ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘନ କୁହୁଡ଼ି ଯୋଗୁଁ ଭୁବନେଶ୍ୱରରେ ଅବତରଣ କରିପାରିଲାନି ବିମାନ। ଭୁବନେଶ୍ୱରରେ ଏୟାର ଏସିଆର ଏଫଡି ୧୧୨ ବିମାନ ଅବତରଣ କରିନପାରି କୋଲକାତାକୁ ଫେରିଯାଇଛି।

ମଙ୍ଗଳବାର ରାତିରେ ଏୟାର ଏସିଆରେ ବ୍ୟାଙ୍କକରୁ ୧୫୦ ଯାତ୍ରୀଙ୍କୁ ଧରି କୋଲକତାରୁ ଭୁବନେଶ୍ୱର ଆସୁଥିଲା। ତେବେ ଭୁବନେଶ୍ୱର ଆକାଶରେ କୁହୁଡ଼ି ଯୋଗୁଁ ବିମାନଟି କୋଲକତାରେ ଅବତରଣ କରିଥିଲା। କୋଲକତାରେ ଅବତରଣ ପରେ ଯାତ୍ରୀଙ୍କୁ ବିମାନ ବନ୍ଦର ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିଲା। ବିମାନ ଭିତରେ ଯାତ୍ରୀଙ୍କୁ ଦୀର୍ଘ ସମୟ ଧରି ରହିବାକୁ ପଡ଼ିଥିଲା। ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।

ଭୁବନେଶ୍ୱର ଫେରିବାକୁ କିଛି ବ୍ୟବସ୍ଥା କରାଯାଉନଥିବା ଯୋଗୁଁ ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ଏପରିକି କାଲିଠୁ କିଛି ଖାଇବାକୁ ମିଳିନଥିବା ଯାତ୍ରୀମାନେ କହିଛନ୍ତି।

ଅନ୍ୟପକ୍ଷରେ ଭୁବନେଶ୍ୱର ମଧ୍ୟ ଏଭଳି ପରିସ୍ଥିତି ଦେଖାଦେଇଛି। ମଙ୍ଗଳବାର ରାତି ୯ଟାରେ ଯିବାକୁ ଥିବା ଭୁବନେଶ୍ୱର-ବେଙ୍ଗାଳୁରୁ ଫ୍ଲାଇଟ୍‌ କୁହୁଡ଼ି ପାଇଁ ଗତକାଲିଠୁ ଆଜି ପର୍ଯ୍ୟନ୍ତ ଉଡ଼ାଣ କରିନାହିଁ। ଯାହାଫଳରେ ୧୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଯାତ୍ରୀମାନେ ଏୟାରପୋର୍ଟରେ ଫସି ରହିଛନ୍ତି।

କିନ୍ତୁ ବିମାନ ବନ୍ଦରର ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ କୌଣସି ପଦକ୍ଷେପ ଦିଆଯାଇ ନାହିଁ। ଯେଉଁଥିପାଇଁ ଉତ୍ତ୍ୟକ୍ତ ଯାତ୍ରୀମାନେ ଏୟାର ଏସିଆ କର୍ମଚାରୀଙ୍କୁ ଘେରାଉ କରିଥିଲେ। ଏପରିକି ଭୁବନେଶ୍ୱର-ହାଇଦ୍ରାବାଦ୍‌ ଏୟାର ଏସିଆ ଫ୍ଲାଇଟ୍‌କୁ ମଧ୍ୟ ଯାତ୍ରୀମାନେ ଛାଡ଼ି ନାହାନ୍ତି। ତେବେ ଶୀଘ୍ର ସମାଧାନ ପାଇଁ କର୍ତ୍ତୃପକ୍ଷଙ୍କ ଆଶ୍ୱାସନା ପରେ ପ୍ରତିବାଦ ଶାନ୍ତ ପଡ଼ିଥିବା ସୂଚନା ମିଳିଛି।

Comment