ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ସବୁଠାରୁ ଅଧିକ ଭିକାରି କଟକ ଜିଲ୍ଲାରେ ଅଛନ୍ତି। ଶନିବାର ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ସରକାରୀ ସୂଚନା ମୂତାବିକ, କଟକ ଜିଲ୍ଲାରେ ୧୦୬୦ ଜଣ ଭିକାରି ରହିଥିବା ବେଳେ ଦ୍ୱିତୀୟ ସର୍ବାଧିକ ଜିଲ୍ଲା ଭାବେ ବଲାଙ୍ଗିରରେ ୭୦୮ ଜଣ ଭିକାରି ରହିଛନ୍ତି।

ଶନିବାର ଗୃହରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତରରେ ଦେବାକୁ ଯାଇ ମନ୍ତ୍ରୀ ଅଶୋକ ପଣ୍ଡା ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ମୋଟ ୬୩୯୦ ଭିକାରି ଚିହ୍ନଟ ହୋଇଛି। ଭିକାରି ସଂଖ୍ୟାରେ କଟକ ଜିଲ୍ଲାରେ ଆଗରେ ଥିବା ବେଳେ ଦେବଗଡ଼ ଜିଲ୍ଲାରେ ସବୁଠାରୁ କମ୍‌ ୧୬ ଜଣ ଭିକାରି ଚିହ୍ନଟ ହୋଇଛନ୍ତି।

ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାରେ ୪୮୫ ଜଣ ଭିକାରି ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୪୫୮ ଜଣ ଚିହ୍ନଟ ହୋଇଛନ୍ତି।  ସେହିପରି ଅନୁଗୁଳ ଜିଲ୍ଲାରେ ୯୭ ଜଣ, ବାଲେଶ୍ୱରରେ ୧୩୧, ଢ଼େଙ୍କାନାଳରେ ୯୭, ପୁରୀରେ ୧୨୦, ଭଦ୍ରକରେ ୨୨୦, ଜଗତସିଂହପୁରରେ ୫୩, ଯାଜପୁର ୧୯୬, ଝାରସୁଗୁଡ଼ାରେ ୪୧, କଳାହାଣ୍ଡିରେ  ୨୧୪, କନ୍ଧମାଳ ୧୧୭, ମାଲକାନଗିରିରେ ୨୧, କେନ୍ଦ୍ରାପଡ଼ା ୨୨ ଓ କେନ୍ଦୁଝରରେ ୧୫୩ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୫୩ ଜଣ ଭିକାରି ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ଭିକାରିଙ୍କ ଥଇଥାନ ଓ ଆତ୍ମନିଯୁକ୍ତି ପାଇଁ ରାଜ୍ୟ ସରକାର ‘ସହାୟ’ ଯୋଜନା ଚଳାଇଛନ୍ତି। ଏହି ଯୋଜନା ମାଧ୍ୟମରେ ଏପର୍ଯ୍ୟନ୍ତ ୨୮୮୬ ଜଣ ଭିକାରିଙ୍କୁ ସହାୟତା ଯୋଗାଇ ଦିଆଯାଇଛି। ଗୃହରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତରରେ ଦେବାକୁ ଯାଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ଏହି ସୂଚନା ଦେଇଛନ୍ତି।

Comment