ଓଡ଼ିଶାଲାଇଭ୍ ବ୍ୟୁରୋ

ପଟ୍ଟନାୟିକିଆ ଛକ ଟ୍ରିପଲ ମର୍ଡର ଘଟଣାରେ ବିଧାନସଭାରେ ବିବୃତି ରଖି ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ହତ୍ୟାକାଣ୍ଡକୁ ମୁଖ୍ୟମନ୍ତ୍ରୀ ‘ଦୁର୍ଭାଗ୍ୟଜନକ’ କହିବା ସହ ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇଥିବା କହିଛନ୍ତି।

ଗତ ୧୪ ତାରିଖରେ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ଛକରେ କିଛି ଦୁର୍ବୃତ୍ତ ତିନି ଜଣଙ୍କୁ ଗୋଡ଼େଇ ଗୋଡ଼େଇ ହତ୍ୟା କରିଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକେ ରାଜରାସ୍ତା ଅବରୋଧ କରିଥିଲେ। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା।

ପଟ୍ଟନାୟିକିଆ ଛକ ଟ୍ରିପଲ ମର୍ଡର ଘଟଣାକୁ ବିରୋଧୀ ବିଧାନସଭାରେ ଉଠାଇ ସରକାରଙ୍କୁ ଘେରିଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଯାଇଥିବା ବିରୋଧୀ ଅଭିଯୋଗ କରିଥିଲେ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ବିରୋଧୀ ଗୃହ ଅଚଳ କରିଥିଲେ।

ବାଚସ୍ପତିଙ୍କ ରୁଲିଂ ପରେ ମୁଖ୍ୟମନ୍ତ୍ରୀ ଆଜି ବିଧାନସଭାରେ ବିବୃତି ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘‘ଗତ ୧୪ ତାରିଖରେ ପଟ୍ଟନାୟିକିଆରେ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା। ଏହି ହତ୍ୟାକାଣ୍ଡ ପରେ ସତ୍ୟବାଦୀ ଥାନାରେ ମୃତକଙ୍କ ପରିବାର ବର୍ଗ ପକ୍ଷରୁ ସତ୍ୟବାଦୀ ଥାନାରେ ଏତାଲା ଦିଆଯାଇଥିଲା। ଏତଲା ପରେ ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।’’

‘‘ଏହି ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି। ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପୀଡ଼ିତଙ୍କ ପରିବାରକୁ ସୁରକ୍ଷା ଦେବା ପାଇଁ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି’’, କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ମୃତକ ଏବଂ ଅଭିଯୁକ୍ତ ହେଉଛନ୍ତି ପାଖାପାଖି ଅଞ୍ଚଳର। ଜମିଜମାକୁ ନେଇ ଉଭୟଙ୍କ ଭିତରେ ଦୀର୍ଘ ଦିନ ହେଲା ବିବାଦ ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

‘‘ରାଜ୍ୟରେ ଅପରାଧ ରୋକିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଗତ ସୋମବାର ଦିନ ବିଧାନସଭା ଅଚଳ କରିଦେଇଥିଲେ ବିରୋଧୀ କଂଗ୍ରେସ ଏବଂ ବିଜେପି।

Comment