ଓଡିଶାଲାଇଭ ବ୍ୟୁରୋ

ବିହାରର ମୁଜାଫରପୁରରେ ମହାମାରୀର ରୂପ ନେଇଛି ଏକ୍ୟୁଟ ଏନସେଫାଲିଟିସ ସିନଡ୍ରୋମ(ଏକ ପ୍ରକାର ଜର)। ବର୍ତ୍ତମାନ ସୁଦ୍ଧା ୧୦୮ ଶିଶୁଙ୍କୁ ଜୀବନ ନେଲାଣି ଏହି ରୋଗ। ଗତ ସପ୍ତାହରୁ ଏହି ରୋଗ ବିହାରରେ ହାହାକାର ସୃଷ୍ଟି କରିଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ଯାଇ ହସ୍ପିଟାଲରେ ସ୍ଥିତି ସମୀକ୍ଷା କରୁଛନ୍ତି।

ନୀତିଶ କୁମାରଙ୍କୁ ହସ୍ପିଟାଲରେ କଡ଼ା ବିରୋଧ କରିଯାଇଥିବା ସୂଚନା ମିଳିଛି। ହସ୍ପିଟାଲରେ ଲୋକ ‘ନୀତିଶ ଫେରିଯାଅ’ ବୋଲି ନାରା ମଧ୍ୟ ଲଗାଇଛନ୍ତି।

ଗୋଟିଏ ପଟେ ସରକାର ପଦକ୍ଷେପ ନିଆଯାଉଛି ବୋଲି ଦାବି କରୁଛନ୍ତି। ଅନ୍ୟପଟେ ରୋଗରେ ପୀଡ଼ିତ ଶିଶୁଙ୍କ ସଂଖ୍ୟା ୪୧୪ରେ ପହଞ୍ଚିଲାଣି। ଏହି ଜରରେ ପୀଡ଼ିତ ଅଧିକାଂଶ ଶିଶୁ ମୁଜାଫରପୁର ସରକାରୀ ହସ୍ପିଟାଲ ଶ୍ରୀକୃଷ୍ଣ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏବଂ  କେଜରିୱାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଗତକାଲି ସୁଦ୍ଧା ଏହି ରୋଗରେ ୧୦୦ଜଣ ଜୀବନ ହାରିଥିଲେ। କେଜରିୱାଲ ଡାକ୍ତରଖାନାରେ ୧୮ ଏବଂ ଶ୍ରୀକୃଷ୍ଣା ମେଡିକାଲ କଲେଜରେ ୮୫ ଜଣକୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।

ପରିସ୍ଥିତିକୁ ଦେଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ରବିବାର ମେଡିକାଲ ପରିଦର୍ଶନ କରିଥିଲେ। ବିହାର ସରକାର ସମସ୍ତ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ୪ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।

ଡାକ୍ତରଙ୍କ କହିବା ଅନୁସାରେ ଏହି ରୋଗରେ ୧୦ ବର୍ଷରୁ କମ ପିଲା ବେଶୀ ଆକ୍ରାନ୍ତ ହେଉଥିବାବେଳେ, ବ୍ଲଡ ସୁଗାରର ମାତ୍ରା କମ ରହିବା, ଗୁଳୁଗୁଳି ସହ ଅଧିକ ତାପମାତ୍ରା ରହୁଥିବାରୁ ରୋଗ ବ୍ୟାପିବାକୁ ସୁବିଧା ହେଉଛି।

Comment