ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଯାତ୍ରା କରିବା ପାଇଁ ଟ୍ରେନ୍ ହେଉଛି ସବୁଠାରୁ ଭଲ ମାଧ୍ୟମ। ଏହା ସାହାଯ୍ୟରେ ଆପଣ ବହୁତ ସୁରକ୍ଷିତ ଭାବରେ ଯାତ୍ରା କରିପାରିବେ। ତେବେ ବର୍ତ୍ତମାନର ଇଣ୍ଟରନେଟ୍ ଯୁଗରେ ଆପଣ ଟ୍ରେନ୍ ସମ୍ବନ୍ଧରେ ସମସ୍ତ କଥା ଇଣ୍ଟରନେଟରେ ଜାଣିପାରିବେ। ତେବେ ଏଭଳି ଏକ କଥା ଅଛି ଯାହା ଆପଣ ଜାଣିନଥିବେ।

ଟ୍ରେନରେ ଲୋକୋ ପାଇଲଟ ମୋଟ ୧୧ ପ୍ରକାର ହର୍ଣ୍ଣର ବ୍ୟବହାର କରିଥାନ୍ତି। ବିଭିନ୍ନ ପରିସ୍ଥିତିରେ ଲୋକଙ୍କୁ ବିଭିନ୍ନ ସୂଚନା ଦେବାପାଇଁ ଏଭଳି ହର୍ଣ୍ଣର ବ୍ୟବହାର କରିଥାନ୍ତି ଟ୍ରେନ୍ ଚାଳକ।

ଯଦି ଆପଣ ଟ୍ରେନରୁ ଗୋଟିଏ ଥର ଛୋଟ ହର୍ଣ୍ଣଟିଏ ଶୁଣିବାକୁ ପାଇଲେ ତେବେ ଜାଣିଯିବେ ଯେ ବର୍ତ୍ତମାନ ଟ୍ରେନ ପ୍ଲାର୍ଟଫର୍ମକୁ ଆସିଗଲାଣି। ସେହିଭଳି ଯଦି ଟ୍ରେନ ଚାଳକ ଦୁଇ ଥର ଛୋଟ ଛୋଟ ହର୍ଣ୍ଣ ବଜାଏ ତେବେ ଜାଣିବେ ଯେ, ଟ୍ରେନ୍ ବର୍ତ୍ତମାନ ଚାଲିବାକୁ ଆରମ୍ଭ ପାଇଁ ପ୍ରସ୍ତୁତ ଏବଂ ଡ୍ରାଇଭର ଏଥିପାଇଁ ଗାର୍ଡକୁ ସିଗନାଲ ପାଇଁ ପଚାରୁଛି।

ଯେତେବେଳେ ଟ୍ରେନର ଚାଳକ ତିନିଥର ଲଗାତାର ଛୋଟ ଛୋଟ ହର୍ଣ୍ଣ ବଜାଇବ ସେତେବେଳେ ଆପଣ ଜାଣିଯିବେ ଯେ, ଟ୍ରେନଚାଳକ ଇଂଞ୍ଜିନ ଉପରେ ନିଜର ନିୟନ୍ତ୍ରଣ ହରାଇ ସାରିଛନ୍ତି। ଏହି ହର୍ଣ୍ଣ ବଜାଇବା ପରେ ଗାର୍ଡ ତୁରନ୍ତ ଭ୍ୟାକୁମ୍ ବ୍ରେକ ଲଗାଇ ଟ୍ରେନକୁ ରୋକିବାକୁ ଚେଷ୍ଟା କରିବ।

ସେହିପରି ଚାରିଥର ଲଗାତାର ଛୋଟ ଛୋଟ ହର୍ଣ୍ଣ ଶୁଣିବାକୁ ପାଇଲେ ଆପଣ ଜାଣିଯିବେ ଯେ, ଟ୍ରେନରେ କୌଣସି ପ୍ରକାର ଯାନ୍ତ୍ରିକ ତ୍ରୁଟି ହୋଇଛି ଏବଂ ଟ୍ରେନ ଆଉ ଆଗକୁ ଯାଇପାରିବ ନାହିଁ। ସେହିପରି ଆପଣ ଯେବେ ଟ୍ରେନରୁ ଗୋଟିଏ ଲମ୍ବା ହର୍ଣ୍ଣ ଆଉ ତାପରେ ଗୋଟିଏ ଛୋଟ ହର୍ଣ୍ଣ ଦ୍ୱାରା ଟ୍ରେନ ଚାଳକ ଟ୍ରେନକୁ ଚଲାଇବା ପୂର୍ବରୁ ଗାର୍ଡକୁ ପାଇପ୍ ସିଷ୍ଟମ ସେଟ୍ କରିବାକୁ ସଙ୍କେତ ଦେଇଥାଏ। ଦୁଇଥର ଲମ୍ବା ହର୍ଣ୍ଣ ଓ ଦୁଇଥର ଛୋଟ ହର୍ଣ୍ଣ ଦ୍ୱାରା ଟ୍ରେନ୍ ଚାଳକ ଗାଡିକୁ ନିଜ ନିୟନ୍ତ୍ରଣକୁ ନେଲେ ବୋଲି ଗାର୍ଡକୁ ସଙ୍କେତ ଦେଇଥାନ୍ତି।

ସେହିପରି ଆପଣ ଯଦି ଟ୍ରେନର ଲମ୍ବା ହର୍ଣ୍ଣ ଶୁଣିବାକୁ ପାଇଲେ ତେବେ ଜାଣିବେ ଯେ, ଟ୍ରେନ ବହୁତ କ୍ଷିପ୍ର ଗତିରେ ଆସୁଛି ଏବଂ ଷ୍ଟେସନରେ ଟ୍ରେନ୍ ରହିବନି। ଯଦି ଟ୍ରେନର ହର୍ଣ୍ଣ ଦୁଇଥର ରହି ରହି ବାଜେ ତେବେ ଆଗରେ ଟ୍ରେନ କ୍ରସିଙ୍ଗ ଅଛି ବୋଲି ଆପଣ ଜାଣିଯିବେ। ଆଉ ସେଥିପାଇଁ ଲୋକମାନଙ୍କୁ ସତର୍କ କରାଇ ଏଇ ହର୍ଣ୍ଣ ବଜାଯାଉଛି।

ଯଦି ଟ୍ରେନରୁ ଦୁଇଥର ଲମ୍ବା ଓ ଗୋଟିଏ ଥର ଛୋଟ ହର୍ଣ୍ଣ ଶୁଣିବାକୁ ମିଳିଲା ତେବେ ଟ୍ରେନ ନିଜର ଟ୍ରାକ ବଦଳାଇ ଅନ୍ୟ ଟ୍ରାକକୁ  ଯିବ ବୋଲି ଆପଣ ଜାଣିପାରିବେ। ସେହିପରି ଦୁଇଥର ଛୋଟ ହର୍ଣ୍ଣ ସହ ଗୋଟିଏ ଥର ଲମ୍ବା ହର୍ଣ୍ଣ ଶୁଭିଲେ କେହି ଜଣେ ଟ୍ରେନର ଚେନ୍ ଟାଣିଛି କିମ୍ବା ଟ୍ରେନର ଗାର୍ଡ ଭ୍ୟାକୁମ୍ ବ୍ରେକ ଲଗାଇଛନ୍ତି ବୋଲି ଜଣାପଡ଼ିବ।

ଆପଣ ଯଦି ଟ୍ରେନରୁ ଛଅଥର ଛୋଟ ଛୋଟ ହର୍ଣ୍ଣ ଶୁଣିବାକୁ ପାଇଲେ ତେବେ ଜାଣିବେ ଟ୍ରେନପ୍ରତି କୌଣସି ବିପଦ ଅଛି। ଏହିଭଳି ୧୧ ପ୍ରକାର ହର୍ଣ୍ଣ ବିଭିନ୍ନ ସମୟରେ ଟ୍ରେନର ଚାଳକ ବ୍ୟବହାର କରିଥାନ୍ତି। ଯାହାର ଅର୍ଥ ଜାଣିବା ନିହାତି ପକ୍ଷେ ଗୁରୁତ୍ୱପୂର୍ଣ୍ଣ।

Comment