ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରର ଇସ୍କନ ମନ୍ଦିର ଏବଂ ଆଚାର୍ଯ୍ୟ ବିହାରରେ ଜମି ରହୁଥିବା ବର୍ଷା ପାଣି ନିଷ୍କାସନ ପାଇଁ ବିଏମ୍‌ସି ଏବଂ ରାଜ୍ୟ ସରକାରଙ୍କୁ ଚିନ୍ତା ଘାରିଛି।

ଅସରାଏ ବର୍ଷାରେ ଇସ୍କନ୍ ମନ୍ଦିର ପାଖରେ ସୃଷ୍ଟି ହେଉଥିବା କୃତ୍ରିମ ବନ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି। ଜଳ ନିଷ୍କାସନ ପାଇଁ ଅଣ୍ଡରଗ୍ରାଉଣ୍ଡ ଡ୍ରେନ୍ ନିର୍ମାଣ କରାଯିବ। ସଚିବାଳୟରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। ଏହାସହ ଅବରୋଧ ହୋଇଥିବା ଡ୍ରେନେଜ୍‌ଗୁଡ଼ିକର ପୁନରୁଦ୍ଧାର କରାଯିବ।

ଇସ୍କନ୍ ମନ୍ଦିର ସମ୍ମୁଖରେ ଜମି ରହୁଥିବା ବର୍ଷା ଜଳ ନିଷ୍କାସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ବୁଧବାର ଦିନ କେନ୍ଦ୍ରମନ୍ତ୍ରୀ ନୀତିକ ଗଡ଼କରୀଙ୍କୁ ଚିଠି ଲେଖିଥିଲେ।

ଏପଟେ ଆଚାର୍ଯ୍ୟ ବିହାରରେ ନିର୍ମାଣ ହେବାକୁ ଥିବା ଡ୍ରେନେଜର ଟେଣ୍ଡର ପ୍ରସ୍ତାବକୁ ନଗର ଉନ୍ନୟନ ବିଭାଗ ଅନୁମୋଦନ କରିଛି। ଏହି ଡ୍ରେନ୍ ନିର୍ମାଣ ପାଇଁ ୫.୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

“ଚଳିତ ସପ୍ତାହ ଶେଷ ସୁଦ୍ଧା ଆଚାର୍ଯ୍ୟ ବିହାର ମୁଖ୍ୟ ଡ୍ରେନ୍-୪ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯିବ। ୬ ମାସ ମଧ୍ୟରେ ଡ୍ରେନ୍ ନିର୍ମାଣ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି। ଆସନ୍ତା ବର୍ଷା ଋତୁରେ ଆଚାର୍ଯ୍ୟବିହାର ବାସିନ୍ଦା ପାଣିଘେରରେ ରହିବେ ନାହିଁ”, କହିଛନ୍ତି ମେୟର ଅନନ୍ତ ନାରାୟଣ ଜେନା।

ଆଚାର୍ଯ୍ୟ ବିହାର ମୁଖ୍ୟ ଡ୍ରେନ୍ ୪କୁ ବକ୍ସ ଡ୍ରେନରେ ପରିଣତ କରିବା ପାଇଁ ୨୦୧୪ରେ ନିଷ୍ପତ୍ତି ହୋଇଥିଲା। ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରୁ ଟିଟିଡି କଲ୍ୟାଣ ମଣ୍ଡପ ପଛ ପାର୍ଶ୍ୱ ଦେଇ ଏହି ବକ୍ସ ଡ୍ରେନ୍ ନିର୍ମାଣ କରାଯାଉଛି। କଟକ ଡ୍ରେନେଜ୍ ଡିଭିଜନ ପକ୍ଷରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ୫୭୦ ମିଟରର ଡ୍ରେନ୍ ନିର୍ମାଣ ହୋଇଛି। କିନ୍ତୁ ଭୁବନେଶ୍ୱରର ସମସ୍ତ ଡ୍ରେନେଜ୍ କାମ ବିଏମ୍‌ସି ଅଧିନକୁ ଆସିବା ପରେ ପରବର୍ତ୍ତୀ କାମ ହୋଇପାରି ନଥିଲା। ଏନେଇ ବିଏମ୍‌ସି ନଗର ଉନ୍ନୟନ ବିଭାଗକୁ ପ୍ରସ୍ତାବ ପଠାଇଥିଲା।

Comment