ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ଦିନକ ପରେ ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। କଂସ ମହାରାଜଙ୍କ ସଂଳାପରେ ଦୁଲୁକିବ ରଙ୍ଗମହଲ।

“ରେ ରେ କଂସ, ଯାହାକୁ ତୁହି ପାଟପାଲିଙ୍କିରେ ବସାଇ ନେଇ ଯାଉଅଛୁ ବସୁଦେବପୁରେ ତା’ରି ଗର୍ଭର ଅଷ୍ଟମ ସନ୍ତାନ ହେବ ତୋର ମୃତ୍ୟୁର କାରଣ।”

“ଦେବକୀ କୋଳରୁ ନେଇ ଆସିଲି ତା’ର ଅଷ୍ଟମ ଗର୍ଭ ସନ୍ତାନକୁ। ହେଲେ ସେ ପୁତ୍ର ନୁହେଁ, କନ୍ୟା। ତେବେ ସେ ପୁତ୍ର ହେଉ କି କନ୍ୟା। ଦେବକୀର ଅଷ୍ଟମ ଗର୍ଭ ସନ୍ତାନ ହେଉଛି କଂସର କାଳକଣ୍ଟକ।”

ଆଉ ଗୋଟିଏ ଦିନ ପରେ ଏମିତି ସଂଳାପରେ ଦୁଲୁକିବ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମଞ୍ଚ। ରଙ୍ଗମହଲରେ ବସିବ କଂସ ଦରବାର।

ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେଉଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ୧୧ ଦିନ ଧରି ଚାଲିବ ବରଗଡ଼ରେ କଂସ ମହାରାଜଙ୍କ ରାଜୁତି। ୧୧ ଦିନ ପାଇଁ ବରଗଡ଼ର ହାଟପଦା ମଥୁରା ନଗରୀ ପାଲଟିଯିବ। ଆମ୍ବାପଲ୍ଲି ଗାଁ ଗୋପପୁର ପାଲଟିବା ସହ ଜୀରା ନଈ ପାଲଟିଯିବ ଯମୁନା ନଦୀ।

ବରଗଡ଼ ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛନ୍ତି କଂସ ମହାରାଜ। କଂସଙ୍କ ସଂଳାପ ଏବଂ ଅଭିନୟ ଦେଖିବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକମାନେ ବରଗଡ଼ ଧାଇଁ ଆସନ୍ତି। ଗତବର୍ଷଠାରୁ କଂସ ଭୂମିକାରେ ଭୁବନେଶ୍ୱର ପ୍ରଧାନ ଅଭିନୟ କରୁଛନ୍ତି।

୧୧ ଦିନ ଧରି ବରଗଡ଼ରେ କଂସ ମହାରାଜ ଭୂମିକାରେ ଅଭିନୟ କରୁଥିବା ଭୁବନେଶ୍ୱର ପ୍ରଧାନ ଓଡ଼ିଶାଲାଇଭ୍‌କୁ ଦେଇଥିଲେ ସାକ୍ଷାତକାର।

ଯାତ୍ରା କଳାକାରରୁ କଂସ ମହାରାଜ

ଭୁବନେଶ୍ଵର ପ୍ରଧାନ ଜଣେ ଯାତ୍ରା କଳାକାର ଭାବେ ନିଜର ଅଭିନୟ ଆରମ୍ଭ କରିଥିଲେ। ସେ ପୂର୍ବରୁ ନିଜେ ଏକ ଯାତ୍ରା ପାର୍ଟି ବି କରିଥଲେ। ଯାତ୍ରା ପାର୍ଟି ପାଇଁ ସେ ତାଙ୍କର ୧୭ ଏକର ସମ୍ପତ୍ତି ବିକ୍ରି କରିଦେଇଥିଲେ।

“ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ପାଇଁ ମୋର ପିଲାଟି ଦିନରୁ ଇଚ୍ଛା ଥିଲା। ଯୁଧିଷ୍ଠିର ଶତପଥୀ କଂସ ଭୂମିକାରେ ଅଭିନୟ କରୁଥିବା ବେଳେ ମୁଁ ତାଙ୍କୁ ଦେଖିବା ପାଇଁ ବାପାଙ୍କ ସହ ଧନୁଯାତ୍ରା ପେଣ୍ଡାଲକୁ ଆସୁଥିଲି। ତାଙ୍କୁ ହିଁ ମୁଁ ଗୁରୁ ଭାବେ ମାନି ନେଇଥିଲି। ତାଙ୍କ ବଳିଷ୍ଠ ଅଭିନୟ ମତେ ପ୍ରଭାବିତ କରିଥିଲା। ଏଣୁ ମୁଁ ସେହିଦିନରୁ ବରଗଡ଼ ଧନୁଯାତ୍ରାରେ କଂସ ହେବି ବୋଲି ସଂକଳ୍ପ କରିଥିଲି”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ଭୁବନେଶ୍ୱର ପ୍ରଧାନ।

ଧନୁଯାତ୍ରାରେ କଂସ ହେବାକୁ ୩୦ ଜଣ କଳାକାର ଫର୍ମ ପୂରଣ କରିଥଲେ। କିନ୍ତୁ ୨୩ଜଣ କଳାକାର ଅଡିସନରେ ସାମିଲ ହୋଇଥିଲେ। ୨୨ଜଣକୁ ପଛରେ ପକାଇ ନିଜ ପ୍ରତିଭା ପ୍ରଦର୍ଶନ କରି ଭୁବନେଶ୍ଵର ପ୍ରଧାନ ୨୦୧୭ରେ କଂସ ଭୂମିକାରେ ଅଭିନୟ କରିବା ପାଇଁ ଚୟନ ହୋଇଥିଲେ। ଚଳିତ ବର୍ଷ ବି ସେ କଂସ ଭୂମିକାରେ ଅଭିନୟ କରିବେ।

କଂସ ଦରବାରରେ କାହାରିକୁ କ୍ଷମା ନାହିଁ

“ବରଗଡ଼ ଧନୁଯାତ୍ରାରେ ମୁଁ କଂସ ଭୂମିକାରେ ଅଭିନୟ କରୁଛି। ହେଲେ ମୁଁ ସେଇ ଦ୍ଵାପର ଯୁଗର କଂସ। କଂସ ସରବାରରେ ଭୁଲ୍ କଲେ କାହାରିକୁ କ୍ଷମା ନାହିଁ”, କହିଛନ୍ତି ଭୁବନେଶ୍ୱର।

୨୦୧୭ରେ ପ୍ରଥମ ଥର ପାଇଁ କଂସ ଭୂମିକାରେ ଅଭିନୟ କରିବା ପରେ ଭୁବନେଶ୍ୱର ଯାତ୍ରାରେ ବହୁତ ସୁଧାର ଆଣିଛନ୍ତି। ପରିବେଶ ସଫା ସୁତୁରା ରଖିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଶାନ୍ତି ଶୃଙ୍ଖଳାରେ ଯାତ୍ରା ସମାପନ ହୋଇଥିଲା। ଦୂରଦୂରାନ୍ତରୁ ଯେଉଁ ଦର୍ଶକ ଆସନ୍ତି ସେମାନଙ୍କ ରାତିରେ କୌଣସି ଅସୁବିଧା ହେଲେ ସେମାନଙ୍କ ରହିବା, ଶୋଇବାର ବ୍ୟବସ୍ଥା ମାଗଣାରେ ହୋଇଥିଲା।

ବିଭିନ୍ନ ମଞ୍ଚରେ କଂସ ଭୂମିକାରେ ନଜର ଆସିଥିଲେ ଭୁବନେଶ୍ୱର

୧୯୯୪ ମସିହାରୁ କଂସ ଭୂମିକାରେ ଅଭିନୟ କରୁଛନ୍ତି ଭୁବନେଶ୍ୱର। ବିଭିନ୍ନ ପେଣ୍ଡାଲରେ ସେ କଂସ ଭୂମିକାରେ ଅଭିନୟ କରିଛନ୍ତି। ବର୍ଷକୁ ୨୨ରୁ ୨୫ଟା ଯାତ୍ରାରେ ସେ ଅଭିନୟ କରୁଥିଲେ। ପ୍ରଥମେ ସେ ଚିଚିଣ୍ଡା ଧନୁଯାତ୍ରାରେ ଅଭିନୟ କରିଥିଲେ।

ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ସହ ବିଭିନ୍ନ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ନାଟକରେ ସେ ଅଭିନୟ କରିଛନ୍ତି। ରାବଣ, ଜଳନ୍ଧର, ତାରକାସୁର, ମୁରାସୁର, ହିରଣ୍ୟକଶ୍ୟପ ଆଦି ଭୂମିକାରେ ଅଭିନୟ କରିଛନ୍ତି ଭୁବନେଶ୍ୱର।

କାହିଁକି ଧନୁଯାତ୍ରା?

ଭୁବନେଶ୍ୱର କହିଛନ୍ତି, “ବରଗଡ଼ ଧନୁଯାତ୍ରାର ନାମକରଣ ନେଇ ଅନେକ କଥା ଉଠିଥାଏ। ୧୯୪୭ ମସିହା ଯେତେବେଳେ ଭାରତ ସ୍ଵାଧିନ ହେଲା ସେହି ବର୍ଷଠାରୁ ଧନୁଯାତ୍ରା ଆରମ୍ଭ। ପୌଷମାସରେ ଧନୁସଂକ୍ରାନ୍ତି ପଡ଼ିଥାଏ। ଏଥିସହିତ ପଶ୍ଚିମ-ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ‘ପୁଷ୍‌ପୁନି’ ଏଇ ମାସରେ ପାଳିତ ହୋଇଥାଏ। ଧନୁସଂକ୍ରାନ୍ତିରୁ ଧନୁକୁ ନେଇ ‘ପୁଷ୍‌ପୁନି’ ଦିନ ହିଁ କଂସର ମୃତ୍ୟୁ ଦିବସକୁ ସ୍ଥିର କରାଯାଇ ଉତ୍ସବକୁ ବେଶ୍ ଉତ୍ସାହପ୍ରଦ କରାଯିବା ପାଇଁ ଯାତ୍ରାର ନାମ ‘ଧନୁଯାତ୍ରା’ ରଖାଯାଇଛି।”

ବର୍ତ୍ତମାନ ୧୪ଟା ପେଣ୍ଡାଲକୁ ନେଇ ଧନୁଯାତ୍ରା ଚାଲିଛି।

“ଦିନ ସାଢ଼େ ଗୋଟେ ଦୁଇଟାରୁ ଯାତ୍ରା ପାଇଁ ମେକ୍‌ଅପ ଆରମ୍ଭ ହୋଇଯାଏ। କଂସ ରାଜାଙ୍କ ପାଳି ପଡ଼ିଯାଏ ସାଢ଼େ ଦୁଇଟା ବା ତିନିଟାରେ। ୩ଟାରୁ ୪ଟା ଭିତରେ ରାଜା ସବୁ ମିଡିଆରେ ବାଇଟ୍‌ ଦେଇଥାନ୍ତି। ତାପରେ ସେ ହାତୀରେ ବସି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସହର ପରିକ୍ରମା କରି ପ୍ରଜାମାନଙ୍କ ସୁଖଦୁଃଖ ବୁଝିଥାନ୍ତି”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ଭୁବନେଶ୍ୱର।

ସନ୍ଧ୍ୟା ୬ଟାରୁ ୭ଟା ହେଉଛି ରଙ୍ଗମହଲ। ସାଢ଼େ ସାତଟାରେ ପୁଣି ଦରବାରରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଏ।

Comment