ଓଡ଼ିଶାଲାଇଭ ବ୍ୟୁରୋ

ପୁଅ ଆଶ୍ରା ନଦେବାରୁ କେବିନରେ ଦୀର୍ଘ ୨୦ ବର୍ଷ ହେଲା ଜୀବନ ବିତାଉଛନ୍ତି ବୃଦ୍ଧ ଦମ୍ପତ୍ତି। ଏଭଳି ଘଟଣା ଘଟିଛି କଟକ ଜୋବ୍ରାରେ।

(ରାଜେଶ କୁମାର ସେଠୀ): ବୃଦ୍ଧା ଅବସ୍ଥାରେ ବାପା ମା’ଙ୍କ ସାହାରା ପାଲଟିଥାଏ ପୁଅ। ହେଲେ ଏପରି ଏକ ସମୟ ଆସେ ବାପା ମା’ଙ୍କ ଅସହାୟ ଅବସ୍ଥାକୁ ପୁଅ ନିଜର ବୋଝ ବୋଲି ଭାବେ। ଏହି ବୋଝରୁ ମୁକ୍ତି ପାଇବା ପାଇଁ ବାପା ମା’ଙ୍କୁ ଏକୁଟିଆ ଛାଡ଼ି ଦିଏ। ଠିକ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ସହରର ଜୋବ୍ରା ଅଞ୍ଚଳରେ।

୭୫ ବର୍ଷୀୟ କାଶୀନାଥ ବାରିକ ଓ ତାଙ୍କ ପତ୍ନୀ ୭୦ ବର୍ଷୀୟା ରେଣୁବାଳା ବାରିକଙ୍କୁ ତାଙ୍କ ପୁଅ ବୋଝ ବୋଲି ଭାବି ନେଇ ଭୁବନେଶ୍ୱରରୁ ଆଣି କଟକରେ ଛାଡ଼ି ଚାଲି ଯାଇଛନ୍ତି। ଫଳରେ ଦୀର୍ଘ ୨୦ ବର୍ଷ ହେବ ଏକ କେବିନ ଭିତରେ ବେସାହାରା ଭାବେ ଜୀବନ ବିତାଉଛନ୍ତି ଏହି ବୃଦ୍ଧ ଦମ୍ପତ୍ତି। ସେବେଠୁ ବୃଦ୍ଧାଙ୍କ ସାହାରା ପାଲଟିଛି ଏକ ଛୋଟିଆ କେବିନ।

ପୁଅ କଟକରେ ଛାଡିଚାଲିଯିବା ପରେ ଏହି ବୃଦ୍ଧା ଦମ୍ପତ୍ତି ବହୁ କଷ୍ଟରେ ଗୁଜୁରାଣ ମେଣ୍ଟାଉଥିଲେ। ହେଲେ ଏହାରି ଭିତରେ ଆଉ ଏକ ବଜ୍ର ଚିନ୍ତା ପଡ଼ିଥିଲା ଏହି ଦମ୍ପତ୍ତିଙ୍କ ଉପରେ।  ଗତ ୧୦ବର୍ଷ ହେବ କାଶୀନାଥଙ୍କ ଆଖି ନଷ୍ଟ ହୋଇଯିବାରୁ ତାଙ୍କୁ ଠିକ ଭାବେ ଦେଖା ଯାଉନାହିଁ।

ଏହାପରେ ଅନ୍ଧ ସ୍ଵାମୀ ଓ ଚଳିବାର ଦାୟିତ୍ଵ ରେଣୁବାଳା ଉପରକୁ ଚାଲିଆସିଥିଲା। ପରଘରେ କାମ କରି ନିଜ ପେଟ ପୋଷୁଥିବା ଏହି ଦମ୍ପତ୍ତି ଏବେ ହାର ମାନିଯାଇଛନ୍ତି। ନିଜେ କାମ କରି ଆଉ ଗୁଜୁରାଣ ମେଣ୍ଟାଇବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ଫଳରେ ବେଳେ ଖାଇଲେ ବେଳେ ଉପାସ ରହିବାକୁ ପଡୁଛି ।

ସୌଭାଗ୍ୟବଶତଃ ବର୍ତ୍ତମାନ ତାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ବିଭିନ୍ନ ସ୍ଵେଛାସେବୀ ସଂଗଠନ। ସେମାନଙ୍କ ମଧ୍ୟରୁ ସ୍ଵପ୍ନ ଫାଉଣ୍ଡେସନ ତାଙ୍କ ମାସିକ ଚଳିବା ଦାୟିତ୍ଵ ନେଇଛନ୍ତି। ପ୍ରତ୍ୟେକ ମାସରେ ଚାଉଳ, ଡାଲି, ମସଲା, ପନିପରିବା ଆଦି ସହାୟତା କରିଥାନ୍ତି।

‘‘ଜଣେ ବନ୍ଧୁଙ୍କଠୁ ଏହି ଅସହାୟ ବୃଦ୍ଧାଙ୍କ ସମ୍ପର୍କରେ ଖବର ପାଇବା ପରେ ସେବେଠୁ ତାଙ୍କର ସବୁ ଚଳିବା ଖବର ଆମେ ବୁଝୁଛୁ। ତାଙ୍କର ସମସ୍ତ ଦାୟିତ୍ୱ ଆମେ ନେଉଛୁ‘‘, କହିଛନ୍ତି ସ୍ଵପ୍ନ ଫାଉଣ୍ଡେସନର ସଭାପତି ସୁଧାଶୁଂ ପାତ୍ର।

ଫନି ପୂର୍ବରୁ ମାନସିଂପାଟଣାର ପୂଜା କମିଟି ତରଫରୁ ତାଙ୍କୁ ଗୋଟେ ନୂଆ କେବିନ ଦିଆଯାଇଥିଲା ଏବଂ ଫନି ସମୟରେ ପଡ଼ୋଶୀ ତାଙ୍କୁ ଆଶ୍ରୟ ଦେଇଥିଲେ। ସ୍ଵେଚ୍ଛା ସେବୀ ସଂଗଠନ ଦ୍ଵାରା ତାଙ୍କୁ ବୃଦ୍ଧାଶ୍ରମ ନେବାପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ଲୋକଙ୍କ ସ୍ନେହ ଓ ଭଲପାଇବା ତାଙ୍କୁ ବାନ୍ଧି ରଖିଛି।

‘‘ଲୋକଙ୍କଠୁ ମିଳୁଥିବା ସହାୟତା ଓ ଭଲ ପାଇବା ଆମକୁ ସବୁ ଦୁଃଖ ଭୁଲିବାରେ ସାହାଯ୍ୟ କରୁଛି। କେବଳ ସରକାରଙ୍କ ତରଫରୁ ଘର ଖଣ୍ଡେ ମିଳିଲେ ସବୁ ଦୁଃଖ ଯାଆନ୍ତା”, କହିଛନ୍ତି ବୃଦ୍ଧା ରେଣୁବାଳା।

Comment