ଓଡ଼ିଶାଲାଇଭ୍ ବ୍ୟୁରୋ

‘ଏକ ରାଷ୍ଟ୍ର ଏକ ନିର୍ବାଚନ’କୁ ନେଇ କେନ୍ଦ୍ର ସରକାର ବିଚାର ବିମର୍ସ ଜାରି ରଖିଥିବା ବେଳେ ଏବେ ‘ଏକ ରାଷ୍ଟ୍ର-ଏକ ରାସନ କାର୍ଡ’ ଯୋଜନା କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି।

୩୦ ଜୁନ ୨୦୨୦ ସୁଦ୍ଧା ସାରା ଭାରତରେ “ଏକ ରାଷ୍ଟ୍ର-ଏକ ରାସନ କାର୍ଡ” ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶ୍ୱାନ କହିଛନ୍ତି।

ପାଶ୍ୱାନ କହିଛନ୍ତି, ‘‘ସାରା ଦେଶରେ ସମସ୍ତ ରାସନ କାର୍ଡକୁ ଆଧାର କାର୍ଡ ସହ ଯୋଡ଼ିବା ଏବଂ ପଏଣ୍ଟ ଅଫ ସେଲ (ପିଓଏସ) ଜରିଆରେ ଖାଦ୍ୟ ଶସ୍ୟ ବଣ୍ଟନ ବ୍ୟବସ୍ଥାକୁ ସଂଗଠିତ କରିବା କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।’’

ବର୍ତ୍ତମାନ ୧୦ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଗୁଜରାଟ, ହରିଆଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ତେଲଙ୍ଗାନା ଓ ତ୍ରିପୁରାରେ ଖାଦଶସ୍ୟ ବଣ୍ଟନ ପାଇଁ ଶତ ପ୍ରତିଶତ ପିଓଏସ ମେସିନ ବ୍ୟବସ୍ଥା କରାଯିବା ସହିତ ଏଠାକାର ସବୁ ପିଡିଏସ ଦୋକାନରେ ଇଣ୍ଟରନେଟ ସଂଯୋଗ କାର୍ଯ୍ୟ ଶେଷ ହୋଇଛି।

ଏହି ରାଜ୍ୟଗୁଡ଼ିକରେ ଜଣେ ହିତାଧିକାରୀ ରାଜ୍ୟର ଯେକୌଣସି ସ୍ଥାନରେ ଥିବା ସାଧାରଣ ବଣ୍ଟନ କେନ୍ଦ୍ରରୁ  ଖାଦ୍ୟ ଶସ୍ୟ ନେଇପାରିବେ।

ଶ୍ରୀ ପାଶ୍ୱାନ ଆହୁରି କହିଥିଲେ ଯେ ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନା, ଗୁଜରାଟ ଓ ମହାରାଷ୍ଟ୍ରର ହିତାଧିକାରୀମାନେ ପରସ୍ପରର ରାଜ୍ୟରେ ଥିବା ଯେକୌଣସି ପିଡିଏସ କେନ୍ଦ୍ରରୁ ଯେପରି ସାମଗ୍ରୀ ପାଇପାରିବେ ସେ ବ୍ୟବସ୍ଥା କରାଯାଉଛି।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ, ‘‘ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା କାର୍ଯ୍ୟକାରୀ କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ କାମ କରାଯାଉଛି। ଏଥିପାଇଁ ସମସ୍ତ ରାସନ କାର୍ଡ ତଥ୍ୟକୁ ଗୋଟିଏ ସର୍ଭରରେ ସଂରକ୍ଷିତ କରି ରଖାଯିବ। ଫଳରେ ୩୦ ଜୁନ ୨୦୨୦ ସୁଦ୍ଧା ଦେଶର ଯେକୌଣସି ସ୍ଥାନରେ ଥିବା ପିଡିଏସ କେନ୍ଦ୍ରରୁ ଜଣେ ହିତାଧିକାରୀ ନିଜର ଖାଦ୍ୟଶସ୍ୟ ପାଇପାରିବେ।’’

ନିକଟରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନ ବିଭିନ୍ନ ରାଜ୍ୟର ଖାଦ୍ୟ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସମେତ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ), କେନ୍ଦ୍ରୀୟ ଭଣ୍ଡାରଣ ନିଗମ (ସିଡବ୍ଲ୍ୟୁସି) ଏବଂ ରାଜ୍ୟ ଭଣ୍ଡାରଣ ନିଗମ (ଏସଡବ୍ଲ୍ୟୁସି)ର ବରିଷ୍ଠ ଅଧିକାରୀମାନଙ୍କ ସହ ୨୭ ଜୁନରେ ସମୀକ୍ଷା କରିଥିଲେ।

ଏହି ବୈଠକରେ ପ୍ରବାସୀ ଲୋକମାନଙ୍କୁ ରାସନ କାର୍ଡ ବଣ୍ଟନ କାର୍ଯ୍ୟ ଦୁଇ ମାସ ମଧ୍ୟରେ ଶେଷ କରିବା ଲାଗି କେନ୍ଦ୍ରମନ୍ତ୍ରୀ ଶ୍ରୀ ପାଶ୍ୱାନ ନିର୍ଦ୍ଦେଶ ଦେଇଥିଲେ। ଅଧିକ ସଂଖ୍ୟକ ପ୍ରବାସୀ ନାଗରିକ ରହୁଥିବା ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଏବଂ ମହାରାଷ୍ଟ୍ର ସମେତ ଅନ୍ୟ ସହରଗୁଡ଼ିକରେ ଏହି କାର୍ଯ୍ୟ ଯଥାଶୀଘ୍ର ସାରିବା ପାଇଁ ସେ କହିଥିଲେ।

ମନ୍ତ୍ରୀ କହିଥିଲେ ଯେ ସମଗ୍ର ସାଧାରଣ ବଂଟନ ବ୍ୟବସ୍ଥାକୁ ଡିପୋ ଅନଲାଇନ ସିଷ୍ଟମ (ଡିଓଏସ) ସହ ସଂଯୋଗ କରିବା କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି। ଏହା ହୋଇଯିବା ଫଳରେ ଜାତୀୟ ଖାଦ୍ୟ ନିରପତ୍ତା ଆଇନର କାର୍ଯ୍ୟାନ୍ୱୟନ ସହଜ ହେବ ଏବଂ ଖାଦ୍ୟ ଶସ୍ୟର ଭଣ୍ଡାରଣ ଏବଂ ବଣ୍ଟନ ପ୍ରକ୍ରିୟାକୁ ଆହୁରି ସ୍ୱଚ୍ଛ କରିବ। ଚାରି ମାସ ମଧ୍ୟରେ ରାଜ୍ୟ ସରକାରଙ୍କ ସହିତ ଡିଓଏସର ମିଶ୍ରଣ ପାଇଁ ଏଫସିଆଇ ଗେଟୱେ ପ୍ରଦାନ କରିବ।

ଦୁଇ ମାସ ମଧ୍ୟରେ ରାଜ୍ୟଗୁଡ଼ିକ ସେମାନଙ୍କ ଭଣ୍ଡାରଣ ପରିଚାଳନା ବ୍ୟବସ୍ଥାକୁ ଡିଓଏସ ସହିତ ମିଶାଇବେ। ଏହି କ୍ଷେତ୍ରରେ ହୋଇଥିବା ପ୍ରଗତିକୁ ନିରନ୍ତର ସମୀକ୍ଷା କରିବା ଲାଗି କେନ୍ଦ୍ର ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comment