ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କେହି କେହି ଏହାକୁ କହୁଛନ୍ତି ନବୀନ ପଟ୍ଟନାୟକଙ୍କ ‘ଫାଇଲିନ’ ମୁହୂର୍ତ୍ତ ବା ଉଦ୍ଧାର ରାଜନୀତି। ଓଡ଼ିଶାରେ ଏକ ବିଧାନ ପରିଷଦ ଗଠନ ପାଇଁ ଚଳିତ ୬ ତାରିଖରେ ବିଧାନସଭାରେ ଆନୁଷ୍ଠାନିକ ଭାବେ ଏକ ପ୍ରସ୍ତାବ ଗୃହୀତ ହୋଇଛି। ୧୦୪ ବିଧାୟକ ଏହାକୁ ସମର୍ଥନ ଜଣାଇଥିଲେ।ଆଗରୁ ଏହି ସ୍ତମ୍ଭରେ ପ୍ରସ୍ତାବିତ ପରିଷଦ ସମର୍କରେ ଆମେ ଲେଖିଥିଲୁ।

ସମ୍ବିଧାନର ଧାରା ୧୭୧(୧) ଅନୁସାରେ ଏହି ପରିଷଦ ପ୍ରତିଷ୍ଠା ହେବ ଓ ଏଥିରେ ୪୯ ଜଣ ସଦସ୍ୟ ରହିବେ। ଏହି ୪୯ ଜଣଙ୍କ ଭିତରୁ ୧୬ ଜଣଙ୍କୁ ବିଧାୟକମାନେ ନିର୍ବାଚିତ କରିବେ। ସ୍ୱାୟତ୍ତ ଶାସନ ସଂସ୍ଥାରୁ ଆଉ ୧୬ ଜଣ ଆସିବେ।ଶିକ୍ଷକ ଓ ଅନ୍ୟ ସ୍ନାତକ ଡିଗ୍ରୀଧାରୀଙ୍କ ଭିତରୁ ୮ ନିର୍ବାଚିତ ହେବେ। ରାଜ୍ୟପାଳ ବାକି ୯ ଜଣଙ୍କୁ ମନୋନିତ କରିବେ।

ଅଧିକ ଖର୍ଚ୍ଚ

ତଥ୍ୟ ଅନୁଯାୟୀ ବିଧାନ ପରିଷଦର ସମସ୍ତ ସଦସ୍ୟ ବିଧାୟକଙ୍କ ଭଳି ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇବେ। ଦରମା ଓ ଭତ୍ତା ବାବଦକୁ ଓଡ଼ିଶା ସରକାରଙ୍କୁ ପ୍ରତି ବର୍ଷ ୩୫ କୋଟି ଖର୍ଚ୍ଚ ଭରଣା କରିବାକୁ ହେବ। ହେଲେ ଭିତ୍ତିଭୂମି, କର୍ମଚାରୀ, ସେମାନଙ୍କ ଆବାସ, ସୁରକ୍ଷା ବ୍ୟବସ୍ଥା, ବିଧାନ ପରିଷଦ ଚଳାଇବା ପାଇଁ ପ୍ରଶାସନିକ କର୍ମଚାରୀଙ୍କ ଦରମା ଇତ୍ୟାଦି ଏ ଯାଏଁ ହିସାବ ହୋଇନାହିଁ। ବିଧାନ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ କ୍ୟାବିନେଟ ମନ୍ତ୍ରୀଙ୍କ ପାହ୍ୟା ସହିତ ସମାନ କରାଯିବ। ବର୍ତ୍ତମାନ ବିଧାନସଭାର ବାର୍ଷିକ ପ୍ରଶାସନିକ ଖର୍ଚ୍ଚ ପ୍ରାୟ ୫୦ କୋଟି। ଏଣୁ ବିଧାନ ପରିଷଦ ଗଠନ ହେଲେ ଆଉ ସେତିକି ଟଙ୍କା ଖର୍ଚ୍ଚ କରାଯିବ। ଓଡ଼ିଶା ସରକାରଙ୍କ ଆର୍ଥକ ସ୍ଥିତି ଭଲ ନଥିବା ବେଳେ ଓ ସରକାରଙ୍କ ଋଣ ଭାର ୯୨ ହଜାର କୋଟି ଟଙ୍କାରେ ପହଁଚିଛି। ଏପରିସ୍ଥଳେ ବିଧାନ ପରିଷଦ ଏକ ବୋଝ ହେବ ଏଥିରେ ସନ୍ଦେହ ନାହିଁ।

ନବୀନଙ୍କ ମନରେ କ’ଣ ଅଛି?

ବିଧାନ ପରିଷଦ ଗଠନ ପଛରେ ମୁଖ୍ୟ କାରଣ ହେଉଛି ରାଜନୈତିକ ଅସୁରକ୍ଷା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଆଗାମୀ ୨୦୧୯ ନିର୍ବାଚନ ଏତେଟା ସହଜ ହେବ ନାହିଁ ବୋଲି ଆକଳନ କରାଯାଇଛି। ଯଦିଓ ନବୀନଙ୍କୁ ଗାଦିରୁ ହଟାଇବାର ତାକତ କାହାର ନାହିଁ, କିନ୍ତୁ ବିଜେଡ଼ି ଭିତରେ ସବୁ କିଛି ଠିକ୍ ଚାଲିନାହିଁ। ଅଠର ବର୍ଷ ଧରି ଗୋଟିଏ ଦଳକୁ ଭୋଟ ଦେଇ ଚାଲିଥିବା ଭୋଟରମାନେ ଏଥର କିଛି ପରିବର୍ତ୍ତନ ଚାହିଁ ପାରନ୍ତି ବୋଲି ଅନୁମାନ କରାଯାଉଛି। ଏହା ହେଉଛି ଭୋଟ ରାଜନୀତିର ଏକ ଧାରା। ତାଛଡ଼ା ଶାସକ ଦଳର ଅନେକ ନେତାଙ୍କ ବିରୋଧରେ ସଙ୍ଗୀନ ଦୁର୍ନୀତି ମାମଲା ରହିଛି। ଏଣୁ ଏସବୁ ନବୀନଙ୍କ ନେତୃତ୍ୱ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଶାସକ ଦଳ ଚିନ୍ତା କରି ଦେଖିଛି। ରାଜନୀତି ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ଆସନ୍ତା ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଆଉ କାମ ଦେବନାହିଁ। ନିଜ ଭାବମୂର୍ତ୍ତି ଅପେକ୍ଷା ଦଳର ଭାବମୂର୍ତ୍ତି ଅଧିକ ଜରୁରୀ ହୋଇପଡ଼ିଥିବାରୁ ନବୀନ ଚାହୁଁଛନ୍ତି ଏଭଳି ପ୍ରାର୍ଥୀଙ୍କୁ ଟିକେଟ ଦେବେ ଯେଉଁମାନଙ୍କ ଦେହରେ ଦୁର୍ନୀତି ଓ ଅପରାଧର ଛିଟା ଲାଗିନଥିବ।

କିଏ ଯିବେ, କିଏ ରହିବେ?

ବର୍ତ୍ତମାନର ବିଧାନସଭାରେ ଶାସକ ବିଜେଡିର ପ୍ରାୟ ୫୦ ଜଣ ବିଧାୟକ ଅଛନ୍ତି ଯେଉଁମାନେ ଦୁଇ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇସାରିଲେଣି।ଆହୁରି ମଧ୍ୟ ବେଶ୍ କିଛି ବିଧାୟକ ଅଛନ୍ତି ଯେଉଁମାନେ ବିଭିନ୍ନ ସ୍କାମରେ ଜଡ଼ିତ। ବିଶେଷ କରି ଚିଟଫଣ୍ଡ ଦୁର୍ନୀତିରେ ଲିପ୍ତ ରହିଥିବା ବିଧାୟକମାନେ ଦଳ ପ୍ରତି ଢେର କ୍ଷତି ସାଧନ କରିଛନ୍ତି ବୋଲି ନବୀନଙ୍କ ହୃଦୟଙ୍ଗମ ହୋଇଛି। ଏହି ପରିସ୍ଥିତିରେ ବର୍ତ୍ତମାନ ବିଧାୟକ ଥିବା ଅନେକଙ୍କୁ ୨୦୧୯ ମହାସମରରେ ନବୀନ ଟିକେଟ ଦେବେ ନାହିଁ ଏହା ସୁନିଶ୍ଚିତ। ଖାଲି ସେତିକି ନୁହେଁ କିଛି ସାଂସଦ ମଧ୍ୟ ନିଜେ ବଦନାମ ହୋଇଛନ୍ତି ଓ ସେମାନଙ୍କ କାର୍ଯ୍ୟକଳାପ ସେଭଳି ଆଖିଦୃଶିଆ ହୋଇପାରିନାହିଁ। ଏମାନଙ୍କୁ ମଧ୍ୟ ଟିକେଟ ମିଳିବାର ସମ୍ଭାବନା ନାହିଁ। କିନ୍ତୁ ଏଥିରେ ସମସ୍ୟା ବି ରହିଛି। ନବୀନ ପଟ୍ଟନାୟକ ଚାହୁଁ ନାହାଁନ୍ତି ଭୋଟ ବର୍ଷରେ କାହା ମନରେ ଅସନ୍ତୋଷ ସୃଷ୍ଟି ହେଉ। ଆଉ ବିଧାନ ପରିଷଦ ହେଉଛି ତାର ଉତ୍ତର।

Comment