ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଶାସକ ବିଜେଡି ଓ ବିଜେପି ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସୃଷ୍ଟି ହେଉଥିବା ବିବାଦ ଥମିବା ନାଁ ଧରୁନାହିଁ। ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରତ ଗସ୍ତକୁ ନେଇ ଏବେ ଏକ ନୂଆ ବିବାଦ ଛିଡ଼ା ହୋଇଛି। ରାଫେଲ ଦୁର୍ନୀତିରେ ସଫେଇ ଦେବାକୁ ଭୁବନେଶ୍ୱର ଆସିଥିବା ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ନବୀନଙ୍କ ଏହି ଗସ୍ତକୁ ନେଇ ଜୋର ବର୍ଷିଛନ୍ତି।

ନବୀନଙ୍କ ଏହି ଗସ୍ତ ପଛରେ ରାଜନୀତି ରହିଛି ବୋଲି ରୂପାଣୀ ସିଧାସଳଖ ନବୀନଙ୍କୁ ଟାର୍ଗେଟ କରିଛନ୍ତି। ୨୦୧୯ ନିର୍ବାଚନ ଆଗକୁ ଆସୁଥିବା ବେଳେ ନବୀନ ଯେଉଁ ଉଦ୍ଦେଶ୍ୟ ନେଇ ସୁରତ ଯାଉଛନ୍ତି ତାହା ପୂରା ରାଜନୈତିକ ବୋଲି ବିଜେପି ରାଜ୍ୟ ନେତାମାନେ ମଧ୍ୟ  ଅଭିଯୋଗ କରିଛନ୍ତି। ସୁରତରେ ରହୁଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ଆୟୋଜିତ ମହୋତ୍ସବରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇଥିଲେ। ତାଙ୍କ ରାଜ୍ୟକୁ ଇଏ ଯିବା ଓ ୟାଙ୍କ ରାଜ୍ୟକୁ ସିଏ ଆସିବା ଏକ କାକତାଳିକ ଘଟଣା ହୋଇପାରେ। କିନ୍ତୁ ଏଥିରେ କେହି କାହାକୁ ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି।

ବିଜୟ ରୂପାଣୀ

ରୂପାଣୀ ପଚାରିଛନ୍ତି ଅଠର ବର୍ଷ ହେଲା କ୍ଷମତାରେ ରହିଥିବା ନବୀନ ପଟ୍ଟନାୟକଙ୍କୁ ସୁରତ କଥା ଏବେ କାହିଁକି ମନେ ପଡ଼ିଲା? ଆଗରୁ ସେ କାହିଁକି ଯାଉନଥିଲେ? ନିଜେ ଓଡ଼ିଶା ଆସିବା ପ୍ରସଙ୍ଗରେ ସେ କହିଛନ୍ତି ଏଥିରେ କୌଣସି ରାଜନୀତି ନାହିଁ। ଗୁଜରାଟରେ ଏବେ ବିଧାନସଭା ନିର୍ବାଚନ ହେଉନାହିଁ ଓଡ଼ିଶାରେ ତାହା ହେବାକୁ ଯାଉଛି।ଏଣୁ କିଏ ରାଜନୀତି କରୁଛନ୍ତି ସେ କଥା ସହଜରେ ଜାଣିହେବ ବୋଲି ରୂପାଣୀ କଡ଼ା ଶବ୍ଦରେ ତାଙ୍କ ବିବୃତି ରଖିଛନ୍ତି।

ସତ କଥା ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହଠାତ ସୁରତ ଗସ୍ତକୁ ବିରୋଧୀ ଦଳ ରାଜନୀତି ଦୃଷ୍ଟିରେ ଦେଖୁଛନ୍ତି ଓ ଏହା ପଛରେ କାରଣ ବି ରହିଛି। ଉଲ୍ଲେଖ କରିବାର କଥା ଯେ ସୁରତରେ ଦଶ ଲକ୍ଷ ଓଡ଼ିଆ ଅଛନ୍ତି। ଏମାନଙ୍କ ମଧ୍ୟରୁ କେବଳ ଗଞ୍ଜାମର ୭ ଲକ୍ଷ। ଗଞ୍ଜାମ ହେଉଛି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା। ସାଧାରଣତଃ ବିଧାନସଭା ନିର୍ବାଚନ ବେଳକୁ ଅଧିକାଂଶ ସୁରତ ଓଡ଼ିଆ ନିଜ ନିଜ ଗାଁକୁ  ଆସି ଭୋଟ ଦେଇଥାନ୍ତି। ଏଣୁ ଏହି ଭୋଟରମାନଙ୍କ ମନ କିଣିବା ପାଇଁ ନବୀନ ସୁରତ ଯାଇଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହେବା ସ୍ୱାଭାବିକ। କେବଳ ବିଜେପି ନୁହେଁ କଂଗ୍ରେସ ପକ୍ଷରୁ ମଧ୍ୟ ଅନୁରୂପ ଅଭିଯୋଗ କରାଯାଉଛି। କଂଗ୍ରେସ ନେତା ନରସିଂହ ମିଶ୍ର ନବୀନ ପଟ୍ଟନାୟକଙ୍କ ସୁରତ ଯିବା ଘଟଣାକୁ ରାଜନୈତିକ ଚାଲ ବୋଲି କହିଛନ୍ତି।

ବିଜୟ ରୂପାଣୀଙ୍କ କଟାକ୍ଷ କେବଳ ରାଜନୀତିରେ ସୀମିତ ରହିନାହିଁ। ଓଡ଼ିଶାର ଲୋକଙ୍କ ଭଲ  ପାଇଁ ମୋଦି ସରକାରଙ୍କ ଆୟୁଷମାନ ଯୋଜନାକୁ ଗ୍ରହଣ କରିବା ପାଇଁ ସେ ନବୀନଙ୍କୁ ଅନୁରୋଧ କରିଛନ୍ତି। ନବୀନଙ୍କୁ ସମାଲୋଚନା କରିବାକୁ ଯାଇ ରୂପାଣୀ ଏକଥା ବି କହିଛନ୍ତି ଯେ ଗୁଜରାଟରେ ଓ ବିଶେଷ କରି ସୁରତରେ ରହୁଥିବା ଓଡ଼ିଆଙ୍କ ପାଇଁ ତାଙ୍କ ସରକାର ଢେର କାମ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓ ମୁଖ୍ୟମନ୍ତ୍ରୀ ଆବାସ ଯୋଜନାରେ ବେଶ୍ କିଛି ଓଡ଼ିଆ ଲୋକଙ୍କୁ ଭଲ ଘର ଯୋଗାଇ ଦିଆଯାଇଛି ବୋଲି ରୂପାଣୀ ଦୃଢ଼ ଭାବରେ କହିଛନ୍ତି।

ନବୀନଙ୍କ ସୁରତ ଗସ୍ତକୁ ରାଜନୀତି ବୋଲି ବିଜେପି କହିଥିବା ବେଳେ ବିଜଦର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ ନବୀନଙ୍କ ଏହି ଗସ୍ତକୁ ନେଇ ବିଜେପି ଡରିଯାଇଛି। ତେଣେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କହିବା କଥା ହେଉଛି  ସୁରତରେ ରହୁଥିବା ଓଡ଼ିଆମାନେ ବିଜେପିକୁ ଭୋଟ ଦେବା ପାଇଁ ମନସ୍ଥ କରିସାରିଲେଣି ଓ ନବୀନ ସେମାନଙ୍କ ପାଇଁ କେବଳ  କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।

ନବୀନଙ୍କ ସୁରତ ଗସ୍ତକୁ ନେଇ କଂଗ୍ରେସରେ ତ୍ରିଶଙ୍କୁ ଅବସ୍ଥାରେ ଥିବା ନେତା ଶ୍ରୀକାନ୍ତ ଜେନା କହିଛନ୍ତି ଯେ ନବୀନଙ୍କ ଏହା ଏକ ଡ୍ରାମା। ଭୋଟ କିଣିବା ପାଇଁ ନବୀନ ସେଠାକୁ ଯାଇଛନ୍ତି ବୋଲି ଶ୍ରୀକାନ୍ତ କହିଛନ୍ତି।ସୁରତରେ ରହୁଥିବା ଓଡ଼ିଆଙ୍କୁ ଭେଟିବାକୁ ନଯାଇ ଏଠି ଓଟିଏମ୍ ଭଳି ଲୁଗା କଳ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରିବା ଦରକାର ବୋଲି ଶ୍ରୀକାନ୍ତ ଯୁକ୍ତି ବାଢ଼ିଛନ୍ତି।

ଏହିଭଳି ଆରୋପ ଦୋଷାରୋପ ଭିତରେ ସୁରତର ଦାଦନ ଶ୍ରମିକମାନେ ୨୦୧୯ରେ କାହାକୁ ଭୋଟ ଦେବେ ସେ କଥା ଏବେଠାରୁ କହିବା କଷ୍ଟ। କିନ୍ତୁ ସେ ଯାଏଁ ରାଜନୀତିକ ବୟାନବାଜି ଚାଲିବ ଏହା ନିଶ୍ଚିତ।

Comment