ଓଡ଼ିଶାଲାଇଭ୍‌ ବ୍ୟୁରୋ

କମାଲ କଲେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ମୟଙ୍କ ଅଗ୍ରୱାଲ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବିଶାଖାପାଟଣାରେ ଖେଳାଯାଉଥିବା ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ମୟଙ୍କ ଦ୍ୱିଶତକ ମାରି ରେକର୍ଡ କରିଛନ୍ତି। ଏହା ହେଉଛି ତାଙ୍କ କ୍ୟାରିୟରର ପ୍ରଥମ ଡବଲ ସେଞ୍ଚୁରୀ।

ରୋହିତ ଶର୍ମାଙ୍କ ସହ ବ୍ୟାଟିଂ କରିବାକୁ ଆସି ପ୍ରଥମ ସେସନ୍‌ରେ ନିଜର ଶତକ ପୁରା କରିଥିଲେ। ତେବେ ଲଞ୍ଚ ବ୍ରେକ୍‌ ପରେ ରୋହିତ ପାଭିଲିୟନ ଫେରିଥିଲେ। ହେଲେ ମୟଙ୍କ ଅଗ୍ରୱାଲ ଘାତକ ବ୍ୟାଟିଂ ନିଜ କ୍ୟାରିୟରର ପ୍ରଥମ ଦ୍ୱିଶତକ ମାରି ରେକର୍ଡ କରିଛନ୍ତି।

ରୋହିତ ତାଙ୍କ ଇଂନିସରେ ୧୭୬ରନ କରି ଡି କକ୍‌ଙ୍କ ଦ୍ୱାରା ଷ୍ଟମ୍ପ ଆଉଟ୍ ହୋଇଯାଇଥିଲେ। ଏହାସହ ସେ ଦ୍ୱିଶତକରୁ ମାତ୍ର ୨୪ରନ ପଛରେ ରହିଯାଇଥିଲେ। ହେଲେ ଦକ୍ଷିଣ ଆଫ୍ରିକାର ବୋଲିଂ ବାହିନୀ ଉପରେ ଲଗାତାର ଭାବେ ଆକ୍ରମଣ ଜାରି ରଖିଥିଲେ ମୟଙ୍କ ଅଗ୍ରୱାଲ। ଶେଷରେ ୨୧୫ ରନ୍‌ କରି ଏଲ୍‌ଗରଙ୍କ ବଲ୍‌ରେ କ୍ୟାଚ୍‌-ଆଉଟ୍‌ ହୋଇ ପାଭିଲିୟନ ଫେରିଛନ୍ତି।

ମୟଙ୍କ ମୋଟ ୩୭୧ ବଲ୍‌ରେ ୨୧୫ ରନ୍‌ ସଂଗ୍ରହ କରିଛନ୍ତି। ଯେଉଁଥିରେ ୨୩ଟି ଚୌକା ଥିବା ବେଳେ ୬ଟି ଛକା ରହିଛି। ତେବେ ମୟଙ୍କ ଏହି ଜବରଦସ୍ତ ପାଳି ଖେଳି ଟିମ୍‌ ଇଣ୍ଡିଆ ପାଇଁ ଏକ ବିଶାଳ ସ୍କୋର ଛିଡ଼ା କରିଛନ୍ତି। ତେବେ ଚା’ ବ୍ରେକ୍‌ ସୁଦ୍ଧା ଭାରତ ୧୨୪ ଓଭରରେ ୫ଟି ୱିକେଟ୍ ହରାଇ ୪୫୦ ରନ୍‌ ସଂଗ୍ରହ କରିଛି।

ମୟଙ୍କ ଅଗ୍ରୱାଲ ଆଜିର ମ୍ୟାଚ୍‌ରେ ଦ୍ୱିଶତକ ଖେଳି ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେୱାଗଙ୍କ ସମକକ୍ଷ ହୋଇପାରିଛନ୍ତି। ଏହା ଦ୍ୱାରା ମୟଙ୍କ ଭାରତର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡବଲ ସେଞ୍ଚୁରୀ କରିବାରେ ସକ୍ଷମ ହୋଇପାରିଛନ୍ତି।

Comment