ଓଡିଶାଲାଇଭ ବ୍ୟୁରୋ

ଆକା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧର୍ମ ମୋର। ଏମିତି କହି ଡଙ୍ଗା ଭସାଣ କରୁଛନ୍ତି ଶ୍ରଦ୍ଧାଳୁ। ଏଥିପାଇଁ ବିଭିନ୍ନ ଜଳାଶୟରେ ବଡ଼ି ଭୋରରୁ ଭିଡ଼ ଲାଗିଛି। ଲୋକେ ଭୋର୍‌ରୁ ଉଠି ସ୍ନାନ କରି ଜଳାଶୟ ଗୁଡ଼ିକରେ ଡଙ୍ଗା ଭସାଉଛନ୍ତି। ଓଡ଼ିଶାର ପୂର୍ବ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଲୋକେ ଏହି ଡଙ୍ଗା ଭସାଣ କରୁଛନ୍ତି। କିଏ କଦଳୀ ପାଟ୍ଟୁକାରେ ଡଙ୍ଗା ଭସାଉଛି ତ କିଏ ରଙ୍ଗବେରଙ୍ଗ କାଗଜ ଡଙ୍ଗା ମଧ୍ୟ ଭସାଉଛନ୍ତି।

କାର୍ତ୍ତିକ ପୂର୍ଣ୍ଣିମା ମହତ୍ତ୍ୱ

ହିନ୍ଦୁଧର୍ମରେ କାର୍ତ୍ତକ ପୂର୍ଣ୍ଣିମାର ବିଶେଷ ଗୁରୁତ୍ୱ ରହିଛି। ଏହି ପୂର୍ଣ୍ଣିମାକୁ ରାସ ପୂର୍ଣ୍ଣିମା ଓ ତ୍ରିପୁରା ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଆଜିର ଦିନରେ ଦାନ କଲେ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ମାନ୍ୟତା ରହିଛି ଯେ, ଆଜିର ଦିନରେ ଭଗବାନ ଶିବ ରାକ୍ଷସ ତ୍ରିପୁରାସୁରକୁ ବଧ କରିଥଲେ। ଯେଉଁଥିପାଇଁ ଏହାକୁ ତ୍ରିପୁରା ପୂର୍ଣ୍ଣିମା କୁହାଯାଏ।

ଅଧିକାଂଶ ଲୋକ ଏହି ପବିତ୍ର ଦିନରେ ଗଙ୍ଗାରେ ସ୍ନାନ କରିଥାନ୍ତି। ଏହିଦିନରେ ଗରିବମାନଙ୍କୁ ଚାଉଳ ଦାନ କରିବା, ଘରର ଦ୍ୱାରରେ ମୁରୂଜ ପକାଇବା ଶୁଭଙ୍କର ହୋଇଥାଏ ବୋଲି ବଶ୍ୱାସ ରହିଛି ଏବଂ ଶିବଲିଙ୍ଗରେ ଜଳ ଢାଳିଲେ ସୁଖ ସମୃଦ୍ଧି ପ୍ରାପ୍ତି ହୁଏ ବୋଲି କୁହାଯାଏ।

ଓଡ଼ିଶାରେ ଆଜିର ଦିନକୁ ବିଶେଷ ଭାବେ ଲୋକମାନେ ପାଳନ କରିଥାନ୍ତି। ଓଡ଼ିଶାରେ ଏହାକୁ କାର୍ତ୍ତିକ ପୂର୍ଣ୍ଣିମା ବା ବୋଇତ ବନ୍ଦାଣ ବୋଲି କୁହାଯାଏ। ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବାର  ଉତ୍ସବ ଭାବେ ଏହା ପାଳନ କରାଯାଏ।

ଭଳିକି ଭଳି ବୋଇତ ଓ ଡଙ୍ଗା ନଦୀ, ପୋଖରୀ ଆଦି ଜଳାଶୟରେ ଭସାଇ ଓଡ଼ିଆ ଘରର ଲୋକେ ପ୍ରାଚୀନ ସ୍ମୃତି ମନେ ପକାଇଥାନ୍ତି। ଏଥିସହ ସରିବାକୁ ଯାଉଛି ପବିତ୍ର ଧର୍ମ ମାସ କାର୍ତ୍ତିକ ମାସ।

Comment