ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) : ରାୟଗଡ଼ାରେ ହେବ ନୂଆ ରେଳ ଡିଭିଜନ। ଏନେଇ କେନ୍ଦ୍ର ସରକାର ଘୋଷଣା କରିବା ପରେ ରାୟଗଡ଼ାବାସୀ ଏହି ପ୍ରକଳ୍ପକୁ ସ୍ୱାଗତ କରିଛନ୍ତି। ନୂଆ ରେଳ ଡିଭିଜନ ପ୍ରତିଷ୍ଠା ହେଲେ ରାୟଗଡ଼ା ଜିଲ୍ଲା ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଳି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

ରାୟଗଡ଼ାରେ ୧୯୩୧ ମସିହାରେ ରେଳ ଷ୍ଟେସନ ପ୍ରତିଷ୍ଠା ହୋଇଥିଲା। ପ୍ରତିଦିନ ଏହି ଷ୍ଟେସନ ଦେଇ ୬୦ଟି ଯାତ୍ରୀବାହୀ ଟ୍ରେନ ଯିବା ଆସିବା କରୁଛି। ଏହାସହ ଦାମନଯୋଡିର ନାଲକୋ, ଟିକିରୀର ଉତ୍କଳ ଆଲୁମିନା, ଜେକେ ପେପର ମିଲ୍, ବେଦାନ୍ତ ଓ ଇମ୍ଫା କାରଖାନାର କଞ୍ଚାମାଲ ନେବା ଆଣିବା ପାଇଁ ମାଲବାହୀ ଟ୍ରେନ ମଧ୍ୟ ଚଳାଚଳ କରୁଛି।

ରାୟଗଡାଠାରେ ରେଳ ବିଭାଗର ୨୫୦ରୁ ଅଧିକ ଏକର ଜମି ରହିଛି। ରେଳ ଡିଭିଜନ ପ୍ରତିଷ୍ଠା ହେଲେ ଏଠାରେ ପାଖାପାଖି ୫ହଜାର କର୍ମଚାରୀ ନୂତନ ଭାବେ ନିଯୁକ୍ତି ପାଇ ପରିବେ।  କର୍ମଚାରୀଙ୍କ ରହିବା ପାଇଁ କ୍ୱାର୍ଟର, ସ୍କୁଲ, ଡାକ୍ତରଖାନା, କମ୍ୟୁନିଟି ସେଣ୍ଟର, ରାସ୍ତାଘାଟ  ଆଦି ନିର୍ମାଣ ହେବ। ସେହିଭଳି ରାୟଗଡା ରେଳ ଷ୍ଟେସନରେ କ୍ୟାଣ୍ଟିନ, ଡରମିଟେରି, ରେଷ୍ଟିଙ୍ଗ ହଲ, ଭିଭିଆଇପିଙ୍କ ପାଇଁ ସ୍ୱତନ୍ତ ଶୀତତାପ ନିୟନ୍ତ୍ରି କୋଠରୀ, ଆଉ ୫ଟି ପ୍ଲାଟଫର୍ମ, ଏସ୍କାଲେଟର, ବିଭିନ୍ନ ରିଫ୍ରେସମେଣ୍ଟ ଷ୍ଟଲ ନିର୍ମାଣ ହେବାର ଲକ୍ଷ୍ୟ ରହିଛି।

ରାୟଗଡା ରେଳ ଡିଭିଜନର ପରିସୀମା ବିଶାଖପାଟଣା ଡିଭିଜନର ଓଡ଼ିଶା ସୀମା ଜମାଦେଇପେଣ୍ଠ, ସମ୍ବଲପୁର ଡିଭିଜନର ରାୟଗଡା-ଟିଟଲାଗଡ, କୋରପୁଟ ଜିଲ୍ଲାର କୋରାପୁଟ-ବିଶାଖପାଟନମ ରାସ୍ତାର ଆର୍କୁ ଏବଂ ପଡୋଶୀ ଛତିଶଗଡର ଜଗଦଲପୁର-କିରାଣ୍ଡୁଲ ପର୍ଯ୍ୟନ୍ତ ରହିବା ଆଶା କରାଯାଉଛି।

Comment