ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

  • ସୁବର୍ଣ୍ଣରେଖା ବନ୍ଦ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ୪୩ଟି ପ୍ରକଳ୍ପ ଶିଳାନ୍ୟାସ
  • ୩୩ଟି ପ୍ରକଳ୍ପ ଉଦଘାଟନ
  • ‘ମୁଁ ହିରୋ’ମାନଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
  • ୧୭ରେ କଟକରେ ଯୁବ ସମାବେଶ

“ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ପାଇଁ ଓଡ଼ିଶା ପ୍ରସିଦ୍ଧି ଅର୍ଜନ କରିଛି। ଅତୀତରେ ଓଡ଼ିଆ ପୁଅମାନେ ବିଦେଶକୁ ଯାଇ ବାଣିଜ୍ୟ କରୁଥିଲେ। ଓଡ଼ିଶା ପାଇଁ ଗୌରବ ଆଣୁଥିଲେ। ଓଡ଼ିଶା ନୌବାଣିଜ୍ୟର ସମୃଦ୍ଧିକୁ ଫେରାଇ ଆଣିବା ପାଇଁ ସ୍ୱର୍ଗତ ବିଜୁ ପଟ୍ଟନାୟକ ୬୦ ଦଶକରେ ପାରାଦୀପ ବନ୍ଦର କାମ ଆରମ୍ଭ କରିଥିଲେ। ଏବେ ସୁବର୍ଣ୍ଣରେଖା ବନ୍ଦର କାମ ଶେଷ ହେଲେ ରାଜ୍ୟବାସୀ ଅଧିକ ଉପକୃତ ହୋଇପାରିବେ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ୱର ଗସ୍ତରେ ଯାଇଥିଲେ। ବାଲେଶ୍ୱର ପୋଲିସ୍ ଲାଇନ୍ ପଡ଼ିଆରେ ଆୟୋଜିତ ଯୁବ ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀମାନଙ୍କୁ ଉଦବୋଧନ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଏହି ସମାବେଶରେ ‘ଆପଣମାନେ ଖୁସି ତ? ମୁଁ ବି ଖୁସି’ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଏହି କଥା ଶୁଣିବା ପରେ ସମାବେଶସ୍ଥଳ କରତାଳିରେ ଫାଟି ପଡ଼ିଥିଲା। ଏହି ଅବସରରେ ‘ମୁଁ ହିରୋ’ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ସମାବେଶ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

“ଦେଶ ପ୍ରଗତିରେ ଯୁବମାନଙ୍କ ସହାୟତା ନିହାତି ଦରକାର। ରାଜ୍ୟ ତଥା ଦେଶର ପ୍ରଗତି ପାଇଁ ଯୁବପିଢ଼ିମାନେ ଯାହା କରୁଛନ୍ତି ସେଥିରେ ମୁଁ ଖୁସି। ଆଗକୁ ମଧ୍ୟ ଯୁବକମାନେ ସେବା ମନୋବୃତ୍ତି ନେଇ କାମ କରନ୍ତୁ”, କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ବାଲେଶ୍ୱରରେ ୪୩ଟି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ୩୩ଟି ପ୍ରକଳ୍ପ ଉଦଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ୩୧୧ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିଥିବା ବେଳେ ୫,୭୩୨ କୋଟି ଟଙ୍କାର ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

୫ ହଜାର କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ସୁବର୍ଣ୍ଣରେଖା ବନ୍ଦର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ। ପ୍ରାଥମିକ ସ୍ତରରେ ଏହି ବନ୍ଦର ୨୫ ମିଲିଅନ୍ ଟନ୍ ମାଲ୍ ପରିବହନ କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ୫୫ ଟନ୍‌କୁ ବୃଦ୍ଧି କରାଯିବ। ଏହି ବନ୍ଦରରେ ୧୨ଟି ବର୍ଥ ରହିବ। ୧୨ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏହି ବନ୍ଦର।

ମୁଖ୍ୟମନ୍ତ୍ରୀ ୩୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଇଡ୍‌କୋ ଟାୱାର ପାଇଁ ଶିଳାନ୍ୟାସ କରିଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନରେ ୧୫୧ କୋଟିରୁ ଅଧିକ ଟଙ୍କାର ୩୩ କୋଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଜାନୁଆରି ୨୪ରୁ ବଲାଙ୍ଗିରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିଲା ଯୁବ ସମାବେଶ। ପରେ ସମ୍ବଲପୁର, କୋରାପୁଟର ଜୟପୁର, କନ୍ଧମାଳ ଏବଂ ବାଲେଶ୍ୱରରେ ଯୁବ ସମାବେଶ ଅନୁଷ୍ଠିତ ହୋଇଛି। ୧୭ରେ କଟକଠାରେ ଯୁବ ସମାବେଶ ଅନୁଷ୍ଠିତ ହେବ।

Comment