ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ : ଓଲଟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥା (ଏସ୍‌ଭିନିରତାର)ର ନିର୍ଦ୍ଦେଶକ ଡାକ୍ତର ଶକ୍ତି ପ୍ରସାଦ ଦାସଙ୍କୁ ଆକ୍ରମଣା ଘଟଣାରେ ଓଲଟପୁର ଥାନା ପୋଲିସ୍ ୫ଜଣଙ୍କୁ ଗିରଫ କରିଛି।

ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା କଳଙ୍ଗ ଗାଁର ଲକ୍ଷ୍ମୀଧର ମଲ୍ଲିକ(୫୬), କଟକ ସଦର ଥାନା ଅନ୍ତର୍ଗତ ଗବିଲୋ ଗାଁର ଆକାଶ, ବ୍ରାହ୍ମଣଝରିଲୋ ଗାଁର ବସିର୍ ଖାନ୍(୩୨) ଏବଂ ଚୌଦ୍ୱାର ଥାନା ଅନ୍ତର୍ଗତ ନଖରା ଗାଁର ସୁଶାନ୍ତ ମଲ୍ଲିକ(୩୫)। ଅନ୍ୟ ଜଣେ ଅଭିଯୁକ୍ତ ଆୟୁବ ଖାନ୍ ଫେରାର୍ ଅଛନ୍ତି।

ଲକ୍ଷ୍ମୀଧର ଓ ଆକାଶ ନିର୍‌ତାର କର୍ମଚାରୀ ହୋଇଥିବା ବେଳେ ଅନ୍ୟମାନେ ତାଙ୍କ ସହଯୋଗୀ ଥିଲେ। କର୍ମଚାରୀ ଥଇଥାନ ବିବାଦକୁ ନେଇ ନିର୍ଦ୍ଦେଶକ ରାଜି ନହେବାରୁ ତାଙ୍କୁ ବାଟରୁ ସଫା କରିବାକୁ ଅଭିଯୁକ୍ତମାନେ ଏହି କାଣ୍ଡ ଭିଆଇଥିଲେ ବୋଲି କଟକ ଗ୍ରାମାଞ୍ଚଳ ଏସ୍ପି ରାଧାବିନୋଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

କର୍ମଚାରୀ ଥଇଥାନକୁ ନେଇ କିଛିଦିନ ଧରି ନିରତାରରେ ବିବାଦ ଲାଗି ରହିଥିଲା। ନିରତାର କ୍ୟାଣ୍ଟିନରେ ୱେଟର୍ ଭାବେ କାର୍ଯ୍ୟରତ ଲକ୍ଷ୍ମୀଧର ମଲ୍ଲିକ(୫୬) ଏ ନେଇ ନିର୍ଦ୍ଦେଶକ ଶ୍ରୀ ଦାସକୁ ବାରମ୍ବାର ଚାପ ପକାଉଥିଲେ। ନିଜ ଲୋକଙ୍କୁ ନିରତାରରେ ନିଯୁକ୍ତି ଦେବାକୁ ଜିଦି ଧରିଥିଲେ ଲକ୍ଷ୍ମୀଧର। କିନ୍ତୁ ନିର୍ଦ୍ଦେଶକ ଏ ନେଇ କିଛି ପଦକ୍ଷେପ ନନେବାରୁ ଲକ୍ଷ୍ମୀଧର ତାଙ୍କୁ ଟାର୍ଗେଟ୍ କରିଥିଲେ। ଏମିତିକି ପୂର୍ବରୁ ତାଙ୍କୁ ମାରି ଦେବାକୁ ଧମକ୍ ମଧ୍ୟ ଦେଇଥିବା ଜଣାପଡିଛି।

ଏତେ ସବୁ ପରେ ନିର୍ଦ୍ଦେଶକ ଶ୍ରୀ ଦାସ ନିଯୁକ୍ତି ନେଇ ନମାନିବାରୁ ତାଙ୍କୁ ବାଟରୁ ହଟାଇବାକୁ ବାଟ କାଢିଥିଲେ ଲକ୍ଷ୍ମୀଧର। ଏଥିରେ କ୍ୟାଣ୍ଟିନରେ ଠିକା କର୍ମଚାରୀ ଭାବେ କାମ କରୁଥିବା ୰ାକାଶ ସାମିଲ୍ ହୋଇଥିଲେ। ଉଭୟେ ଅନ୍ୟ ଅଭିଯୁକ୍ତଙ୍କ ସହ ଏକାଠି ହୋଇ ଗତ ୩ତାରିଖ ଦିନ ନିର୍ଦ୍ଦେଶକ ଶ୍ରୀ ଦାସଙ୍କ ଉପରକୁ ଆକ୍ରମଣ କରିଥିଲେ।

ଏଥିପାଇଁ ଲକ୍ଷ୍ମୀଧର ଅନ୍ୟମାନଙ୍କୁ ୩୫ହଜାର ଟଙ୍କା ଦେଇଥିବା ପୋଲିସ୍ ସୂତ୍ରରୁ ସୂଚନା ମିଳିଛି। ଘଟଣା ପରଠାରୁ ଅଭିଯୁକ୍ତ ମାନେ ଫେରାର୍ ଥିଲେ। ଆଜି ଓଲଟପୁର ଥାନା ସମସ୍ତଙ୍କୁ ଆଇପିସିର ଧାରା ୩୦୭, ୪୨୭ ଓ ୩୪ ସହିତ ଆର୍ମସ୍ ଆକ୍ଟର ଧାରା ୨୫ ଓ ୨୭ରେ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିଯୁକ୍ତଙ୍କ ନିକଟରୁ ନଗଦ ୫୦ହଜାର ଟଙ୍କା ସହ ୫ଟି ମୋବାଇଲ, ସ୍କୁଟି ଏବଂ ବାଇକ ଜବତ କରାଯାଇଛି। ଗତ ୩ତାରିଖ ଦିନ ୬୦ ନମ୍ବର ଜାତୀୟ ରାଜପଥର ଦାମୋଦରପୁର ଛକ ନିକଟରେ କିଛି ଦୁର୍ବୃତ୍ତ ନିରତାର୍‌ ନିର୍ଦ୍ଦେଶକଙ୍କୁ ଆକ୍ରମଣ କରିଥିଲେ। ଫଳରେ ତାଙ୍କ କାର ପଛ କାଚ ଭାଙ୍ଗିଯାଇଥିଲା। ଏହାପରେ ଦୁର୍ବୃତ୍ତମାନେ ତାଙ୍କୁ ପିଛା କରି ଏକ ଦେଶୀ ବନ୍ଧୁକ ସାହାଯ୍ୟରେ ଗାଡି ପଛକୁ ବାଡେଇଥିଲେ। ଗାଡିର ବେଗ ଅଧିକ ଥିବାରୁ ବନ୍ଧୁକଟି କୌଣସିମତେ ଦୁର୍ବୃତ୍ତଙ୍କ ହାତରୁ ଖସିଯାଇ ଶ୍ରୀ ଦାସଙ୍କ ମୁଣ୍ଡରେ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଓଳଟପୁର ଥାନରେ ଏତଲା ଦେଇଥିଲେ ଶ୍ରୀ ଦାସ।

Comment