ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣ ନିର୍ବାଚନ ପୂର୍ବରୁ ଅଯୋଧ୍ୟାର ବିବାଦୀୟ ରାମଜନ୍ମଭୂମି ଜମିକୁ ନେଇ କେନ୍ଦ୍ର ସରକାର ମଙ୍ଗଳବାର ବଡ଼ ପଦକ୍ଷେପ ନେଇଛନ୍ତି। ବାବ୍ରି ମସ୍‌ଜିଦ ସଂଲଗ୍ନ ନିର୍ବିବାଦୀୟ ୬୭ ଏକର ଜମିକୁ ରାମ ଜନ୍ମଭୂମି ନ୍ୟାସ କମିଟିକୁ ଫେରାଇବା ପାଇଁ ଅନୁମତି ଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି କେନ୍ଦ୍ର ସରକାର।

ରାମ ଜନ୍ମଭୂମି ନ୍ୟାସ କମିଟି ଏହି ଜମିର ପ୍ରକୃତ ମାଲିକ ଏବଂ ସଙ୍ଗଠନ ଏହି ଜମିକୁ ଫେରାଇବା ପାଇଁ ଚାହୁଁଥିକା ସୁପ୍ରିମକୋର୍ଟକୁ ଜଣାଇଛନ୍ତି କେନ୍ଦ୍ର ସରକାର। ଏହି ନିର୍ବିବାଦୀୟ ଜମିର ସ୍ଥାତାବସ୍ଥା ପ୍ରଦାନ ଲାଗି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର।

୦.୩୧୩ ଏକର ଜମିକୁ ନେଇ ବିବାଦ ରହିଥିବାରୁ କେନ୍ଦ୍ର ସରକାର ୧୯୯୯ ମସିହାରେ ୬୭ ଏକର ଜମି ଅଧିଗ୍ରହଣ କରିଥିଲେ। ଏହି ଜମିର ସ୍ଥିତାବସ୍ଥା ବଜାୟ ରଖିବାରେ କୌଣସି ଆବଶ୍ୟକତା ନାହିଁ ବୋଲି ଆବେଦନରେ ଦର୍ଶାଯାଇଛି।

ବାବ୍ରି ମସଜିଦ ମଙ୍ଗା ଯିବା ପରେ କେନ୍ଦ୍ର ସରକାର ଏହି ଜମିକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ଏହାର ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ପରେ ନିର୍ଦ୍ଦେଶ ଦେଇଥିଲେ।

ଅଯୋଧ୍ୟା ଜମି ବିବାଦର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବାର ଥିଲା। କିନ୍ତୁ ଏହି ମାମଲାର ବିଚାର ପାଇଁ ଗଠିତ ଖଣ୍ଡପୀଠର ବିଚାରପତି ଜଷ୍ଟିସ୍ ବୋବଡେ ଅନୁପସ୍ଥିତ ଥିବାରୁ ଏହି ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି। କେବେ ପରବର୍ତ୍ତୀ ଶୁଣାଣି ହେବ ସେନେଇ କୌଣସି ନିଷ୍ପତ୍ତି ହୋଇନାହିଁ।

Comment