ବାରିପଦାରୁ ରାଧାଶ୍ୟାମ ପ୍ରଧାନ

ବାରିପଦାରେ ଅନୁଷ୍ଠିତ ରଥଯାତ୍ରା ୧୯୭୫ ମସିହାରେ ରଚିଥିଲା ଏକ ଇତିହାସ, ଯାହାକୁ ଆଜି ରାଜ୍ୟ ତଥା ରାଜ୍ୟ ବାହାରେ ଅନ୍ୟମାନେ ଅନୁସରଣ କରୁଛନ୍ତି|

ବାରିପଦା ରଥ। ଦୀର୍ଘ ବର୍ଷ ବର୍ଷର ସ୍ଵାକ୍ଷର ବହନକାରୀ ସ୍ମାରକୀ। ୧୫୭୫ ମସିହାରେ ତତ୍କାଳିନ ପ୍ରଜାବତ୍ସଳ ମହାରାଜା ବୈଦ୍ୟନାଥ ଭଞ୍ଜଙ୍କ ଦ୍ଵାରା ପରିକଳ୍ପିତ ଏହି ମହାନ ପାରଂପରିକ ଯାତ୍ରା। ସେ କିମ୍ବଦନ୍ତୀ ହେଉ କିମ୍ବା ଜନଶ୍ରୁତି ହେଉ, ଉତ୍କଳୀୟ ବୈଷ୍ଣବ ଧର୍ମର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ପ୍ରତିଷ୍ଠା କରିଥିଲେ ବାରିପଦାଠାରେ।

ଶ୍ରୀହରି ବଳଦେବ ଜୀଉ ନାମରେ ସ୍ଥାପିତ ଏହି ବଡଠାକୁରଙ୍କ ପାରଂପରିକ ଯାତ୍ରା ଗୁଣ୍ଡିଚାଯାତ୍ରା। ପ୍ରତିବର୍ଷ ଚାଲି ଆସୁଥିବା ଏହି ମହାନ ପାରଂପରିକ ରଥଯାତ୍ରାରେ ଅ।ଉ ଏକ ଫର୍ଦ୍ଦ ଯୋଡି ହୋଇଥିଲା ୧୯୭୫ ମସିହା ପରଠାରୁ। ପୁରୀରେ ଯେଉଁ ଦିନ ଏହି ତିନିଠାକୁରଙ୍କ ଗୁଣ୍ଡିଚାଯାତ୍ରା ଅନୁଷ୍ଠିତ ହୋଇଥାଏ,ବାରିପଦାରେ ସେଥିରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ଏହି ଦିବସରେ କେବଳ ଶ୍ରୀଜୀଉମାନଙ୍କୁ ଗୋଟି ପହଣ୍ଡିରେ ପହଣ୍ଡି କରାଯାଇ ରଥାରୁଢ କରାଯାଇଥାଏ।

ପରବର୍ତ୍ତୀ ଦୁଇଦିନ ବ୍ୟାପି ବାରିପଦାର ବଡଦାଣ୍ଡରେ ଶ୍ରୀଜୀଉମାନଙ୍କ ରଥ ଗଡ଼ିଥାଏ ଗୁଣ୍ଡିଚାମନ୍ଦିର ଅଭିମୁଖେ। ଏହି ରଥଯାତ୍ରାରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗତ ୧୯୭୫ ମସିହା ପରଠାରୁ ଏକ ସ୍ଵତନ୍ତ୍ର ପରିଚୟରେ ପରିଚିତ ହୋଇଆସିଛି। ବିଶ୍ଵ ମହିଳା ଦିବସ ଅବସରରେ ବାରିପଦାର କିଛି ବୁଦ୍ଧିଜୀବୀ ଚିନ୍ତାନାୟକ ମାନେ ଜିଲ୍ଲା ପ୍ରଶାସନର ସହଯୋଗରେ କିଛିଟା ନୂତନତ୍ଵ ଆଣିବାର ସଂକଳ୍ପ ନେଇଥିଲେ। ତାହା ହେଉଛି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ କେବଳ ମହିଳାମାନଙ୍କୁ ଟାଣିବାର ସୁଯୋଗ ଦିଆଯାଇଥିଲା। ଏଭଳି ଏକ ନିଅ।ରା ପରଂପରାକୁ ନେଇ ବାରିପଦାର ସୁଭଦ୍ରା ରଥ ଆଜି ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ପରିଚୟ ସୃଷ୍ଟି କରିପାରିଛି।

ସେହି ବର୍ଷଠାରୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ବିଭିନ୍ନ ବୟସର ମହିଳାମାନଙ୍କ ସମେତ ବିଭିନ୍ନ ସ୍କୁଲକଲେଜର ଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରି ନିଜକୁ ଗୌରବ ମନେ କରନ୍ତି। ସେଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ପଡୋଶୀ ରାଜ୍ୟରୁ ମହିଳାମାନେ ଏଥିରେ ଅଂଶଗ୍ରହଣ କରିବାକୁ ଅ।ସିଥା’ନ୍ତି। ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥାଏ।

ଦେବୀ ସୁଭଦ୍ରାଙ୍କ ରଥ ଦଉଡି ଧରି ସେମାନେ ନିଜକୁ ଧନ୍ୟ ମନେ କରିଥାନ୍ତି ଏବଂ ସେଥିପାଇଁ ବର୍ଷଟିଏ ପୁଣି ଅପେକ୍ଷା କରିବାକୁ ପଡିଥାଏ ବୋଲି ନିଜର ଅ।ବେଗ ପ୍ରକାଶ କରିଥିଲେ ସୁଦୂର କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟରୁ ଆସିଥିବା ଅଧ୍ୟାପିକା ଡକ୍ଟର ରୁଦ୍ରାଣୀ ମହାନ୍ତି। ଏହି ରଥ ପରିଚାଳନାକୁ ଶୃଙ୍ଖଳିତ କରାଇବାକୁ ଜିଲ୍ଲାପ୍ରଶାସନ ସହିତ ସାମିଲ ହୋଇଥା’ନ୍ତି ବିଭିନ୍ନ ସ୍କୁଲ କଲେଜ ସ୍ଵେଛାସେବୀ ଛାତ୍ରୀମାନେ।

ସମଗ୍ର ବାରିପଦାର ବଡଦାଣ୍ଡରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମହିଳାମାନଙ୍କ ଆବେଗ ଉନ୍ମାଦନା ସତେ ଯେମିତି ବହୁଗୁଣିତ ହୋଇପଡିଥାଏ ମା’ ସୁଭଦ୍ରାଙ୍କ ଅ।ଶୀର୍ବାଦରେ। ଆଉ ବିଗତ ଦିନରେ ବାରିପଦାର ଯେଉଁ ବୁଦ୍ଧିଜୀବୀମାନେ ମହିଳାମାନଙ୍କୁ ସଶକ୍ତିକରଣ କରିବାର ସ୍ଵପ୍ନ ଦେଖିଥିଲେ, ଆଜି ତାହା ବାସ୍ତବରେ ପରିଣତ ହୋଇଛି ଏବଂ ତାଙ୍କ ପ୍ରଚେଷ୍ଟା ସଫଳ ହୋଇଛି।

Comment