ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ମଣିଷ ହେଉଛି ପ୍ରାଣୀ ଜଗତ ଭିତରେ ଶ୍ରେଷ୍ଠ। ମଣିଷ ଜୀବନର ଶ୍ରେଷ୍ଠ ଧର୍ମ ହେଉଛି ମାନବିକତା। ଏହାର ଯଥାର୍ଥତା ପ୍ରମାଣିତ କରିଛନ୍ତି କଟକର କିଛି ଯୁବକ। ଜଣେ ଅସହାୟ ବ୍ୟକ୍ତିଙ୍କ ଶବକୁ ଉଦ୍ଧାର କରି ତାଙ୍କର ଅନ୍ତିମ ସଂସ୍କାର କରିବା ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଏହି ଯୁବକମାନେ ସମାଜକୁ ଏକ ନୂତନ ବାର୍ତ୍ତା ଦେଇଛନ୍ତି।

କହ୍ନେଇ ଦେ। ବୟସ ୭୮। ଦୀର୍ଘ ବର୍ଷ ଧରି କଟକ ମାଲଗୋଦାମ ଅଞ୍ଚଳରେ ବୁଲି ଭିକ୍ଷାବୃତ୍ତି କରୁଥିଲେ। ମାନସିକ ଅବସ୍ଥା ଦୁର୍ବଳ ହୋଇଯାଇଥିଲା। ତାଙ୍କ ଘର କେଉଁଠି, ତାଙ୍କର ଆଉ କେହି ସମ୍ପର୍କୀୟ ଅଛନ୍ତି କି ନାହିଁ ଏ ସମ୍ପର୍କରେ କାହାରି ପାଖରେ କିଛି ଖବର ନାହିଁ। ଦୋକାନରୁ ଦୋକାନ ବୁଲି କିଛି ପଇସା ଯୋଗାଡ଼ ହୋଇଗଲେ ପେଟକୁ ଦୁଇମୁଠା ଖାଇବାକୁ ମିଳିଯାଏ।

ଦିନ ତମାମ୍ ଏଣେ ତେଣେ ବୁଲି ରାତିରେ ଯେ କୌଣସି ଦୋକାନ ପିଣ୍ଢାରେ ଶୋଇ ପଡ଼ନ୍ତି। ସ୍ଥାନୀୟ ବ୍ୟବସାୟୀ ବି ତାଙ୍କୁ ଚିହ୍ନନ୍ତି । କାହାର କିଛି କ୍ଷତି କରୁନଥିବାରୁ ବ୍ୟବସାୟୀ କେହି ତାଙ୍କୁ କିଛି କୁହନ୍ତି ନାହିଁ। ହଠାତ୍ ବୁଧବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସକାଳୁ ମାଲଗୋଦାମ ଅଞ୍ଚଳରେ ତାଙ୍କ ଶବ ପଡ଼ି ରହିଥିଲା। ଅସହାୟ ଥିବାରୁ ତାଙ୍କର ଅନ୍ତିମସଂସ୍କାର କେମିତି ହେବ କେହି ମୁଣ୍ଡ ଖେଳାଇ ନଥିଲେ। ହେଲେ ଏହି ଖବର ଜୟ ଜଗନ୍ନାଥ ସେବା ସମିତି ନାମକ ସ୍ୱେଚ୍ଛାସେବୀ ସଙ୍ଗଠନ ପାଖରେ ପହଞ୍ଚିଥିଲା। ଏହି ସଙ୍ଗଠନର ଯୁବକମାନେ ଏକାଠି ହୋଇ ମାଲଗୋଦାମ ଯାଇଥିଲେ।

କହ୍ନେଇଙ୍କ ମୃତଦେହକୁ ନେଇ ବଡ ମେଡିକାଲ ଯାଇଥିଲେ। ସେଠାରେ ତାଙ୍କର ଶବ ବ୍ୟବଚ୍ଛେଦ ହୋଇଥିଲା। ପରେ ମେଡିକାଲ ଫାଣ୍ଡିରେ ଏ ସଂକ୍ରାନ୍ତରେ ଏକ ରିପୋର୍ଟ ଦେଇ ପୋଲିସ ସହମତିରେ ତାଙ୍କୁ ସେଠାରୁ ନେଇ ଆସିଲେ। ପ୍ରେସଛକସ୍ଥିତ ସ୍ୱର୍ଗଦ୍ୱାରରେ କହ୍ନେଇଙ୍କ ଶବ ସଂସ୍କାର କଲେ।

ମାଲଗୋଦାମ ଅଞ୍ଚଳର ଜଣେ ବ୍ୟବସାୟୀ ଯଦିଓ ଅନ୍ତିମ ସଂସ୍କାରର ଖର୍ଚ୍ଚ ବହନ କରିଥିଲେ କିନ୍ତୁ ଏ ଯୁବ ଗୋଷ୍ଠୀଙ୍କ ଭୂମିକା ବେଶ୍ ପ୍ରଶଂସନୀୟ ରହିଥିଲା।

ଜୟ ଜଗନ୍ନାଥ ସେବା ସମିତିର ସଭାପତି ମନୋଜ ପଣ୍ଡା ନିଜେ କର୍ତ୍ତା ହୋଇ ସମସ୍ତ କର୍ମ କରିଥିଲେ। ଏମିତିକି ମୁଖାଗ୍ନି ବି ଦେଇଥିଲେ। ଏଥିରେ ସମିତିର ଶଶାଙ୍କ ଶେଖର ଦାଶ, ସୁପ୍ରଭା ସ୍ୱାଇଁ, ଅବିନାଶ ରାଉତରାୟ, ସୁଦୀପ୍ତ ଦାଶ, ବର୍ଷା ସାହୁ, ସୁମନବାଲା ତ୍ରିପାଠୀ, ଡମ୍ବରୁଧର ବାରିକଙ୍କ ସମେତ ସ୍ଥାନୀୟ ବାସିନ୍ଦା ବିଭୂତି ସ୍ୱାଇଁ, ବିନୋଦ ସ୍ୱାଇଁ, ବିଜୟ ସ୍ୱାଇଁ, ଭାବଗ୍ରାହୀ ନାୟକ ପ୍ରମୁଖ ସହଯୋଗ କରିଥିଲେ।

କେବଳ ଏହି ଘଟଣା ନୁହେଁ, ଜୟ ଜଗନ୍ନାଥ ସେବା ସମିତି ଅନ୍ୟ କାର୍ଯ୍ୟରେ ବି ମାନବିକତାର ଉଦାହରଣ ସୃଷ୍ଟି କରିପାରିଛନ୍ତି। ବାହାଘର, ବ୍ରତଘର କିମ୍ବା ଶ୍ରାଦ୍ଧ ବାର୍ଷିକୀରେ ଯଦି କେଉଁଠି ଖାଦ୍ୟ ବଳିଯାଏ ସମିତିର ସଦସ୍ୟ ମାନେ ଏକାଠି ହୋଇ ବିଳମ୍ବିତ ରାତିରେ ରେଲୱେ ଷ୍ଟେସନ୍, ବସ୍‌ଷ୍ଟାଣ୍ଡରେ ବୁଲି ଲୋକମାନଙ୍କୁ ଆହାର ଯୋଗାଇଥାନ୍ତି।

Comment