ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ବର୍ଷିଆନ ଜନସେବକ ମହମ୍ମଦ ବାଜୀଙ୍କ ବିୟୋଗରେ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ନବୀନ ପଟ୍ଟନାୟକ ଏନେଇ ଟୁଇଟ କରିଛନ୍ତି। ସେ ଟୁଇଟରରେ ଲେଖିଛନ୍ତି, ‘‘ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ମହମ୍ମଦ ବାଜୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଦେଶର ସ୍ଵାଧୀନତା ପାଇଁ ତାଙ୍କ ଅବଦାନ ସବୁବେଳେ ସ୍ମରଣୀୟ ରହିବ। ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।’’

ଆଜି ନବରଙ୍ଗପୁରସ୍ଥିତ ସୁନାରୀସାହି ବାସଭବନରେ ମହମ୍ମଦ ବାଜୀଙ୍କ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୧୦୩ ବର୍ଷ ହୋଇଥିଲା।

୧୯୧୭ ଜାନୁଆରି ୨୮ରେ ନବରଙ୍ଗପୁରରେ ଜନ୍ମଗ୍ରହଣ କରିଥିବା ବାଜୀ ଦୁଇଥର ବ୍ରିଟିଶ ସରକାର ବିରୋଧରେ ଆନ୍ଦୋଳନ କରି ଜେଲ ଯାଇଥିଲେ। ସେ ମହାତ୍ମା ଗାନ୍ଧିଙ୍କ ସହ ସ୍ୱାଧୀନତା ଆନ୍ଦୋଳନରେ ମଧ୍ୟ ଯୋଗ ଦେଇଥିଲେ। ଏହାସହ ଗାନ୍ଧିଙ୍କ ଅହିଂସା ଆନ୍ଦୋଳନକୁ ମଧ୍ୟ ସେ ନବରଙ୍ଗପୁରରେ ପ୍ରଚାର କରିଥିଲେ।

ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ଥିବା ସମୟରେ ବାଜୀ ରାଷ୍ଟ୍ରପତି ଭବନରେ କ୍ରାନ୍ତି ଦିବସ ଉପଲକ୍ଷେ ଏକ ଟି ପାର୍ଟିରେ ମଧ୍ୟ ଯୋଗ ଦେଇଥିଲେ।

Comment