ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ବିଜେଡି ଟିକେଟରେ ନିର୍ବାଚିତ ହେଉ ହେଉ ପଞ୍ଚମ ପାଳିରେ ମନ୍ତ୍ରୀ ହେଲେ ପାଞ୍ଚ ଜଣ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ପାଳିରେ ନୂଆ ଓ ପୁରୁଣାଙ୍କୁ ନେଇ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। ୧୦ ପୁରୁଣା ଏବଂ ୧୦ ନୂଆ ମୁହଁକୁ ନେଇ ନବୀନ ତାଙ୍କ ଇନିଂସ୍ ଆରମ୍ଭ କରିଛନ୍ତି। ହେଲେ ବିଜେଡି ଟିକେଟରେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବା ନେତାଙ୍କୁ ମନ୍ତ୍ରୀ କରିଛନ୍ତି ନବୀନ।

ଏମାନଙ୍କ ଭିତରେ ଅଛନ୍ତି ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ, ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, କୋଟପାଡ଼ ପଦ୍ମିନୀ ଦିଆନ୍, ବିଷମକଟକ ବିଧାୟକ ଜଗନ୍ନାଥ ସାରକା। ଏମାନେ ସମସ୍ତେ ପ୍ରଥମ ଥର ପାଇଁ ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ବିଧାନସଭାକୁ ଆସିଛନ୍ତି।

ନବକିଶୋର ଦାସ : ଝାରସୁଗୁଡ଼ା ବିଧାନସଭା ଆସନରୁ ୨୦୦୯ ଏବଂ ୨୦୧୪ରେ କଂଗ୍ରେସ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିବା ନବ ଏଥର ଦଳ ବଦଳାଇ ଥିଲେ। କଂଗ୍ରେସ ସହ ସମ୍ପର୍କ ତୁଟାଇ ବିଜେଡିରେ ଯୋଗ ଦେଇଥିଲେ। ବିଜେଡି ତାଙ୍କୁ ଝାରସୁଗୁଡ଼ାରେ ପ୍ରାର୍ଥୀ କରିଥିଲା। ନବ ପ୍ରଥମ ଥର ପାଇଁ ବିଜେଡି ଟିକେଟରେ ଜିତି ବିଧାନସଭାକୁ ଆସୁ ଆସୁ ତାଙ୍କୁ ମନ୍ତ୍ରୀ ପଦ ମିଳିଛି।

ନବଙ୍କୁ ସ୍ୱାସ୍ଥ୍ୟ, ପରିବାରକଲ୍ୟାଣ ବିଭାଗର ମନ୍ତ୍ରୀ କରାଯାଇଛି।

ରଘୁନନ୍ଦନ ଦାସ : ବାଲିକୁଦା-ଏରସମା ଅଞ୍ଚଳରେ ବିଜେପି ସଙ୍ଗଠନକୁ ମଜଭୁତ କରିଥିଲେ ରଘୁନନ୍ଦନ। ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ କଡ଼ା ଟକ୍କର ଦେଇଥିବା ରଘୁନନ୍ଦନ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ।

ଡାକ୍ତର ଦାମୋଦର ରାଉତ ବିଜେପିରେ ମିଶି ବାଲିକୁଦା-ଏରସମାରୁ ଟିକେଟ ନେବା ପରେ ରଘୁନନ୍ଦନ ବିଜେଡି ଟିକେଟ ନେଇଥିଲେ। ଦାମଙ୍କୁ ବିପୁଳ ଭୋଟରେ ହରାଇ ରଘୁନନ୍ଦନ ବିଧାନସଭାକୁ ନିର୍ବାଚିତ ହେଉ ହେଉ ତାଙ୍କୁ ମନ୍ତ୍ରୀ ପଦ ମିଳିଛି। ତାଙ୍କ ଗୁରୁତ୍ୱପୂର୍ଣ୍ଣ ଜସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ କରାଯାଇଛି।

ତୁଷାରକାନ୍ତି ବେହେରା : ତୁଷାରକାନ୍ତି ବି ଦଳ ବଦଳାଇ ନିର୍ବାଚନ ଜିତିଛନ୍ତି ଏବଂ ମନ୍ତ୍ରୀ ହୋଇଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିରେ ଥିଲେ ତୁଷାରକାନ୍ତି। କାକଟପୁର ବିଧାନସଭା ଆସନ ପାଇଁ ଟିକେଟ ନେଇଥିଲେ। ହେଲେ ଶେଷ ମୁହୂର୍ତ୍ତରେ ସେ ବିଜେଡିରେ ମିଶି ଟିକେଟ ନେଇଥିଲେ। ନିର୍ବାଚନ ଜିତିବାକୁ ପରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି।

ତୁଷାରକାନ୍ତିଙ୍କୁ କ୍ରୀଡ଼ା, ଯୁବ ବ୍ୟାପାର ବିଭାଗର ମନ୍ତ୍ରୀ କରାଯାଇଛି।

ପଦ୍ମିନୀ ଦିଆନ୍ : କଂଗ୍ରେସର ଗଡ଼ କୋଟପାଡ଼ରେ ଏଥର ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ପଦ୍ମିନୀ ଦିଆନ୍। ନିର୍ବାଚନ ମଇଦାନରେ ସେ ପ୍ରଥମ ଥର ପାଇଁ ପରୀକ୍ଷା ଦେଇଥିଲେ। ପାସ୍ ମଧ୍ୟ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାକୁ ପ୍ରତିନିଧିତ୍ୱ କରିବା ପାଇଁ ପଦ୍ମିନୀଙ୍କୁ ମନ୍ତ୍ରୀ ପଦ ମିଳିଛି। ପଦ୍ମିନୀଙ୍କୁ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମନ୍ତ୍ରୀ କରାଯାଇଛି।

ଜଗନ୍ନାଥ ସାରକା : ବିଷମକଟକ ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ପାଇଁ ବିଜେଡି ଟିକେଟରେ ନିର୍ବାଚନ ଜିତିଛନ୍ତି ଜଗନ୍ନାଥ ସାରକା। ରାୟଗଡ଼ା ଜିଲ୍ଲାରେ ବିଜେଡିର ବରିଷ୍ଠ ନେତା ନଥିବାରୁ ଜଗନ୍ନାଥଙ୍କୁ ମନ୍ତ୍ରୀ ପଦ ମିଳିଛି।

ଏସସି ଓ ଏସଟି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମନ୍ତ୍ରୀ ପଦ ମିଳିଛି।

Comment