ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନରେ ବିଜେଡିର ଗୁରୁତ୍ୱ ବଢ଼ିଛି। ଅମିତ ଶାହଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡିର ସମର୍ଥନ ଲୋଡ଼ିଛନ୍ତି।

ରାତି ପାହିଲେ ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ ଭୋଟ। ଏନଡିଏର ହରିବଂଶ ନାରାୟଣ ସିଂ ଏବଂ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ବି କେ ହରିପ୍ରସାଦଙ୍କ ଭିତରେ ହେବ ଲଢ଼େଇ। ହେଲେ ଉପା ଏବଂ ଏନଡିଏ ପାଖରେ ମ୍ୟାଜିକ୍ ସଂଖ୍ୟା ନଥିବାରୁ ଆଞ୍ଚଳିକ ଦଳମାନଙ୍କ ଉପରେ ଭରସା ବଢ଼ିଛି।

ବିଜେଡି ହାତରେ ୯ ଜଣ ସାଂସଦ ଥିବାରୁ ଉଭୟ କଂଗ୍ରେସ ଏବଂ ବିଜେପି ବିଜେଡିର ସମର୍ଥନ ପାଇଁ ଜୋରଦାର ପ୍ରୟାସ କରୁଛନ୍ତି। କିନ୍ତୁ ବିଜେଡି କାହାକୁ ସମର୍ଥନ କରିବ ସେନେଇ କୌଣସି ସ୍ପଷ୍ଟ ସଙ୍କେତ ଦେଇନି। ସବୁ ନିଷ୍ପତ୍ତି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ଛାଡ଼ି ଦିଆଯାଇଛି।

ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହୋଇଛନ୍ତି। ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ କରିବା ପାଇଁ ମୋଦି ନବୀନକୁ ଅନୁରୋଧ କରିଛନ୍ତି। ହେଲେ ନବୀନ ଏଯାଏଁ ତାଙ୍କ କାର୍ଡ ଖୋଲି ନାହାନ୍ତି।

ଗତକାଲି ବିଜେପି ରାଷ୍ଟ୍ରିୟ ସଭାପତି ଅମିତ ଶାହ, କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନବୀନଙ୍କ ସହ କଥା ହୋଇଥିଲେ। ଅମିତ ଶାହଙ୍କ ଫୋନକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ନଥମୁଣୁ ଆଜି ମୋଦିଙ୍କ ଫୋନକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ବିଜେଡିର ସମର୍ଥନ ବିଜେପି ପାଇଁ ନିହାତି ଆବଶ୍ୟକ ବୋଲି ଶାହ ଏବଂ ମୋଦିଙ୍କ ଫୋନରୁ ସ୍ପଷ୍ଟ ହୋଇଯାଇଛି।

ଏପଟେ କଂଗ୍ରେସ ପ୍ରାର୍ଥୀ ବି କେ ହରିପ୍ରସାଦ ମଧ୍ୟ ନିରାଶ ହୋଇ ନାହାନ୍ତି। ବିଜେଡି ତାଙ୍କୁ ସମର୍ଥନ କରିବ ବୋଲି ଆଶା କରିଛନ୍ତି। ସେ ଓଡ଼ିଶା କଂଗ୍ରେସର ପ୍ରଭାରୀ ରହିଥିଲେ। ଏଣୁ ସେ ନିଜେ ବିଜେଡିର ତୁଙ୍ଗ ନେତାମାନଙ୍କ ସହ ଆଲୋଚନା କରିଛନ୍ତି। ଏହାସହ କଂଗ୍ରେସ ମଧ୍ୟ ବିଜେଡି ନେତାଙ୍କ ସହ ଆଲୋଚନା ଚଳାଇଛି।

ହେଲେ ବିଜେଡି କାହାକୁ ସମର୍ଥନ କରିବ ତାହା ସ୍ପଷ୍ଟ ହୋଇନାହିଁ। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ମଙ୍ଗଳବାର କହିଥିଲେ ଯେ ୨୦୧୨ରେ ଆମ ରାଷ୍ଟ୍ରପତି ପ୍ରାର୍ଥୀ ପି ଏ ସାଙ୍ଗମାଙ୍କୁ ଜେଡିୟୁ ସମର୍ଥନ କରିଥିଲା। ଏଣୁ ଏହି ଆଧାରକୁ ନେଇ ଆମେ ବିଚାର କରିବୁ। ବିଜେଡି ମୁଖପାତ୍ରଙ୍କ ଏହି ବୟାନ ସ୍ପଷ୍ଟ କରୁଛି ଯେ ଦଳ ଏନଡିଏ ଆଡ଼କୁ ଢଳୁଛି। ହେଲେ ନବୀନ କ’ଣ ନିଷ୍ପତ୍ତି ନେଉଛନ୍ତି ତା’ ଉପରେ ନଜର ରହିଛି।

Comment