ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଇଶା ଅମ୍ବାନିଙ୍କ ବିବାହ ଉତ୍ସବରେ ଯୋଗଦେଲେ ହିଲାରୀ କ୍ଲିଣ୍ଟନ ଓ ପପ୍‌ ସିଙ୍ଗର ବେୟୋନ୍‌ସ।

ଆରମ୍ଭ ହୋଇଯାଇଛି ଶିଳ୍ପପତି ମୁକେଶ ଅମ୍ବାନିଙ୍କ ସୁପୁତ୍ରୀ ଇଶା ଅମ୍ବାନିଙ୍କ ବିବାହ ଉତ୍ସବ। ସେଥିପାଇଁ ରାଜସ୍ଥାନର ଉଦୟପୁରରେ ଆୟୋଜିତ ହୋଇଛି ଭବ୍ୟ ସମାରୋହ। ଡିସେମ୍ବର ୭ରୁ ଆରମ୍ଭ ହୋଇ ୧୪ପର୍ଯ୍ୟନ୍ତ ହେବ ଏହି ଆଡ଼ମ୍ବରପୂର୍ଣ୍ଣ ବିବାହ ଉତ୍ସବ।

ଏହି ପ୍ରି-ୱେଡିଙ୍ଗ୍‌ ସେଲିବ୍ରେସନରେ ଦେଶ ବିଦେଶର ବହୁ ନାମୀଦାମୀ ହସ୍ତି ଯୋଗଦେଇଛନ୍ତି। ଆମେରିକାର ପ୍ରଥମ ମହିଳା ତଥା ୨୦୧୬ ମସିହାର ଡିମୋକ୍ରାଟ୍‌ର ରାଷ୍ଟ୍ରପତି ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନ ଓ ବିଖ୍ୟାତ ପପ୍‌ ସିଙ୍ଗର ବେୟୋନ୍‌ସ ଏହି ଉତ୍ସବରେ ଯୋଗଦେଇଛନ୍ତି।

ଡିସେମ୍ବର ୧୨ରେ ପିରାମଲ୍‌ ଗ୍ରୁପ୍‌ ଅଧ୍ୟକ୍ଷ ଅଜୟ ପିରାମଲ୍‌ଙ୍କ ପୁଅ ଆନନ୍ଦ ପିରାମଲ୍‌ଙ୍କୁ ଇଶା ଅମ୍ବାନି ବିବାହ କରୁଛନ୍ତି। ଖେଳ, ଉଦ୍ଦ୍ୟୋଗ ଓ ମନୋରଞ୍ଜନ ଜଗତର ବହୁ ବରିଷ୍ଠ ଲୋକମାନେ ଏହି ବିବାହ ଉତ୍ସବରେ ଯୋଗଦେଇଛନ୍ତି। ରବିବାର ଇଶାଙ୍କ ସଂଗୀତ ଉତ୍ସବରେ ନବବିବାହିତା ଦମ୍ପତି ଦୀପିକା ଓ ରଣବୀର ଯୋଗ ଦେଇଥିଲେ। ଏହି ଉତ୍ସବରେ ରଣବୀରଙ୍କ ଜଲୱା ଦେଖିବାକୁ ମିଳିଥିଲା। ଜବରଦସ୍ତ ଡ୍ୟାନ୍ସ କରି ଉତ୍ସବର ଶୋଭା ବଢ଼େଇଥିଲେ ରଣବୀର।

ବିବାହ ଉତ୍ସବକୁ ଦୃଷ୍ଟିରେ ରଖି ୪ଦିନିଆ ‘ଅନ୍ନ ସେବା’ ବ୍ୟବସ୍ଥା କରାଯାଇଛି। ଡିସେମ୍ବର ୭ରୁ ଆରମ୍ଭ ହୋଇ ଅନ୍ନ ସେବା କାର୍ଯ୍ୟକ୍ରମ ଡିସେମ୍ବର ୧୦ ପର୍ଯ୍ୟନ୍ତ ଚାଲିବ। ଅନ୍ନସେବା ବ୍ୟବସ୍ଥାରେ ପ୍ରତିଦିନ ୫,୧୦୦ଲୋକଙ୍କୁ ତିନି ଓଳି ଖାଇବାକୁ ଦିଆଯାଉଛି।

ଉତ୍ସବକୁ ଆହୁରି ସ୍ୱତନ୍ତ୍ର କରୁଛି ଆୟୋଜିତ ହୋଇଥିବା ସ୍ୱଦେଶୀ ବଜାର। ଏହି ସ୍ୱଦେଶୀ ବଜାରରେ ଭାରତର ବିଭିନ୍ନ ଅଂଶରୁ ୧୦୮ଟି ପାରମ୍ପରିକ ଭାରତୀୟ କଳାକୃତିର ପ୍ରଦର୍ଶନ କରାଯାଇଛି। ଏହି ସ୍ୱଦେଶୀ ବଜାରରେ ବୁଲୁଥିବା ସମୟରେ ନୀତା ଅମ୍ବାନି ଓ ଇଶା ଅମ୍ବାନିଙ୍କ ସହ ନଜରରେ ଆସିଥିଲେ ହିଲାରୀ କ୍ଲିଣ୍ଟନ।

ବିବାହରେ ବଲିଉଡର ବହୁ ନାମୀଦାମୀ କଳାକାରମାନେ ଯୋଗ ଦେଇଥିଲେ। ଶାହରୁଖ୍‌ ଖାନ, ସଲମାନ ଖାନ, ଅମୀର ଖାନ, ଜନ୍‌ ଆବ୍ରାହମ, ପ୍ରିୟଙ୍କା ଚୋପ୍ରା, ନିକ୍‌ ଜୋନ୍‌ସ, ବିଦ୍ୟା ବାଲନ, କରିଶ୍ମା କପୁର, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାଏ ବଚ୍ଚନ ଭଳି ବଲିଉଡ କଳାକାରମାନେ ଏହି ହାଇପ୍ରୋଫାଇଲ ବାହାଘରରେ ଯୋଗ ଦେଇଥିଲେ।

Comment