ଓଡ଼ିଶାଲାଇଭ୍ ବ୍ୟୁରୋ

ଥାନା, ଡାକ୍ତରଖାନାରେ ଲୋକଙ୍କ କଥା କେତେ ଶୁଣୁଛନ୍ତି ଅଧିକାରୀ? ଏହା ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ କରିବେ ଫୋନ୍‌।

ଡାକ୍ତରଖାନାରେ ଉଚିତ୍‌ ସେବା ମିଳୁଛି କି? ଆପଣ ନେଇକି ଯାଇଥିବା ଅଭିଯୋଗକୁ ଥାନାରେ କେତେ ଗୁରୁତ୍ୱ ଦିଆଗଲା? ପୋଲିସ ବାବୁ ଆପଣଙ୍କ ସହିତ କେମିତି ବ୍ୟବହାର କଲେ?

ଏସବୁ ପ୍ରଶ୍ନର ଉତ୍ତର ପାଇବା ପାଇଁ ସାଧାରଣ ଲୋକଙ୍କୁ ସିଧାସଳଖ ଫୋନ୍‌ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅକ୍ଟୋବର-୨ରୁ ‘ମୋ ସରକାର’ ସାରା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦଫାରେ ଡାକ୍ତରଖାନା ଏବଂ ଥାନା ସରକାରଙ୍କ ଫୋକସ୍‌ରେ ରହିଛି।

ଏହି ଦୁଇଟି ସ୍ଥାନରେ ଲୋକଙ୍କୁ ପ୍ରଶାସନିକ ଅଧିକାରୀ କେତେ ସେବା ଯୋଗାଇ ଦେଉଛନ୍ତି ତାହା ଜଣାପଡ଼ିବା ପରେ ଅନ୍ୟ ସେକ୍ଟର ଉପରେ ଫୋକସ୍‌ କରାଯିବ।

‘ମୋ ସରକାର’ ଯୋଜନା ଲାଗୁ ହେବା ପୂର୍ବରୁ ସବୁ ପ୍ରଶାସନିକ ଅଧିକାରୀଙ୍କୁ ଆଜି ପାଠ ପଢ଼ାଇଛନ୍ତି 5-T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍‌। ଲୋକସେବା ଭବନରେ ପ୍ରଶାସନିକ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପାଣ୍ଡିଆନ୍‌।

‘ମୋ ସରକାର’ କ’ଣ ଏବଂ ଏହାର ଆଭିମୁଖ୍ୟ ବିଷୟରେ ଅଫିସରମାନଙ୍କୁ ବିସ୍ତୃତ ଭାବେ କହିଥିଲେ ପାଣ୍ଡିଆନ୍‌।

ମୋ ସରକାର ଅଧିନରେ ଥାନାକୁ ଆସୁଥିବା ଲୋକଙ୍କର ଫୋନ ନମ୍ବର ପ୍ରଥମେ ପଞ୍ଜିକୃତ ହେବ। ମୋ’ ସରକାର ପୋର୍ଟାଲ ସହ ଏହାକୁ ସଂଯୋଗ କରାଯିବ। ପରେ ମୋ ସରକାର ପୋର୍ଟାଲରୁ ଅଭିଯୋଗକାରୀଙ୍କ ପାଖକୁ ୨୪ ଘଣ୍ଟା ଭିତରେ ଏକ ମେସେଜ ଯିବ। ଅଭିଯୋଗକାରୀଙ୍କ ଫୋନ ନମ୍ବର ପଞ୍ଜିକରଣ କରିବାରେ ଥାନା ଅଧିକାରୀ ଯଦି ଅବହେଳା କରନ୍ତି ତାହାଲେ ସେମାନେ ଟୋଲ ଫ୍ରି ନମ୍ବରକୁ ଫୋନ୍‌ କରିପାରିବେ। ଥାନାରେ ପଞ୍ଜିକୃତ ହୋଇଥିବା ମୋବାଇଲ ନମ୍ବର ମଧ୍ୟରୁ ୧୦ଟି ନମ୍ବରକୁ ଫୋନ୍ କରି ମତାମତ ନେବେ ମୁଖ୍ୟମନ୍ତ୍ରୀ।

‘‘ଲୋକଙ୍କ ସୁବିଧା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଥାନାରେ ଯଦି ଅଭିଯୋଗ ରଖାଯାଉନି ତାହାଲେ ସେ ଏସ୍‌ପିଙ୍କ ପାଖକୁ ଯିବେ। ଯଦି ସେଠି କିଛି ଅସୁବିଧା ହୁଏ ତାହାଲେ ଡିଆଇଜିଙ୍କ ପାଖକୁ ଯାଇପାରିବେ। ସରକାର ଏହି ବ୍ୟବସ୍ଥାକୁ କଡ଼ାକଡ଼ି ଲାଗୁ କରିବେ। ଲୋକଙ୍କୁ ଭଲ ବ୍ୟବହାର କରିଥିବା ଅଧିକାରୀଙ୍କୁ ପଦୋନ୍ନତି ମିଳିବ’’, କହିଛନ୍ତି ପାଣ୍ତିଆନ୍‌।

ପ୍ରଶାସନକୁ ଉତ୍ତରଦାୟୀ ଏବଂ ଲୋକାଭିମୁଖି କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ‘ମୋ ସରକାର’।

ମୋ ସରକାର ଯୋଜନାକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏବଂ 5-T ସଚିବ ପାଣ୍ଡିଆନ୍‌ ରାଜ୍ୟର ବିଭିନ୍ନ ଥାନା ଅଧିକାରୀ ଏବଂ ଏସ୍‌ପିଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇଥିଲେ। ଏହି ଯୋଜନାକୁ ଲୋକାଭିମୁଖି ଏବଂ 5-Tକୁ ଅଧିକ ସଫଳ କରିବା ପାଇଁ ପରାମର୍ଶ ଦେଇଥିଲେ।

Comment