ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆ ସରକାର ଗଢ଼ିବା ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଲେ ନବୀନ। ୨୦ ବର୍ଷ ପରେ ରାଜଭବନ ବାହାରେ ଶପଥ ନେବେ ନବୀନ।

ଓଡ଼ିଶାରେ ବିଜେଡିର ଐତିହାସିକ ବିଜୟ ପରେ ନୂଆ ସରକାର ଗଢ଼ିବା ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ନବୀନ ପଟ୍ଟନାୟକ। ରବିବାର ବିଜେଡି ବିଧାୟକ ଦଳର ବୈଠକରେ ନବୀନ ପଟ୍ଟନାୟକ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଏହାପରେ ନବୀନ ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କୁ ଭେଟି ସରକାର ଗଢ଼ିବା ପାଇଁ ଦାବି ଜଣାଇଛନ୍ତି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତା ୨୯ରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ହେଲେ ଏଥର ରାଜଭବନ ନୁହେଁ, ରାଜଭବନ ବାହାରେ ନବୀନ ଶପଥ ନେବେ। ଏଥିପାଇଁ ଭୁବନେଶ୍ୱର ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ନବୀନଙ୍କ ସମେତ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଶପଥ ନେବେ।

୨୦୦୦ ମସିହାରୁ ନବୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି। ଚାରି ପାଳି ଯାଏଁ ନବୀନ ରାଜଭବନରେ ହିଁ ଶପଥ ନେଉଥିଲେ। ହେଲେ ୨୦ ବର୍ଷ ପରେ ପ୍ରଥମ ଥର ପାଇଁ ରାଜଭବନ ବାହାରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଉଛି।

ବିଜୁ ଜନତା ଦଳ ଚଳିତ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ମୋଟ ୧୪୭ଟି ବିଧାନସଭା ଆସନରୁ ବିଜେଡି ଏକାକୀ ୧୧୨ ଆସନ ପାଇଛି। ବିଜେପି ୨୩ଟିରେ ସନ୍ତୁଷ୍ଟ ହୋଇଥିବା ବେଳେ କଂଗ୍ରେସ ୯ଟି ଏବଂ ସିପିଆଇ(ଏମ୍‌) ୧ଟି ଆସନ ପାଇଛି। କେବଳ ପାଟକୁରା ଆସନରେ ନିର୍ବାଚନ ବାକି ରହିଛି।

Comment