ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତି ପାଇଲେ ପୂର୍ବତନ ପ୍ରଶାସକ ଗୋପବନ୍ଧୁ ଦାଶ। ସେ ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ। ଚାକିରିରୁ ଅବସର ନେବା ପରେ ତାଙ୍କୁ ରାଜନୈତିକ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

ନିର୍ବାଚନ ତାରିଖ ଘୋଷଣା ହେବା ପରେ ଗୋପବନ୍ଧୁ ଦାଶଙ୍କ ଏହି ନୂଆ ନିଯୁକ୍ତିକୁ ନେଇ ରାଜନୀତି କରିଡରରେ ହଟଚମଟ ସୃଷ୍ଟି ହୋଇଛି। ଗୋପବନ୍ଧୁ ଦାଶଙ୍କ ଭୂମିକା କ’ଣ ରହିବ ଏବଂ ସେ ବିଶେଷକରି କେଉଁ କ୍ଷେତ୍ରରେ କାମ କରିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

କିଏ ଏହି ଗୋପବନ୍ଧୁ ଦାଶ?

ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ରେ ଯେଉଁ କେତେଜଣ ଅଫିସର ନିଯୁକ୍ତି ପାଇଥିଲେ ସେମାନଙ୍କ ଭିତରେ ଗୋପବନ୍ଧୁ ଦାଶ ଥିଲେ ଅନ୍ୟତମ। ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ରେ ସେ ଜଣେ ପାୱାରଫୁଲ୍ ଅଫିସର ଭାବେ ପରିଗଣିତ ହେଉଥିଲେ।

ସେ ନିକଟରେ ଚାକିରିରୁ ଅବସର ନେବା ପରେ ତାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ସବୁଠୁ ବଡ଼ କଥା ହେଉଛି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ତାଙ୍କ ଘର ହୋଇଥିବାରୁ ତାଙ୍କୁ ଏହି ନୂଆ ଦାୟିତ୍ୱ ଦିଆଯାଇଛି।

ନିର୍ବାଚନ ପୂର୍ବରୁ ତାଙ୍କୁ ଏହି ନୂଆ ଦାୟିତ୍ୱ ମିଳିଥିବାରୁ ସେ ଦଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କଥାରେ ହସ୍ତକ୍ଷେପ କରିପାରନ୍ତି ବୋଲି କୁହାଯାଉଛି। ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଥିଲେ ମଧ୍ୟ ଏଯାଏଁ ବିଜେଡି ଟିକେଟ କିଏ ନେବ ତାହା ଚୂଡ଼ାନ୍ତ ହୋଇପାରିନି।

ବିଭିନ୍ନ ନିର୍ବାଚନମଣ୍ଡଳୀରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଟିକେଟ ଚୂଡ଼ାନ୍ତ ହୋଇପାରିନି। ବିଜେଡି ମ୍ୟାନେଜରମାନେ ଟିକେଟ ଟେନସନରେ ରହିଛନ୍ତି। ଏଣୁ ଗୋପବନ୍ଧୁ ଦାଶ ଟିକେଟ ବଣ୍ଟନରେ ବଡ଼ ଭୂମିକା ଗ୍ରହଣ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Comment