ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲେଖାଶ୍ରୀଙ୍କ ବଡ଼ ଅଭିଯୋଗ। ବରବାଟୀକୁ ଆସିବା ପାଇଁ ସଲମାନଙ୍କୁ ରାଜ୍ୟ ସରକାର ଦେଇଛନ୍ତି ୧ କୋଟି ୮୯ ଲକ୍ଷ ଟଙ୍କା।

ହକି ବିଶ୍ଵକପ୍‌ର ଦ୍ୱିତୀୟ ଉଦଘାଟନୀ ଉତ୍ସବରେ ବଲିଉଡ ସୁପରଷ୍ଟାର ସଲମାନ ଖାନ୍ ଯୋଗଦେବାକୁ ନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଉଠାଇଛନ୍ତି ପ୍ରଶ୍ନ। ସଲମାନଙ୍କୁ ଓଡ଼ିଶା ସରକାର ୧ କୋଟି ୮୯ ଲକ୍ଷ ଟଙ୍କା ଦେଇ ବାରବାଟୀ ଷ୍ଟାଡିୟମକୁ ଆଣିଥିଲେ ବୋଲି ଲେଖାଶ୍ରୀ ଟୁଇଟ କରିଛନ୍ତି। ଏହାକୁ ନେଇ ରାଜନୀତିରେ ଝଡ଼ ଉଠିଛି।

ଲେଖାଶ୍ରୀ ଟୁଇଟ କରିଛନ୍ତି, “ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରମୋଶନ ଏବଂ ପ୍ରଚାର ପ୍ରସାର କରିବା ପାଇଁ ସଲମାନଙ୍କୁ କଟକ ଆଣିଥିଲେ। ଏଥିପାଇଁ ସଲମାନଙ୍କୁ ୧ କୋଟି ୮୯ ଲକ୍ଷ ଟଙ୍କା ଦିଆଯାଇଛି। ଏହା ଲଜ୍ଜାଜନକ ଘଟଣା।”

ରାଜ୍ୟ ସରକାର ଯେଉଁ ଟଙ୍କା ସଲମାନଙ୍କୁ ଦେଇଛନ୍ତି ତାହା କାହାର ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି। ଏହି ଟଙ୍କା ଓଡ଼ିଶା ଲୋକଙ୍କର ଝାଳବୁହା ଟଙ୍କା ବୋଲି ବିଜେପି ନେତ୍ରୀ କହିଛନ୍ତି। ଏହାସହ ସେ ସଲମାନଙ୍କୁ ଦିଆଯାଇଥିବା ଚେକ୍‌ର ଫଟୋ ମଧ୍ୟ ଟୁଇଟରରେ ପୋଷ୍ଟ କରି ରାଜନୀତିରେ ହଇଚଇ କରିଛନ୍ତି।

ଖାଲି ସେତିକି ନୁହେଁ, ହକି ବିଶ୍ଵକପ୍‌ ପାଇଁ ଦୁଇଟି ଉଦଘାଟନୀ ଉତ୍ସବ କରିବାକୁ କିଏ ଅନୁମତି ଦେଲା ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି। ଦୁଇଟି ଉଘାଟନୀ ଉତ୍ସବ ପଛରେ ରାଜନୀତି ରହିଛି ବୋଲି ସେ ଟୁଇଟ କରିଛନ୍ତି।

ଲେଖାଶ୍ରୀଙ୍କ ଟୁଇଟକୁ ନେଇ ଝଡ଼ ଉଠିବା ପରେ ବିଜେଡି ଜବାବ ଦେଇଛି। ବିଜେଡି ମୁଖପାତ୍ର ସୁଲୋଚନା ଦାଶ କହିଛନ୍ତି, “ଲେଖାଶ୍ରୀ ଯେଉଁ ଅଭିଯୋଗ କରିଛନ୍ତି ତାହା ସମ୍ପୂର୍ଣ୍ଣ ମିଛ ଏବଂ ଭିତ୍ତିହୀନ। ସଲମାନଙ୍କ ସମ୍ପୂର୍ଣ୍ଣ ଖର୍ଚ୍ଚ ହକି ଇଣ୍ଡିଆ ପକ୍ଷରୁ ଦିଆଯାଇଛି। ସେ ଯାହା ବି ଫି’ ନେଇଛନ୍ତି ହକି ଇଣ୍ଡିଆର ପ୍ରାୟୋଜକମାନେ ଦେଇଛନ୍ତି। ଭୁବନେଶ୍ୱର ଏବଂ କଟକ ଉତ୍ସବ ପାଇଁ ହକି ଇଣ୍ଡିଆ ଟଙ୍କା ଦେଇଛି। ଲେଖାଶ୍ରୀ ବିଭ୍ରାନ୍ତିକର ତଥ୍ୟ ଦେଉଥିବାରୁ ସେ ଓଡ଼ିଶାବାସୀଙ୍କୁ ଭୁଲ୍ ମାଗନ୍ତୁ।”

Comment