ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଗ୍‌ ବି’ଙ୍କ ମନପସନ୍ଦର ବିମାନବନ୍ଦର ତାଲିକା ମଧ୍ୟରେ ସବୁଠାରୁ ଆଗରେ ରହିଛି ଭୁବନେଶ୍ୱର ବିମାନବନ୍ଦର।

ବିଗ୍‌ ବିଙ୍କୁ ପସନ୍ଦ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦର। ନିକଟରେ ଏକ ଇଂଲିଶ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ ବିଗ୍‌ ବି’ ଅମିତାଭ ବଚ୍ଚନ ଏହା କହିଛନ୍ତି।

ବିଗ୍‌ ବି’ଙ୍କ ମନପସନ୍ଦର ଶ୍ରେଷ୍ଠ ୫ ବିମାନବନ୍ଦର ମଧ୍ୟରେ ଭୋପାଳର ରାଜାଭୋଜ ଏୟାରପୋର୍ଟ, କେରଳର କୋଚିନ୍‌ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ, ସୁଇଜରଲାଣ୍ଡର ଜୁରିକ୍‌ ଏୟାରପୋର୍ଟ ଏବଂ ୟୁକେର ହିଟ୍‌ଥ୍ରୋ ଏୟାରପୋର୍ଟ ସହ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ରହିଛି। ବିଜୁ ପଟ୍ଟନାୟକ ବିମାନବନ୍ଦର ତାଙ୍କର ପ୍ରଥମ ପସନ୍ଦ ବୋଲି ଅମିତାଭ କହିଛନ୍ତି।

ବଡ଼ ବଡ଼ ଜନଗହଳିପୂର୍ଣ୍ଣ ବିମାନବନ୍ଦରକୁ ବିଲ୍‌କୁଲ୍‌ ପସନ୍ଦ କରନ୍ତି ନାହିଁ ବଲିଉଡ୍‌ର ସୁପରଷ୍ଟାର୍‌ ଅମିତାଭ ବଚ୍ଚନ। ମେଟ୍ରୋ ସହର ପରିବର୍ତ୍ତେ ସ୍ଵଚ୍ଛ, ସୁନ୍ଦର ଓ କମ୍‌ ଗହଳିଥିବା ବିମାନବନ୍ଦରକୁ ଅଧିକ ପସନ୍ଦ କରିଥାଆନ୍ତି ବିଗ୍‌ ବି। ସେହିଭଳି ବଡ଼ ବଡ଼ ଉଡ଼ାଜାହାଜ ପରିବର୍ତ୍ତେ ଛୋଟ ଓ ଆରାମଦାୟକ ବିମାନକୁ ସେ ପସନ୍ଦ କରନ୍ତି ବୋଲି କହିଛନ୍ତି।

“ଭୁବନେଶ୍ୱର ବିମାନବନ୍ଦରକୁ ମୁଁ ବହୁତ ପସନ୍ଦ କରେ। ଏଠାକାର ଗ୍ରାଉଣ୍ଡ ଷ୍ଟାଫ୍‌ମାନେ ଖୁବ୍‌ ନମ୍ର ଏବଂ ସହଯୋଗୀ। ମେଟ୍ରୋ ସହରର ବିମାନବନ୍ଦର ତୁଳନାରେ ଏହା ଅପେକ୍ଷାକୃତ ଛୋଟ ହେଲେ ବି ଏଠାକାର ପରିଷ୍କାର ପରିଚ୍ଛନ୍ନତା ଓ ଶାନ୍ତ ପରିବେଶ ମୋତେ ଆକୃଷ୍ଟ କରେ। ଜଣକର ଆବଶ୍ୟକତା ଅନୁଯାୟୀ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ରହିଛି”, କହିଛନ୍ତି ଅମିତାଭ ବଚ୍ଚନ।

ଦିଲ୍ଲୀ, ମୁମ୍ବାଇ ଏୟାରପୋର୍ଟ ଭଳି ଏଠାରେ ପ୍ରବଳ ଭିଡ଼ ଓ ଠେଲାପେଲା ମୁଁ ଆଜିଯାଏ ଦେଖିନି। ଭୋପାଳର ଏୟାରପୋର୍ଟକୁ ଦ୍ୱିତୀୟ ସ୍ଥାନରେ ରଖିଛନ୍ତି ବିଗ୍‌ ବି’। ଏଠାକାର ପ୍ରାକୃତିକ ଲାଇଟିଂ ବ୍ୟବସ୍ଥା ଏବଂ କୋଚିନ୍‌ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ବ୍ୟବହୃତ ସୋଲାର ଶକ୍ତି ତାଙ୍କୁ ପ୍ରଭାବିତ କରିଥାଏ।

ପିଲାଦିନେ ଏୟାରଫୋର୍ସରେ ଭର୍ତ୍ତିହେବାକୁ ଚାହୁଁଥିଲେ ଅମିତାଭ। ଏଥିପାଇଁ ବିମାନ ଏବଂ ବିମାନ ଚାଳନା ପ୍ରତି ବିଗ୍ ବିଙ୍କର ବିଶେଷ ଦୁର୍ବଳତା ରହିଛି।

Comment