ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପିପିଲିର ଟାଣୁଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ବିଜେଡି ବିଧାନସଭାରେ ଏଥର ଏକଘରିକିଆ କରିଥିବା ମନେହେଉଛି। ଏହାର ପ୍ରମାଣ ବିଧାନସଭାରେ ଜଳ ଜଳ କରି ଦେଖିବାକୁ ମିଳିଛି। ଆଳୁ ମିଶନ ଏବଂ ଶୀତଳ ଭଣ୍ଡାର ପ୍ରସଙ୍ଗରେ ବିଧାନସଭାରେ ମହାରଥୀ ପଚାରିଥିବା ପ୍ରଶ୍ନକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପାଲଟା ବାଣ ମାରିଛନ୍ତି। ଫଳରେ ମହାରଥୀ ଏବଂ ନିରଞ୍ଜନଙ୍କୁ ନେଇ ଅଧିବେଶ ପୂରା ଗରମ ରହିଛି।

ପ୍ରଦୀପ ମହାରଥୀଙ୍କ ପ୍ରଶ୍ନ – ‘‘ଆଳୁ ମିଶନର ସ୍ଥିତି କ’ଣ ଅଛି ଏବଂ ରାଜ୍ୟରେ କେତେ ଶୀତଳଭଣ୍ଡାର ଅଚଳ ଓ ସଚଳ ଅଛି?’’

କୃଷି ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଗତକାଲି ବିଧାନସଭାରେ ଅନୁପସ୍ଥିତ ଥିବାରୁ ଉତ୍ତର ଦେବାକୁ ଉଠିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଉତ୍ତର ଦେଇ ମହାରଥୀଙ୍କୁ ସିଧା ଟାର୍ଗେଟ କରିଥିଲେ ପୂଜାରୀ।

ନିରଞ୍ଜନ ପୂଜାରୀ କହିଥିଲେ, ‘‘ପ୍ରଦୀପ ମହାରଥୀ ପୂର୍ବରୁ କୃଷି ବିଭାଗର ମନ୍ତ୍ରୀ ଥିଲେ। ତାଙ୍କରି ଅମଳରେ ଆଳୁ ମିଶନ ଆରମ୍ଭ ହୋଇଥିଲା ଏବଂ ତାଙ୍କରି ଅମଳରେ ହିଁ ଏହି ମିଶନ ଶେଷ ହୋଇଛି। ସେ ପୁଣି ଆଳୁ ମିଶନର ସ୍ଥିତି କଥା କେମିତି ପଚାରୁଛନ୍ତି? ସରକାର ଆଳୁ ମିଶନକୁ ପୁନଃକାର୍ଯ୍ୟକ୍ଷମ କରିବାକୁ ଚାହୁଁଛନ୍ତି।’’

ମହାରଥୀଙ୍କ ଶୀତଳ ଭଣ୍ଡାର ପ୍ରସଙ୍ଗରେ ଉତ୍ତର ଦେଇ ପୂଜାରୀ ପୁଣି ବାଣ ମାରିଥିଲେ। ସେ କହିଥିଲେ ଯେ ମହାରଥୀଙ୍କ ଅମଳରେ ହିଁ  ଶୀତଳଭଣ୍ଡାର ସଂଖ୍ୟା ହ୍ରାସ ପାଇଛି। ଏବେ ଅଚଳ ଶୀତଳଭଣ୍ଡାରକୁ ସଚଳ କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି।

ନିରଞ୍ଜନଙ୍କ ଏହି ପାଲଟା ବାଣ ପରେ ଗୁରୁବାର ବିଧାନସଭା ଅଧିବେଶନ ଶେଷ ହୋଇଥିଲା। ହେଲେ ଶୁକ୍ରବାର ଏହାକୁ ନେଇ ମହାରଥୀ ପୂଜାରୀଙ୍କୁ କଡ଼ା ଜବାବ ଦେଇଥିଲେ।

ମହାରଥୀ କହିଥିଲେ, ‘‘ମନ୍ତ୍ରୀ ଗତକାଲି ଗୃହରେ ଯେଉଁ ଉତ୍ତର ଦେଇଥିଲେ, ତାହା ମତେ ବାଧିଛି। ମନ୍ତ୍ରୀଙ୍କ ଉତ୍ତର ପାଇଁ ମୁଁ କାଲି ରାତିରୁ ଉପାସ ରହିଛି। ମନ୍ତ୍ରୀ ତାଙ୍କ ବିବୃତି ଫେରାଇ ନିଅନ୍ତୁ।’’

ମହାରଥୀ ଆହୁରି କହିଥିଲେ, ‘‘୧୯୮୫ରୁ ମୁଁ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଛି। ୨୦୦୦ ମସିହାରେ ମୁଁ ଶାସକ ଦଳର ମୁଖ୍ୟ ସଚେତକ ଥିଲି। କୃଷି ମନ୍ତ୍ରୀ ଥିବା ବେଳେ ଓଡ଼ିଶା ଚାରି ଚାରି ଥର କୃଷି କର୍ମଣ ପୁରସ୍କାର ପାଇଛି। ମୋ ଅମଳରେ ଶୀତଳଭଣ୍ଡାର ସଂଖ୍ୟା ୨୪ରୁ ୪୮ ହୋଇଥିଲା।’’

ମହାରଥୀ ଏବଂ ପୂଜାରୀଙ୍କ ଭିତରେ ଚାଲିଥିକା କଥା କଟାକଟି ଭିତରେ ଧସେଇ ପଶିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

ସେ କହିଛନ୍ତି, ‘‘ମହାରଥୀ ସବୁବେଳେ ଏମିତି। ସେ ସବୁବେଳେ ଯାତ୍ରା ଡାଇଲଗ୍ ମାରନ୍ତି।’’

ପାଟକୁରାରେ ହାଇଭୋଲଟେଜ ନିର୍ବାଚନ ପ୍ରଚାର ଶେଷ ହୋଇଥିବା ବେଳେ ବିଧାନସଭାରେ ବିଜେଡିର ନାଟକ ଆରମ୍ଭ ହୋଇଛି। ଏହି ନାଟକ ପିପିଲିର ଟାଣୁଆ ବିଧାୟକ ପ୍ରଦୀପ ମହାରଥୀଙ୍କ ପ୍ରଶ୍ନକୁ ନେଇ ଆରମ୍ଭ ହୋଇଛି।

Comment