ୍ତି ହୋଇଥାଏ ।

(ସ୍କନ୍ଧପୁରାଣ-୨୯/୩୦)ସ୍କନ୍ଧ ପୁରାଣରେ ଆହୁରି ମଧ୍ୟ କୁହାଯାଇଅଛି:

ବିଶେଷାନ୍ ମୋକ୍ଷଦାଷାଢ ଦ୍ୱିତୀୟା ପୁଷ୍ୟସଂଯୁତା। ଋଷ୍ୟ ଭାବେ ତିଥୌ କାର୍ଯ୍ୟା ସଦା ସା ପ୍ରୀତୟେ ମମ ।( ସ୍କପୁ-୨୯/୩୨)

ଅର୍ଥାତ, ବିଶେଷତଃ ପୁଷ୍ୟା ନକ୍ଷତ୍ରଯୁକ୍ତ ଆଷାଢ ଶୁକ୍ଳ ଦ୍ୱିତୀୟା ତିଥି ମୋକ୍ଷଦାୟିନୀ ଅଟେ। ପୁଷ୍ୟା ନକ୍ଷତ୍ର ନହେଲେ କେବଳ ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରେ ଏହି ଯାତ୍ରା ସର୍ବଦା ମୋର ପ୍ରୀତି ପାଇଁ କରଣୀୟ। ପୁନଶ୍ଚ ଭଗବାନ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ କହିଛନ୍ତି:

ଆଷାଢସ୍ୟ ସିତେପକ୍ଷେ ଦ୍ୱିତୀୟା ପୁଷ୍ୟା ସଂଯୁତା ।ତସ୍ୟା ରଥେ ସମାରୋପ୍ୟରାମଂ ମାଂ ଭଦ୍ରୟା ସହ।

ମହୋତ୍ସବ ପ୍ରବୃଭ୍ୟର୍ଥଂ ପ୍ରୀଣୟିତ୍ୱା ଦ୍ୱୀଜାନ ବହୁନ୍। ଗୁଣ୍ଡିଚା ମଣ୍ଡପଂ ନାମ ଯତ୍ରାବମଜନଂ ପୁରା। (୨୯/୩୩,୩୪)

ଅର୍ଥାତ ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି ପୁଷ୍ୟା ନକ୍ଷତ୍ର ଯୁକ୍ତ ହେଲେ ସେହି ତିଥିରେ ରାମ(ବଳଭଦ୍ର) ଓ ମୋତେ ସୁଭଦ୍ରା ସହିତ  ରଥରେ ଅଧିଷ୍ଠିତ କରାଇ ଶ୍ରୀଗୁଣ୍ଡିଚା ମଣ୍ଡପକୁ ନେବ। ଯେଉଁଠାରେ ପୁର୍ବରେ ମୁଁ ଆବିର୍ଭୁତ ହୋଇଥିଲି ଏବଂ ସେହିସ୍ଥାନରେ ତୁମେ ସହସ୍ର ଅଶ୍ୱ ମେଧ ଯଜ୍ଞ ଆୟୋଜନ କରିଥିଲ ସେହି ସ୍ଥଳରେ ଜଜ୍ଞର ବେଦି ବିଦ୍ୟମାନ, ସେହି ଗୁଣ୍ଡିଚା ମଣ୍ଡପକୁ ପ୍ରତ୍ୟେକ ବର୍ଷ ନେଇଯିବ। ଉକ୍ତ ମଣ୍ଡପକୁ ଆଡପମଣ୍ଡପ ମଧ୍ୟ କୁହାଯାଏ। ସେହି ସ୍ଥାନରେ ମୁଁ ଅନେକ ଦିନ ବ୍ୟାପି ରହିଥିଲି।

ଏହି ଯାତ୍ରା ନବଦିନ ମଧ୍ୟରେ ସମାପନ ହେବ। ଆଷାଢ ଶୁକ୍ଳ ଦଶମୀ ତିଥିରେ ପୁନର୍ବାର ଶ୍ରୀଜିଉ ଶ୍ରୀ ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରି ଏକାଦଶୀ ଦିନ ବଡଦାଣ୍ଡରେ ରଥାରୁଢ ଅବସ୍ଥାରେ ସୁନାବେଶରେ ଭକ୍ତ ଗଣକୁ ଦର୍ଶନ ଦିଅନ୍ତି। କପିଳ ସଂହିତାରେ ଏହାକୁ ଗୁଣ୍ଡିଚା ମହୋତ୍ସବ କୁହାଯଏ ଏବଂ ରଥଯାତ୍ରାକୁ  ଶ୍ରୀଗୁଣ୍ଡିଚା ମହାଯାତ୍ରା ବୋଲି ସମ୍ବୋଧନ କରାଯାଇ ଅଛି। (କ.ସଂ.୪/୨୮)

ନୀଳାଦ୍ରି ମହୋଦୟ ଷଷ୍ଠ ଅଧ୍ୟାୟରେ ଉଲ୍ଲେଖ ଅଛି –

ଆଶାଢସ୍ୟ ଚ ମାସସ୍ୟ ସିତେପକ୍ଷେ ଗୁରୋର୍ଦିନେ। ପୁଷ୍ୟର୍କ୍ଷେ ଚ ଦ୍ୱିତୀୟାୟାଂ  ତତ୍ର କୁର୍ଯ୍ୟାଦ୍ରଥୋତ୍ସବମ୍।

ଋକ୍ଷାଭାବେ ତିଥୌ କାର୍ଯଂ ସର୍ବଭାବେନ ଭୂପତେ। ଗୁଣ୍ଡିଚାଖୋ୍ୟତ୍ସବଂ କୁର୍ଯ୍ୟା ଦତି ପ୍ରୀତିକରଂ ମମ।

ଅକ୍ଷୟ ତୃତୀୟାଠାରୁ ଶ୍ରୀଜିଉଙ୍କ ଆଡପମଣ୍ଡପ ଯାତ୍ରା ନିମନ୍ତେ ଚତୁର୍ଦ୍ଧା ମୂର୍ତ୍ତିଙ୍କପାଇଁ ତିନିରଥ ଯଥା – ନନ୍ଦିଘୋଷ,ତାଳଧ୍ୱଜଏବଂ ଦର୍ପଦଳନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ। ଏହି ରଥମାନଙ୍କର ଅନେକ ଗୁଡିଏ ନାମ ରହିଛି। ଯେପରି ନନ୍ଦିଘୋଷ ରଥର ପତାକାରେ ହନୁମାନ (କପି) ରହିଥିବାରୁ ଏହାକୁ କପିଧ୍ୱଜ ଏବଂ ଅଗ୍ରଭାଗରେ ଚକ୍ର ଓ ଗରୁଡ ଅଧିଷ୍ଠିତ ଥିବାରୁ ଏହାକୁ ଚକ୍ରଧ୍ୱଜ ବା ଗରୁଡଧ୍ୱଜ ବୋଲି ସମ୍ବୋଧନ କରାଯାଇଥାଏ। ସେହିଭଳି ବଳଭଦ୍ର ରଥର ଶୀର୍ଶଦେଶରେ ତାଳ ଚିହ୍ନ ଥିବାରୁ ଏହାକୁ ତାଳଧ୍ୱଜ ରଥ କୁହାଯାଏ। ଦେବୀସୁଭଦ୍ରାଙ୍କ ରଥ ଦେବଦଳନ,ଦର୍ପଦଳନ ଅବା ପଦ୍ମଧ୍ୱଜ  ନାମରେ ଖ୍ୟାତ।

ଋଥଗୁଡିକ ମହାରଣା ସେବକଙ୍କ ଦ୍ୱାରା ନିର୍ମାଣ କରାଯାଇଥାଏ। ରଥର ବିଭିର୍ଣ୍ଣ ଅଂଶର ଗୁରୁତ୍ୱପୂର୍ଣ୍ଣ ବିଶେଷତ୍ୱ ରହିଛି। ସେମାନଙ୍କର ନାମ ମଧ୍ୟ ଅନେକ, ସେଗୁଡିକ ହେଲା ଚକ, ଦାଣ୍ଡିଆ, ଅର, ବାଙ୍କି, ହଂସପଟା, କଣି, ଶଂଖଦ୍ୱାର, ଜାଲି, ଗଙ୍ଗପଟା, ସିଂହାସନ, ଭୂମି, କନକ ମୁଣ୍ଡାଇ, ଷୋଳବାହକ, ମକରଦଣ୍ଡା, ବସନ୍ତ, ଦୁଆର ଘୋଡା, ସାରଥି ପିଢ, କୁମ୍ଭପାଟି, ଆଠନାହାକା, ପୀଢ, ଚାଷୀପଟା, ଦଣ୍ଡା, ପାରାଭାଡି, ଖପୁରି, ପାଦ, ଓଲଟଶୁଆ, ଦଧିନଉତି, କଳସ, କଣ୍ଠୀ, ଦଣ୍ଡଚକ୍ର ଓ କେତନ। ଏହିଭଳି ରଥଖଳାଠାରେ ରଥ ନିର୍ମାଣ କରାଯାଇ ଗୁଣ୍ଡିଚା ଯାତ୍ରା ପୂର୍ବଦିନ ଅର୍ଥାତ ନେତୋ୍ରତ୍ସବ ଦିନ  ଶ୍ରୀଜିଉଙ୍କ ଆଜ୍ଞାମାଳ ଲାଗିହେବା ପରେ ରଥଗୁଡିକୁ ଭକ୍ତମାନଙ୍କ ଦ୍ୱାରା ଟାଣିକରି ଆଣି ଶ୍ରୀମନ୍ଦିର ସମ୍ମୁଖରେ ସିଂହଦ୍ୱାର ଠାରେ ରଖାଯାଏ ।ଏହି ଦିନ ବିଳମ୍ବିତ ରାତ୍ରିରେ ଅଣସର ପିଣ୍ଡିରେ ବିରାଜମାନ କରିଥିବା ଶ୍ରୀବିଗ୍ରହ ମାନଙ୍କର କେତେକ ଗୁପ୍ତ ନିତି ଯଥା ବାହୁ ଟକଂଟ, ସେନାପଟା ,ଶୁକ୍ଳବସ୍ତ୍ର ଲାଗି ଇତ୍ୟାଦି କାର୍ଯ୍ୟ ସଂପୃକ୍ତ ସେବକ ଓ ଦଇତା ପତି ମାନଙ୍କ ଦ୍ୱାରା ସମ୍ପାଦିତ ହୋଇଥାଏ।

ଶ୍ରୀଗୁଣ୍ଡିଚା ଦିନ ପହଣ୍ଡି ପୂର୍ବର ନୀତି: ରଥଯାତ୍ରା ଦିନ ପ୍ରତ୍ୟୁଷରୁ ଶ୍ରୀଜିଉଙ୍କର ମଙ୍ଗଳ ଆଳତି, ମଇଲମ, ଅବକାଶ, ରୋଷହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ଓ ବେଶ ଇତ୍ୟାଦି ପାଳିଆ ସେବକ ଦ୍ୱାରା ସମାପନ ହେବା ପରେ ଏକାଠି ଗୋପାଳ ବଲ୍ଲଭ ଓ ସକାଳ ଧୂପ ପୂଜା ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ଶ୍ରୀମନ୍ଦିର ପୁରୋହିତ ଏବଂ ଅନ୍ୟାନ୍ୟ ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା ରଥ ପ୍ରତିଷ୍ଠା କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥାଏ । ପରେପରେ ମଙ୍ଗଳାର୍ପଣ ନୀତି ସମ୍ପର୍ଣ୍ଣ ହେବା ସହିତ ଠାକୁରମାନଙ୍କର ପହଣ୍ଡି ବିଜେ ପାଇଁ  ନାଟ ମଣ୍ଡପରେ ବିଜେ କାହାଳି ବାଜିଥାଏ ।

ବିଜେ କାହାଳି ବାଜିବା ଦ୍ୱାରା ବାୟୁ ମଣ୍ଡଳରେ ଅପୁର୍ବ ଶିହରଣ ଶୃଷ୍ଟି ହୋଇଥାଏ। ଭକ୍ତମାନଙ୍କଠାରୁ ଆରମ୍ଭକରି ଦେବତା ପର୍ଯ୍ୟନ୍ତ ସମସ୍ତେ ଅପୁର୍ବ ଆନନ୍ଦ ଓ ଶିହରଣରେ ପୁଲକିତ ହୋଇଉଠନ୍ତି। ପରେ ପରେ ଶ୍ରୀଜିଉଙ୍କ ପହଣ୍ଡି ସେବା ଆରମ୍ଭ ହୁଏ। ପ୍ରଥମେ ଶ୍ରୀ ସୁଦର୍ଶନ,ପରେ ବଳଭଦ୍ର,ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କୁ ଦଇତାପତିଗଣ ଅଣସର ବେଦିରୁ ଧାଡିପହଣ୍ଡି କରି ରଥ ପାଖକୁ ମହାସମାରୋହରେ ଘଂଟ ଘଂଟା, ପଖାଉଜ ,କାହାଳି, ମୃଦଙ୍ଗ, ହରିବୋଲ, ହୁଳହୁଳି ଧ୍ୱନିରେ ଗଗନ ପବନ ନିନାଦିତ କରି ଆଣି ବିଜେ କରାଇଥାନ୍ତି।

ପ୍ରଥମେ ବିଜେ କାହାଳି ବାଜିବା, ପରେପରେ ମହାପ୍ରଭୁଙ୍କୁ ପହଣ୍ଡିରେ ରତ୍ନବେଦିରୁ ଆଣି ସାତ ପାହାଚରେ ରାଘବ ଦାସ ମଠରୁ ଆସିଥିବା  ଟାହିଆ ଶ୍ରୀମସ୍ତକରେ ଲାଗିହୁଏ। ଏହି ସମୟରେ ବିଭିନ୍ନ ମଠର ମହନ୍ତ, ମଠାଧିଶ, ଅଧିକାରୀ,ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଚାମର ଓ ଆଲଟ ସେବା କରି ନିଜକୁ ଧନ୍ୟ ମନେକରନ୍ତି। କେତେକ ସ୍ଥାନରେ ପାରମ୍ପରିକ ଭାବରେ ପନ୍ତି ଭୋଗ ଲାଗି କରାଯାଏ। ପହଣ୍ଡି ସମୟରେ ବେହେରା ଖୁଂଟିଆ ସେବକ ମଣିମା ମଣିମା ଡାକ ଦେଇ ଠାକୁରମାନଙ୍କ ଆଗେଆଗେ ଚାଲି ଥାଆନ୍ତି ।

ପରେପରେ ମହାଜନ ସେବକ (ପୁଷ୍ପାଳକ ଶ୍ରେଣୀୟ ସେବକ)ମାନେ ଏକ ପଟୁଆରରେ ଘଂଟା, କାହାଳୀ, ଘସା ବାଦ୍ୟ ସମେତ ଏକ ପଟୁଆରରେ ବାହାରି ଦକ୍ଷିଣୀ ଘରୁ ମଦନ ମୋହନଙ୍କୁ ଆଣି ନନ୍ଦିଘୋଷ ରଥରେ ରାମ, କୃଷ୍ଣଙ୍କୁ ତାଳଧ୍ୱଜ ରଥରେ ଅଧିଷ୍ଠିତ କରାନ୍ତି। ପରମ୍ପରା ଅନୁଯାଇ ବଣିଆ ସେବକଙ୍କ ଘରୁ ଶୋଲଚିତା ତିନୋଟି ଅଣାଯାଇ ଛାଉଣି ମଠରେ ରଖାଯାଇଥାଏ। ରଥ ଉପରେ ରୁନ୍ଧା, ମାଳଫୁଲ, ଶୋଲଚିତା ଲାଗିହେବା ପରେ ଗୋବର୍ଦ୍ଧନ ପୀଠର ପୀଠାଧୀଶ ଜଗଦଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ ତିନିରଥ ଉପରେ ଶ୍ରୀଜିଉ ମାନଙ୍କୁ ଦର୍ଶନ କରିଥାନ୍ତି ।

ପରେ ପରେ ଗୁଣ୍ଡିଚା ଉତ୍ସବର ଅନ୍ୟତମ ଆକର୍ଷଣ ତିନି ରଥ ଉପରେ ଛେରାପହଁରା ଉତ୍ସବ ଆରମ୍ଭ ହୁଏ। ଏହିଦିନ ଗଜପତି ମହାରାଜା ବ୍ରତାଚରନ ପୂର୍ବକ ରାଜଗୁରୁଙ୍କ ଉପସ୍ଥିତିରେ ଶ୍ରୀନଅରରେ ଥିବା ମାତା କନକ ଦେବୀଙ୍କ ସହିତ ପଂଚ ଦେବତାଙ୍କ ଉପାସନା କରନ୍ତି। ଏହାପରେ ଦଶବିଧ ଉପଚାରରେ ମଙ୍ଗଳାରୋପଣ କର୍ମ ସମାହିତ ହୁଏ। ବିଧିବଦ୍ଧ ଭାବରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଛେରାପହଁରା ନିମିତ ନିମନ୍ତ୍ରଣ କରାଯିବା ପରେ ଗଜପତି ଶୁକ୍ଳ ବସ୍ତ୍ର ପରିଧାନ କରି ଅଣ୍ଟାରେ ରାଜଦଣ୍ଡ ଝୁଲାଇ ମୁଣ୍ଡରେ ପରଭୁଜ ସଂଯୋଜିତ ଜରିଧଡି ଲଗା ଶୁକ୍ଲ ପାଗ ପିନ୍ଧିବା ସହିତ ଗଳାରେ କୌସ୍ତୁଭ ରତ୍ନହାର ପରିଧାନ କରିଥାନ୍ତି।

ଶ୍ରୀନଅର କାହାଳିଆ ବିଜେ କାହାଳୀ ବଜାଇବା ପରେ ଗଜପତି ଏକ ସୁସଜ୍ଜିତ ତାମଦାନରେ ଶ୍ରୀନଅର ସେବକ ଓ ରାଜଗୁରୁଙ୍କ ସହିତ ପଟୁଆର ଧରି ରଥ ପାଖକୁ ବିଜେ କରନ୍ତି। ଗଜପତି ରଥପାଖରେ ପହଞ୍ଚିବା ପରେ ତାଙ୍କୁ ଚାରମାଳ ବାଟଦେଇ ରଥଉପରକୁ ପାଛୋଟି ନିଆଯାଇଥାଏ। ରଥଉପରେ ବିଭିନ୍ନ ଉପଚାର ପରେ ଗଜପତି ମହାରାଜା ସୁନାବେଂଟ ଲଗା ଖଡିକାରେ ରଥ ଚତୁଃପାର୍ଶ୍ୱ ମାର୍ଜନା କରିଥାଆନ୍ତି। ଏହି ସମୟରେ ଘୋରାଚନ୍ଦନ ଜଳ ଛିଞ୍ଚନ କରାଯାଇଥାଏ। ଏହିପରି ଗଜପତି ତିନି ରଥରେ ଛେରାପହଁରା କରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଶ ପ୍ରଣାମ ଜଣାଇଥା’ନ୍ତି। ତା’ ସହିତ ସେ ଶ୍ରୀପୟର ମାଳା ଗ୍ରହଣ ପୂର୍ବକ ଶ୍ରୀନଅରକୁ ପ୍ରତ୍ୟାବର୍ତ୍ତନ କରନ୍ତି। ଏହିଠାରେ ଛେରା ପହଁରା କାର୍ଯ୍ୟ ଶେଷ ହୋ‍ଇଥାଏ।

ଛେରା ପହଁରା ନୀତି ସରିବାପରେ ତିନି ରଥରୁ ଚାରମାଳ ଖୋଲାଯାଏ। ପରେ ପରେ ତିନି ରଥରେ ବାରଗୋଟି ଘୋଡା ଯୋଡାଯାଏ। ନନ୍ଦିଘୋଷ ରଥରେ ଧଳାଘୋଡା ଚାରି, ତାଳଧ୍ୱଜ ରଥରେ ଚାରି କଳା ଘୋଡା ଓ ଦେବଦଳନ ରଥରେ ଚାରି ଖଇରିଆ ରଙ୍ଗର ଘୋଡା ଯୋଡା ଯାଇଥାଏ। ପରେପରେ ପ୍ରତ୍ୟେକ ରଥରେ ଚାରୋଟି କରି ଦଉଡି ବନ୍ଧା ଯାଇଥାଏ। ପ୍ରତ୍ୟେକ ରଥରେ ରଥର ମୁଖ୍ୟଙ୍କ ସମେତ ରଥ ନିର୍ଦ୍ଦେଶକଙ୍କ ଦଳରେ ଶ୍ରୀମନ୍ଦିର ଦକ୍ଷ ଓ ଅଭିଜ୍ଞ ପଦାଧିକାରୀ, ପୋଲିସ ଅଫିସର, ଅଭିଜ୍ଞ ଭୋଇ ମହାରଣାଙ୍କ ଉପସ୍ଥିତିରେ ରଥଟଣା କାର୍ଯ୍ୟ  ଆରମ୍ଭ କରାଯାଇଥାଏ।

ପ୍ରଥା ଅନୁସାରେ ପ୍ରତ୍ୟେକ ରଥରେ ଘଂଟୁଆ ସେବକ ସେହି ରଥର ରଥ ଚକ ଯେତେ, ତା’ର ଦୁଇଗୁଣ ସଂଖ୍ୟାରେ ରହିବେ। ରଥଟଣା ପୂର୍ବରୁ ରଥ ଉପରେ ଥିବା କାହାଳିଆ ସେବକ ପ୍ରଥମରେ ବିଜେ କାହାଳୀ ବଜାଇଥାନ୍ତି। ପୁରୀ ଓ ଭଟ୍ଟିମୁଣ୍ଡାର ଘଂଟୁଆମାନେ ତାଳରେ ଘଂଟା ବଜାଇଲେ ରଥଟଣା ଆରମ୍ଭ ହୁଏ। ପ୍ରକାଶ ଥାଉକି ବଳଭଦ୍ରଙ୍କ ତାଳଧ୍ୱଜ ରଥର ଦାୟିତ୍ୱରେ ପୁରୀ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ, ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଦାୟିତ୍ୱରେ ଅତିରିକ୍ତ ଜିଲ୍ଲାପାଳ ପୁରୀ, ଏବଂ ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥ ଦାୟିତ୍ୱରେ ପୁରୀ ଜିଲ୍ଲାପାଳ ରହି ରଥ ଟଣା କାର୍ଯ୍ୟ ସଂପାଦନ କରିଥାନ୍ତି। ରଥଟଣା କାର୍ଯ୍ୟ ଏକ ନିର୍ଦ୍ଦିଷ୍ଟ ନିୟମରେ କରାଯାଇଥାଏ। ପ୍ରଥମରେ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ଦ୍ୱିତୀୟରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଓ ତୃତୀୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇଥାଏ।

ଏହିଭଳି ରୀତିନୀତି ଅନୁସାରେ ଶୃଙ୍ଖଳିତ ଭାବରେ ଭକ୍ତମାନଙ୍କର ଭାବାବେଗକୁ ସମ୍ମାନ ଜଣାଇ ରଥଟଣା କାର୍ଯ୍ୟ ସମାପନ ହୁଏ। ରଥଗୁଡିକ ଟଣାହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ସାମନାରେ ପହଂଚିଲା ପରେ ରଥ ଉପରେ ଶ୍ରୀଜିଉଙ୍କର ଅନ୍ୟାନ୍ୟ ନୀତି ସମାପନ ହୋଇ ଆଡପ ମଣ୍ଡପକୁ ପହଣ୍ଡି କରି ଅଣାଯାଇଥାଏ। ଆଡପ ମଣ୍ଡପ ବା ଗୁଣ୍ଡିଚା ମଣ୍ଡପରେ ନିତିସହିତ ପ୍ରତ୍ୟେହ ଦର୍ଶନ ବିଶେଷ କରି ନବମୀ ସଂଧ୍ୟା ଦର୍ଶନ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ଅଟେ।

ପରେ ପରେ ହେରାପଂଚମୀ, ସଂଧ୍ୟାଦର୍ଶନ, ବାହୁଡ଼ା ଯାତ୍ରା, ମାଉସୀ ମା’ଙ୍କ ପୋଡପିଠା ଖାଇବା, ଲକ୍ଷ୍ମୀ-ନାରୟଣ ଭେଟ, ସୁନାବେଶ, ଅଧର ପଣା ନୀତି କରାଯାଇଥାଏ। ତ୍ରୟୋଦଶୀ ତିଥିରେ ଶ୍ରୀଜିଉଙ୍କୁ ପହଣ୍ଡି କରାଯାଇ ରତ୍ନ ସିଂହାସନକୁ ନିଆଯାଇଥାଏ। ବାଟରେ ଲଷ୍ମୀଙ୍କ ଚାହାଣି ନୀତି, ନାଟମଣ୍ଡପରେ ବିଭୀଷଣଙ୍କ ବନ୍ଦାପନା, ଜୟ ବିଜୟ ଦ୍ୱାରରେ ଲକ୍ଷ୍ମୀ-ନାରାୟଣ କଳି, ଏହାରେ ତାଙ୍କୁ ରସଗୋଲା ହୋଇ ଏହି ପବିତ୍ର ଯାତ୍ରା ସମାପନ ହୋଇଥାଏ। ଏହାକୁ ନୀଳାଦ୍ରି ବିଜେ କୁହାଯାଇଥାଏ।

(ଲେଖକ ଅନ୍ତରାଷ୍ଟ୍ରୀୟ ଶ୍ରୀ ଜଗନ୍ନାଥ ସୋସାଇଟି (ଆମେରିକା), କଟକ ଶାଖାର ସଭାପତି)

Comment