ଓଡ଼ିଶାଲାଇଭ୍‌ ବ୍ୟୁରୋ

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ବହୁ ଚର୍ଚ୍ଚିତ ସମ୍ବଲପୁରୀ ଆଲ୍‌ବମ୍‌ କୁଇନ୍‌ ସିମରନ୍‌ ସିଂ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତାଙ୍କ ବୟଫ୍ରେଣ୍ଡ ଧ୍ରୁବରାଜ ସୁନା ଓରଫ୍‌ ୟୁଗ୍‌କୁ ୫ଦିନିଆ ରିମାଣ୍ଡରେ ନେଇଛି ପୋଲିସ। ସୋମବାରଠାରୁ ଧ୍ରୁବରାଜକୁ ପୋଲିସ୍‌ର ତିନୋଟି ସ୍ୱତନ୍ତ୍ର ଟିମ୍‌ ମାରାଥନ ଜେରା କରୁଛନ୍ତି। ହତ୍ୟାକାଣ୍ଡର କାରଣ ଓ ଏହି ମାମଲାରେ ଅନ୍ୟମାନଙ୍କ ସଂପୃକ୍ତିକୁ ନେଇ ସତ ଓଗାଳିବାକୁ ଛାନ୍‌ବିନ୍‌ ଚଳାଇଛି।

୨୩ ତାରିଖରେ ଝାରସୁଗୁଡ଼ା ଏସ୍‌ଡିଜେଏମ୍‌ କୋର୍ଟରେ ୧୦ ଦିନ ରିମାଣ୍ଡ ଆବେଦନ କରାଯାଇଥିବା ବେଳେ ୨୫ ତାରିଖରେ ମାମଲାର ଶୁଣାଣି କରି ବିଚାରପତି ୟୁଗ ସୁନାକୁ ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ। କଡ଼ା ସୁରକ୍ଷା ମଧ୍ୟରେ ରବିବାର ରାତିରେ ୟୁଗ୍‌ ସୁନାକୁ ଝାରସୁଗୁଡ଼ା ଜେଲ୍‌ରୁ ସମ୍ବଲପୁରକୁ ଅଣାଯାଇଛି।

ସୋମବାର ସମ୍ବଲପୁର ଏସ୍‌ଡିଜେଏମ୍‌ଙ୍କ ବାସଭବନରେ ୟୁଗ୍‌ ସୁନାକୁ ହାଜର କରାଯିବା ପରେ ପ୍ରଥମେ ସମ୍ବଲପୁର ଟାଉନ୍‌ଥାନା ଓ ପରେ ବୁର୍ଲା ନିଆଯାଇ ମାରାଥନ ଜେରା କରାଯାଉଛି। ପୋଲିସ୍‌ ମୁଖ୍ୟତଃ ସିମରନ୍‌ ସିଂଙ୍କ ହତ୍ୟାକାଣ୍ଡର କାରଣ ଏହି ହତ୍ୟା କାଣ୍ଡରେ ୟୁଗ୍‌ ସୁନା ଛଡ଼ା ଅନ୍ୟ କେଉଁମାନେ ସାମିଲ୍‌ ଥିଲେ ସଂପର୍କରେ ଗୁମର ଖୋଲିବାକୁ ଉଦ୍ୟମ କରିବ। ହେଲେ ଏହି ପଚରା ଉଚରା ସଂପର୍କରେ ଅଧିକ ତଥ୍ୟ ଦେବାକୁ ସମ୍ବଲପୁର ଏସ୍‌ପି ସଞ୍ଜିବ୍‌ ଆରୋରା କହିଛନ୍ତି ଯେ, ବର୍ତ୍ତମାନ ପୋଲିସ୍‌ ୟୁଗ୍‌ ସୁନାକୁ ମାରାଥନ ଜେରା କରିବ। ସେଥିପାଇଁ ସଂପୂର୍ଣ୍ଣ ପ୍ରସ୍ତୁତି ସରିଛି।

ବଛାବଛା ପୋଲିସ୍‌ ଅଫିସରମାନେ ସିମରନ୍‌ ହତ୍ୟାକାଣ୍ଡ ସଂପର୍କରେ ବିଭିନ୍ନ ପ୍ରଶ୍ନ ପ୍ରସ୍ତୁତ କରିଛନ୍ତି। ବିଭିନ୍ନ ଆଙ୍ଗଲ୍‌ରୁ ୟୁଗ୍‌ ସୁନାକୁ ଜେରା କରି, ତା’ଠାରୁ ଏହି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବାକୁ ପୋଲିସ୍‌ ସମସ୍ତ ଚେଷ୍ଟା ଜାରି ରଖିଛି। ଖୁବ୍‌ ଶୀଘ୍ର ଆଲବମ୍‌ କୁଇନ୍‌ ସିମରନ୍‌ ସିଂ ହତ୍ୟା ମାମଲାରୁ ପର୍ଦ୍ଦା ହଟିବ ବୋଲି ଏସ୍‌ପି ଆଶାବ୍ୟକ୍ତ କରିଛନ୍ତି।

ଗତ ୨ତାରିଖରେ ସିମରନ୍‌ ସିଂଙ୍କ ମୃତଦେହ ବୁର୍ଲା ପିସି ବ୍ରିଜ୍‌ ତଳକୁ ମିଳିବା ପରେ ଏହା ଏକ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ସେ ନେଇ ପୋଲିସ୍‌କୁ ବହୁ କସରତ କରିବାକୁ ପଡ଼ିଥିଲା। ସିମରନ୍‌ଙ୍କ ଶବ ବ୍ୟବଛେଦ ରିପୋର୍ଟରୁ ମଧ୍ୟ ହତ୍ୟା କିମ୍ବା ଆତ୍ମହତ୍ୟା ସେ ନେଇ କିଛି ସ୍ପଷ୍ଟ ହୋଇପାରିନଥିଲା। ପ୍ରାୟ ଶହେ ଫୁଟ ଉପରୁ ପଡ଼ିବା ଓ ମୁଣ୍ଡ ଏବଂ ଛାତିରେ ପଥର ମାଡ଼ ହେବା ଯୋଗୁଁ ଘଟଣାସ୍ଥଳରେ ସିମରନ୍‌ଙ୍କ ମୃତ୍ୟୁ ହୋଇଥିବା ଶବ ବ୍ୟବଛେଦ ରିପୋର୍ଟରେ ଉଲ୍ଲେଖ ରହିଥିଲା।

ହେଲେ କେସିଙ୍ଗାରୁ ନୂଆବର୍ଷ କାର୍ଯ୍ୟକ୍ରମରେ ଯୋଗଦେଇ, ଝାରସୁଗୁଡ଼ା ଫେରୁଥିବା ସିମରନ୍‌ ବୁର୍ଲା ପିସିବ୍ରିଜ୍‌ ନିକଟକୁ କିପରି ଆସିଲେ, ସେ ଏକାଥିଲେ ନା ତାଙ୍କ ସହ ଅନ୍ୟ କେଉଁମାନେ ଥିଲେ, କାହିଁକି ସିମରନ୍‌ ପିସିବ୍ରିଜ୍‌ ତଳକୁ ଡେଇଁ ଆତ୍ମହତ୍ୟା କଲେ, ନା ତାଙ୍କୁ କେହି ପିସି ବ୍ରିଜ୍‌ ଉପରୁ ତଳକୁ ହତ୍ୟା କରିବା ଉଦ୍ଦେଶ୍ୟରେ ଫୋପାଡ଼ି ଦେଇଥିଲେ, ଏହି ସବୁ ମାମଲାର ତଦନ୍ତ କରୁଛି ବୁର୍ଲା ପୋଲିସ୍‌।

ସିମରନ୍‌ଙ୍କ ବାପାଙ୍କ ଲିଖିତ ଏଫ୍‌ଆଇଆର୍‌ ଉପରେ ବୁର୍ଲା ପୋଲିସ୍‌ ଏକ ହତ୍ୟା ମାମଲା ଦାୟର କରି ଅନୂସନ୍ଧାନ ଆରମ୍ଭ କରିଥିଲା। ହେଲେ ଏ ପର୍ଯ୍ୟନ୍ତ ହତ୍ୟା ସଂପର୍କିତ କୌଣସି ଠୋସ୍‌ ପ୍ରମାଣ ତଦନ୍ତକାରୀ ଟିମ୍‌ ହାତରେ ଲାଗିନି। ଏବେ ସିମରନ୍‌ଙ୍କ ପରିବାର ସହ ସମସ୍ତେ ଅପେକ୍ଷା କରିଛନ୍ତି ସେଲ୍‌ଫି ବେବୋଙ୍କ ଏହି ବୟଫ୍ରେଣ୍ଡ ଜେରା ସମୟରେ କି ସତ୍ୟ ଉଗାଳୁଛି।

ସେପଟେ ଏହି ମାମଲାରେ ୟୁଗ୍‌ର କକା, ମାଆ ଓ ବାପା ଫେରାର୍‌ ଥିବା ବେଳେ ପୋଲିସ୍‌ ତାଙ୍କ ଘର ସମ୍ମୁଖରେ ଲଟ୍‌କା ଲଗାଇ ବୁର୍ଲା ଥାନାରେ ହାଜର ହେବାକୁ ସମନ୍‌ ଜାରି କରିଛି। ହେଲେ ଏବେ ମଧ୍ୟ ସିମରନ୍‌ଙ୍କ ମାଆ ରାଣୀ ଦେବୀ ଓ ବାପା ବିଜେନ୍ଦ୍ର କୁମାର ସିଂଙ୍କ କହିବା ହେଲା କି କେବଳ ୟୁଗ୍‌ ସୁନା ନୁହେଁ, ଏହି ହତ୍ୟାକାଣ୍ଡରେ ୟୁଗ୍‌ ସୁନାର କାକା, ମାଆ ଓ ଅନ୍ୟଜଣେ ଯୁବକର ହାତ ରହିଛି। ହେଲେ ପୋଲିସ୍‌ ପୂର୍ବରୁ ଏହି ମାମଲାରେ ହାତବାନ୍ଧି ବସିରହିଥିବା ବେଳେ, ଏବେ ମୁଖ୍ୟ ଅଭିଯୁକ୍ତ ୟୁଗ୍‌ ସୁନାଠାରୁ ହତ୍ୟାକାଣ୍ଡର କାରଣ ଜାଣିପାରୁଛନ୍ତି ନା ନାହିଁ, ତା ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି।

ସିମରନ୍‌ଙ୍କ ବୟଫ୍ରେଣ୍ଡ ୟୁଗ୍‌ ସୁନାଠାରୁ ହତ୍ୟାକାଣ୍ଡର ଗୁମର ଖୋଲିବା ପାଇଁ ସମ୍ବଲପୁର ପୋଲିସ୍‌ର ସ୍ୱତନ୍ତ୍ର ଟିମ୍‌ ୩୦ଟି ପ୍ରଶ୍ନ ସମ୍ମିଳିତ ଏକ ଯାଞ୍ଚସିଟ୍‌ ପ୍ରସ୍ତୁତ କରିଛି। ଆବଶ୍ୟକସ୍ଥଳେ ସିମରନ୍‌ର ମୃତଦେହ ଉଦ୍ଧାର କରାଯାଇଥିବା ସ୍ଥାନ ପିସି ବ୍ରିଜ୍‌ ତଳକୁ ନେବା ସହ, ସବୁ ସତ ଉଗାଳିବାକୁ ଚେଷ୍ଟା କରିବ ବୋଲି ବୁର୍ଲାଥାନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Comment