ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଶସ୍ତା ହେବ ଟିଭି, ସିନେମା ଟିକେଟ୍, କମ୍ପ୍ୟୁଟର ମନିଟର, ପାୱାର ବ୍ୟାଙ୍କ, ୟୁପିଏସ୍, ଟାୟାର, ଏସି, ଡିଜିଟାଲ କ୍ୟାମେରା, ୱାସିଙ୍ଗ ମେସିନ୍, ପାଣି ଗରମ କରିବା ମେସିନ ଏବଂ କୃଷି ଉପକରଣ।“

ଦେଶବାସୀଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି ମୋଦି ସରକାର। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଅଧ୍ୟକ୍ଷତାରେ ଜିଏସଟି ପରିଷଦର ୩୧ତମ ବୈଠକରେ ସରକାର ୩୩ଟି ସାମଗ୍ରୀ ଉପରେ ଦର ହ୍ରାସ କରିବା ନେଇ ନିଷ୍ପତ୍ତି ନେଇଛନ୍ତି।

ଜିଏସଟି ହାର ୧୮ ପ୍ରତିଶତରୁ ହ୍ରାସ ପାଇ ୧୨ ଓ ୫ ପ୍ରତିଶତ ରଖାଯାଇଛି। ୭ଟି ସାମଗ୍ରୀରେ ୨୮ ପ୍ରତିଶତରୁ ହ୍ରାସ ପାଇ ୧୮ ପ୍ରତିଶତରେ ରଖାଯାଇଛି। ୨୬ଟି ସାମ୍ରଗୀକୁ ୧୮ ପ୍ରତିଶତରୁ ହ୍ରାସ ପାଇ ୧୨ ପ୍ରତିଶତ ରଖାଯାଇଛି। କେବଳ ୩୪ଟି ସାମଗ୍ରୀକୁ ଛାଡ଼ିଦେଲେ ବାକି ସମସ୍ତ ବସ୍ତୁ ୧୮ ପ୍ରତିଶତ ତଳେ ରହିଛି । ଏବେ ୧୮ ପ୍ରତିଶତ ଜିଏସଟି ଆଦାୟ କରାଯାଉ ଥିବା ବସ୍ତୁରେ ୧୨ ପ୍ରତିଶତ ଜିଏସଟି ଲାଗୁ କରାଯିବ ।

କେଉଁ ସାମଗ୍ରୀ ହେଲା ଶସ୍ତା ?

ଜିଏସଟି ପରିଷଦର ବୈଠକରେ ବହୁ ମହଙ୍ଗା ଜିନିଷ ଶସ୍ତା ହୋଇଛି। ଟିଭି, ସିନେମା ଟିକେଟ୍, କମ୍ପ୍ୟୁଟର ମନିଟର, ପାୱାର ବ୍ୟାଙ୍କ, ୟୁପିଏସ୍, ଟାୟାର, ଏସି. ଡିଜିଟାଲ କ୍ୟାମେରା, ୱାସିଙ୍ଗ ମେସିନ୍, ପାଣି ଗରମ କରିବା ମେସିନ, ଏବଂ କୃଷି ଉପକରଣ ସାମଗ୍ରୀ ଏବଂ ସିମେଣ୍ଟ ଶସ୍ତା ହୋଇଛି। ଏହି ସବୁ ସାମଗ୍ରୀରେ ଟ୍ୟାକ୍ସ ୨୮ ପ୍ରତିଶତରୁ କମ କରି ୧୮ ପ୍ରତିଶତକୁ ଅଣାଯାଇଛି। ସିମେଣ୍ଟରେ ଦାମ୍ କମ୍ କରି ନିର୍ମାଣ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିଛି ।

କେଉଁ ସାମଗ୍ରୀ ମହଙ୍ଗା ?

ଥଣ୍ଡା ପାନୀୟ, ସିଗାରେଟ, ତମ୍ବାଖୁ, ପାନ ମସଲା, ବିମାନ, ବାହାନ, ପିସ୍ତଲ ଆଦି ସାମଗ୍ରୀ ଗୁଡିକୁ ୨୮ ପ୍ରତିଶତ ଜିଏସଟି ଶ୍ରେଣୀରେ ରଖା ଯାଇଛି । ଶନିବାର ବସିଥିବା ଜିଏସଟି କାଉନସିଲର ୩୧ତମ ବୈଠକ ପରେ ପଣ୍ଡିଚେରୀ ଉପ-ମୁଖ୍ୟମନ୍ତ୍ରୀ ଏନ.ନାରାୟଣସ୍ୱାମୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏସବୁ ସାମଗ୍ରୀ ଉପରୁ ଟିକସ ହ୍ରାସ ପାଇଁ କଂଗ୍ରେସ ଦାବି କରିଆସୁଥିଲା। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ଜିଏସଟି ଲାଗୁ ହୋଇଥିବା ପ୍ରାୟ ୧୨ଶହ ସାମଗ୍ରୀ ମଧ୍ୟରୁ ୯୯ ପ୍ରତିଶତ ସାମଗ୍ରୀର ଜିଏସଟି ହାର ୧୮ ପ୍ରତିଶତ ତଳକୁ ହ୍ରାସ କରାଯିବ। ନୂଆଦିଲ୍ଲୀସ୍ଥିତ ବିଜ୍ଞାନଭବନଠାରେ ଜିଏସଟି କାଉନସିଲର ୩୧ତମ ବୈଠକ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ବସିଥିଲା।

Comment