ଓଡ଼ିଶାଲାଇଭ୍‌ ବ୍ୟୁରୋ

“୨୦୧୩୦ ସୁଦ୍ଧା ୩୦୦ ମିଲିୟନ ଟନ୍ ଇସ୍ପାତ ସାରା ଦେଶରୁ ଉତ୍ପାଦନ କରିବାକୁ ଲକ୍ଷ୍ୟ ରହିଛି। ୨୦୧୭ର ଇସ୍ପାତ ନୀତି ଅନୁଯାୟୀ ଏହି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ କେବଳ ଓଡ଼ିଶାରୁ ଏକ ତୃତୀୟାଂଶ ଇସ୍ପାତ ଉତ୍ପାଦନ କରିବାର ଲକ୍ଷ୍ୟ ରହିଛି। ଏଣୁ ରାଜ୍ୟ ସରକାର ୫୦୦ ଏକର ଜମି ଯୋଗାଇ ଦେଲେ ଓଡ଼ିଶାରେ ମେସିନ ଟୁଲ୍ ପାର୍କ ନିର୍ମାଣ ହେବ”, କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନନ୍ତ ଗୀତେ।

କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ ଆଜି ଭୁବନେଶ୍ୱରରେ ଆୟୋଜନ କରାଯାଇଥିଲା ଦିନିକିଆ ସମ୍ମିଳନୀ। ଏହାର ଶୀର୍ଷକ ରହିଥିଲା ‘କ୍ୟାପିଟାଲ ଗୁଡ୍‌ସ ଫର୍ ଷ୍ଟିଲ ସେକ୍ଟର ମାନୁଫାକ୍ଚର ଇନ ଇଣ୍ଡିଆ’। ଏହି କନକ୍ଲେଭରେ ଯୋଗ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ବୀରେନ୍ଦ୍ର ସିଂ, ଅନନ୍ତ ଗୀତେ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କେନ୍ଦ୍ରମନ୍ତ୍ରୀ ବୀରେନ୍ଦର ସିଂ କହିଥିଲେ ଯେ ଓଡ଼ିଶାରେ ଷ୍ଟିଲ ସେକ୍ଟରର ଭବିଷ୍ୟତ ଉଜ୍ଜଳ। ଷ୍ଟିଲ ଶିଳ୍ପ ସେକ୍ଟରକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି। ଓଡ଼ିଶାରୁ ୧୦୦ ନିୟୁତ ଟନ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ରହିଛି।

“ଓଡ଼ିଶାରେ ଇସ୍ପାତ ଉତ୍ପାଦନ ଗତ କିଛିବର୍ଷ ହେଲା ହ୍ରାସ ପାଇଛି। ଭିଜନ-୨୦୩୦ ଯୋଜନାରେ ଇସ୍ପାତ ଉତ୍ପାଦନକୁ ଆମେ ବୃଦ୍ଧି କରିବା ପାଇଁ ଉଦ୍ୟମ ଜାରି ରଖିଛୁ। ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ଆମେ ଅନେକ ଯୋଜନା କରିଛୁ। ଇସ୍ପାତ ଶିଳ୍ପ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ଲାଗି ଆମ ସରକାର ପ୍ରୟାସ ଜାରି ରଖିଛନ୍ତି”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଗତ ୨୦ ବର୍ଷ ଭିତରେ ଓଡ଼ିଶାରେ ସାମୁଦ୍ରିକ କାରବାର ୧୦ ଗୁଣା ବୃଦ୍ଧି ପାଇଛି। ବିଜୁଳି ଉତ୍ପାଦନ ୩ ଗୁଣା ବୃଦ୍ଧି ପାଇଛି। ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବ୍ୟାପକ ସୁଯୋଗ ରହିଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଦେଶରେ ପ୍ରତିଷ୍ଠା ହେବାକୁ ଥିବା ୧୨ଟି ବାୟୋ ଫୁଏଲ ଉତ୍ପାଦନ କେନ୍ଦ୍ର ମଧ୍ୟରୁ ଓଡ଼ିଶାରେ ଗୋଟିଏ ହେବ। ଓଡ଼ିଶାରେ ଶିଳ୍ପାୟନକୁ ଆହୁରି ଆଗକୁ ନିଆଯିବ।”

Comment