ଓଡ଼ିଶାଲାଇଭ୍‌ ବ୍ୟୁରୋ

(କଟକରୁ ପ୍ରଣବ କୁମାର ନନ୍ଦୀ): କେତେବେଳେ ଖୁଞ୍ଚା ଲାଗିଯାଇଥିବା ଦାମୀ ଶାଢ଼ିର ଚିରା ପରିଚୟକୁ ବଦଳାଇବା କାର୍ଯ୍ୟରେ ବ୍ୟସ୍ତ ଥାନ୍ତି ତ ପୁଣି କେବେ ଚୁଡ଼ିଦାରର ଅଧା ଖଣ୍ଡିଆ ଚୁନୁରୀରେ ଛୁଞ୍ଚି ଓ ସୂତା ଧରି ଏହାର ଫଟା ଅଂଶକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ପାଇଁ ଏମାନେ ଥାନ୍ତି ମଗ୍ନ। ନୂଆ କରି କିଣାଯାଇଥିବା ଦାମୀ ସାର୍ଟରେ ହୋଇଥିବା ଫଟା ଅଂଶକୁ ଲୁଚାଇବାଠାରୁ ଆରମ୍ଭ କରି ଚିରି ଯାଇଥିବା ବସ୍ତ୍ରକୁ ପୁଣି ଏମାନେ ଦେଇଥାନ୍ତି ନୂତନ ରୂପ। ଏମାନେ ହେଉଛନ୍ତି “ରଫୁ କାରିଗର”। ହାତରେ ସେମାନଙ୍କର ଭରି ରହିଥାଏ ସତେ ଯେପରି ଯାଦୁକରୀ କଳା।

ସ୍ଥାନୀୟ କେଶରପୁର ଅଞ୍ଚଳର କିଛି ପରିବାର ରଫୁ କାର୍ଯ୍ୟକୁ କୌଳିକ ବୃତ୍ତି ଭାବେ ଗ୍ରହଣ କରି ଜୀବନଯାପନ କରୁଛନ୍ତି। ଘର ସାମ୍ନାରେ ଦୋକାନ କରି ଏମାନେ ହାତ ରଫୁ କାର୍ଯ୍ୟ କରିଥାନ୍ତି। ରଫୁ କରି ରୋଜଗାର କରୁଥିବା ଅର୍ଥରେ ପରିବାର ଭରଣ ପୋଷଣ କରିବା ବଡ଼ କଷ୍ଟକର ହୋଇପଡୁଛି ବୋଲି କାଶ୍ମୀର ହ୍ୟାଣ୍ଡ ରଫୁ ଦୋକାନର ମାଲିକ ରଫୁ ମାଷ୍ଟର ମହମ୍ମଦ ସାଜିଦ କହିଛନ୍ତି।

କେଶରପୁର ଅଞ୍ଚଳରେ ଆଠ ଦଶନ୍ଧି ଧରି ଏମାନେ ରଫୁ କାର୍ଯ୍ୟକୁ ଜୀବିକା ଭାବେ ଗ୍ରହଣ କରି ଚଳି ଆସୁଛନ୍ତି। ରଫୁ କାର୍ଯ୍ୟ ଦୁଇ ପ୍ରକାରର। ଗୋଟିଏ ମେସିନ ରଫୁ ଓ ଅନ୍ୟଟି ହାତ ରଫୁ। ମେସିନ ରଫୁ କାର୍ଯ୍ୟ ସହରର ବିଭିନ୍ନ ସ୍ଥାନରେ ହୋଇଥାଏ। ହେଲେ ହାତ ରଫୁ କାର୍ଯ୍ୟ ସ୍ଥାନୀୟ କେଶରପୁର ଅଞ୍ଚଳର କିଛି ପରିବାରଙ୍କ ଦ୍ୱାରା କରାଯାଇଥାଏ।

ହାତ ରଫୁ ଦ୍ୱାରା କପଡ଼ା ସମ୍ପୂର୍ଣ୍ଣ ଭାବେ ପୂର୍ବ ଅବସ୍ଥାକୁ ଫେରି ଆସୁଥିବାରୁ ଗ୍ରାହକମାନଙ୍କ ଦ୍ୱାରା ଏହା ବେଶ୍ ଆଦୃତ ହୋଇଥାଏ ବୋଲି ରଫୁ ମାଷ୍ଟର ସୁମନ କହିଛନ୍ତି । ଫାଟି ଯାଇଥିବା ଶାଢ଼ି, ସାର୍ଟ, ଚୁନୁରି, ଜିନ୍ ପ୍ୟାଂଟ୍, କୋର୍ଟ, ସୁଇଟର ଆଦିର ରଫୁ କାର୍ଯ୍ୟ ପ୍ରାୟତଃ ଏଠାରେ ହୋଇଥାଏ। କେବଳ କଟକ ସହର ନୁହେଁ ଏପରିକି ଭୁବନେଶ୍ୱର ସମେତ ଆଖ ପାଖ ଅଞ୍ଚଳରୁ ରଫୁ କାର୍ଯ୍ୟ ପାଇଁ ଏମାନଙ୍କ ପାଖକୁ ଲୋକେ ଆସିଥାନ୍ତି।

ଏକ ଇଞ୍ଚ ଫଟା ଅଂଶକୁ ରଫୁ କରିବା ପାଇଁ ୩୦ ଟଙ୍କା ପଡ଼ିଥାଏ। ୧ହଜାର ପର୍ଯ୍ୟନ୍ତ ହାତ ରଫୁ କରାଯାଇଥାଏ। ମେସିନ ରଫୁରେ କମ୍ ପଇସା ପଡୁଥିବା ବେଳେ ହାତ ରଫୁ ପାଇଁ ଟିକିଏ ଅଧିକା ଅର୍ଥ ପଡ଼ିଥାଏ। ରଫୁ କାରିଗର ଦିନକୁ ୩୦୦ ରୁ ୪୦୦ ଟଙ୍କା ମଧ୍ୟରେ ଆୟ କରିଥାନ୍ତି। ମାତ୍ର ମାସ ସାରା ଏମାନଙ୍କୁ କାମ ମିଳି ନଥାଏ ବୋଲି ରଫୁ ମାଷ୍ଟର ସଲମାନ କହିଛନ୍ତି।

ସ୍ଥାନୀୟ କେଶରପୁର ଅଞ୍ଚଳର ଛଅଟି ପରିବାର ସମ୍ପ୍ରତି ରଫୁ କାର୍ଯ୍ୟକୁ ବୃତ୍ତି ଭାବେ ଗ୍ରହଣ କରି ପରିବାର ପ୍ରତିପୋଷଣ କରୁଛନ୍ତି। ପିଲାମାନଙ୍କଠାରୁ ଆରମ୍ଭ କରି ପରିବାରର ବୃଦ୍ଧ ବ୍ୟକ୍ତି ପର୍ଯ୍ୟନ୍ତ ଏହି କାର୍ଯ୍ୟରେ ଦିନ ରାତି ବ୍ୟସ୍ତ ଥାନ୍ତି। ଦୋକାନରେ ରଫୁ ବରାଦ ହେବା ପରେ ଘରେ ବସି ଉଭୟ ପୁରୁଷ ଓ ମହିଳା କାର୍ଯ୍ୟରେ ଲାଗି ପଡ଼ନ୍ତି। ତେବେ ଏହି କାର୍ଯ୍ୟରେ ଆଉ ସେପରି ଆୟ ହେଉନାହିଁ ବୋଲି କାରିଗରମାନେ କହିଛନ୍ତି। ତେଣୁ ପରିବାରର ପରବର୍ତ୍ତୀ ପିଢ଼ି ଏହି କାର୍ଯ୍ୟରେ ଆଉ ମନୋନିବେଶ ନ କରି ଅନ୍ୟ କାର୍ଯ୍ୟ ଅନ୍ୱେଷଣରେ ରହୁଛନ୍ତି।

କିନ୍ତୁ ସରକାରଙ୍କ ପକ୍ଷରୁ କିଛି ପ୍ରୋତ୍ସାହନ ମିଳି ପାରିଲେ ଲୁପ୍ତ ହେବାକୁ ଯାଉଥିବା ଏହି କଳାର ପୁନରୁଦ୍ଧାର ହୋଇପାରିବ ବୋଲି ରଫୁ କାରିଗରମାନେ ଆଶା ବ୍ୟକ୍ତ କରିଛନ୍ତି।

Comment