ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲାର ମହିଳା କାଇଁଚ କାରିଗରମାନଙ୍କୁ ସହାୟତାର ହାତ ବଢ଼ାଇଛି ଫାବ୍‌ ଇଣ୍ଡିଆ। ମହିଳା କାରିଗରମାନଙ୍କୁ ଉନ୍ନତମାନର ତାଲିମ୍‌ ଦେଇ ଆହୁରି ଆକର୍ଷଣୀୟ ସାମଗ୍ରୀ କିପରି ତିଆରି ହୋଇ ପାରିବ ସେନେଇ ଫାବ୍‌ ଇଣ୍ଡିଆ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଫାବ୍‌ ଇଣ୍ଡିଆର ପ୍ରତିଶ୍ରୁତି ପରେ ମହିଳା କାଇଁଚ କାରିଗରଙ୍କ ମୁହଁରେ ହସ ଫୁଟିଛି।

ଅଷାଢ ଏବଂ ଶ୍ରାବଣ ମାସରେ ବିଲବାଡି ବୁଲିବୁଲି କେନ୍ଦ୍ରାପଡା ଜିଲ୍ଲାର ଶହଶହ ହମିଳାମାନେ କାଇଁଚ ସଂଗ୍ରହ କରନ୍ତି। ବେଣା ଗଛରେ ଏଦିନେ ଯେଉଁ ଫୁଲ ଫୁଟେ ସେହି ଫୁଲର ନାଡକୁ କାଇଁଚ କୁହାଯାଏ। କେନ୍ଦ୍ରାପଡା ଜିଲ୍ଲାର ବାରୋ, କୋରୋ, ଜଝାଙ୍ଗ ଆଦି ଆଖପାଖ ଗାଁର ମହିଳାମାନେ କାଦୁଅରେ ପଶି କାଇଁଚ ସଂଗ୍ରହ କରି ସେଗୁଡିକୁ ସୁଖାଇ ଘରେ ସାଇତି ରଖିଥାନ୍ତି।

କାଇଁଚ ଶୁଖିଯିବା ପରେ ଏହାର ରଙ୍ଗ ସୁନାପରି ହଳଦିଆ ହୋଇଯାଏ। ତେଣୁ ଏହାକୁ ଗୋଲ୍ଡେନ ଗ୍ରାସ ବୋଲି କୁହାଯାଏ। ବର୍ଷ ସାରା ଏହି ଘାସରେ ଏମାନେ ତିଆରି କରିଥାନ୍ତି ଭିନ୍ନଭିନ୍ନ ପ୍ରକାରର ଘରକରଣା ଜିନିଷ। ଏହି କାରିଗରମାନଙ୍କୁ ସରକାର ମଧ୍ୟ ସହାୟତା ଦେଇ ଆସୁଛନ୍ତି। ହେଲେ ବଜାର ସୁବିଧା ନଥିବାରୁ କାରିଗରମାନେ ଅସୁବିଧାରେ ପଡ଼ିଥାନ୍ତି।

ବର୍ଷ ସାରା ପରିଶ୍ରମ କରି ଏମାନେ କାଇଁଚରେ ଭଳିକି ଭଳି ସାମ୍ରଗୀ ତିଆରି କରୁଥିଲେ ମଧ୍ୟ ଠିକ୍‌ରେ ବିକ୍ରି ପାରନ୍ତି ନାହିଁ। ଫଳରେ ଘରେ ପଡ଼ି ପଡ଼ି ଏହି ସାମଗ୍ରୀ ଖତ ହୋଇଯାଏ।

ଏହି ସମସ୍ୟା ଦୃଷ୍ଟିକୁ ଆସିବା ପରେ ରାଜ୍ୟ ବୟନ ଶିଳ୍ପ କମିସନର ଏହି କାଇଁଚ ଶିଳ୍ପର ବିକାଶ କରିବାକୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଉଦ୍ୟମରେ ଫାବ ଇଣ୍ଡିଆ ନାମକ ଏକ ସଂସ୍ଥାକୁ ଏହି କାଇଁଚ ଶିଳ୍ପ ସହିତ ଯୋଡିବାକୁ ବ୍ୟବସ୍ଥା କରାଯାଇଛି। ଫାବ ଇଣ୍ଡିଆର ଜାତୀୟ ପଣ୍ୟାଗାରର ମୁଖ୍ୟ ଜଗତ ସିଂହ ବର୍ତ୍ତୁଓ୍ଵାଲ କେନ୍ଦ୍ରାପଡାରେ ପହଞ୍ଚି କାଇଁଚ କାରିଗରମାନଙ୍କ କାରିଗରୀ କୌଶଳକୁ ସମୀକ୍ଷା କରିଛନ୍ତି। କାଇଁଚ ସାମଗ୍ରୀକୁ ପ୍ରଶଂସା କରିଛନ୍ତି।

ଏହି କାରିଗରମାନଙ୍କୁ ତାଲିମ ଦିଆଯିବା ସହ ଫାବ ଇଣ୍ଡିଆର ସାରା ଦେଶର ରହିଥିବା ୩୧୦ଟି  ବିକ୍ରୟ କେନ୍ଦ୍ରରେ ଏସବୁ ଜିନିଷର ବିକ୍ରୟ ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ଅନ୍ତର୍ଜାତୀୟ ବଜାରକୁ ଛଡାଯିବ ବୋଲି କହିଛନ୍ତି।

କେନ୍ଦ୍ରାପଡା ଜିଲ୍ଲାର ଜଝାଙ୍ଗ, ବାରୋ ଆଦି ଅଞ୍ଚଳରେ ପହଞ୍ଚିଥିଲା ଫାବ ଇଣ୍ଡିଆର ଟିମ୍। କେନ୍ଦ୍ରାପଡା ଜୀବିକା ମିଶନର ପ୍ରକଳ୍ପ ପରିଚାଳିକା ସତ୍ୟଭାମା ପ୍ରଧାନ, ଜିଲ୍ଲା ଶିଳ୍ପକେନ୍ଦ୍ରର ସାଧାଳଣ ପରିଚାଳକ ସନ୍ତୋଷ ମିଶ୍ର ପ୍ରମୁଖ ଏହି ଦଳରେ ସାମିଲ ହୋଇଥିଲେ। ଏହାପରେ ଏହି ଦଳ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଆଲୋଚନା କରିଛନ୍ତି।

Comment