ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା ତହସିଲଦାରଙ୍କୁ ଜଣେ ଦୁର୍ବୃତ୍ତ ପେଟ୍ରୋଲ ଢାଳି ହତ୍ୟା କରିଛି। ଏହାସହ ଦୁର୍ବୃତ୍ତ ନିଜେ ଆତ୍ମହତ୍ୟା କରିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ତେଲେଙ୍ଗାନା ରଙ୍ଗାରେଡି ଜିଲ୍ଲା ଅବଦୁଲପୁରମେଟାଠାରେ ଥିବା ତହସିଲଦାରଙ୍କ କାର୍ଯ୍ୟାଳୟରେ।

ଆଜି ଅପରାହ୍ନରେ ଘଟିଥିବା ଏହି ଅଭାବନୀୟ ଘଟଣା ଯାହା ସାରା ତେଲେଙ୍ଗାନା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଅବଦୁଲପୁରମେଟା ତହସିଲଦାର କାର୍ଯ୍ୟାଳୟରେ କାର୍ଯ୍ୟରତ ତହସିଲଦାର ବିଜୟା ରେଡିଙ୍କ ସହ ଦେଖା କରିବା ପାଇଁ ନିକଟସ୍ଥ ତୁର୍କୀଆଞ୍ଜେଲ ଗ୍ରାମର ସୁରେଶ ନାମକ ଜଣେ ବ୍ୟକ୍ତି ପହଞ୍ଚିଥିଲେ।

ସେ ଦିନ ୧.୩୦ରୁ ତହସିଲଦାରଙ୍କ କେବିନକୁ ଯାଇଥିଲେ। ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି କଥାବାର୍ତା ହେବ ପରେ ତହସିଲଦାରଙ୍କ କେବିନ ମଧ୍ୟରୁ ବହୁତ ଜୋରରେ ପାଟି ଶୁଭିଲା। ତହସିଲଦାର ଓ ସୁରେଶ ମଧ୍ୟରେ ବହୁତ ବଚସା ହୋଇଥିଲା ପରେ ସୁରେଶ ଉତକ୍ଷିପ୍ତ ହୋଇ ତହସିଲଦାରଙ୍କ ଉପରକୁ ନିଜ ସାଙ୍ଗେ ଆଣିଥିବା ପେଟ୍ରୋଲ ଫୋପାଡ଼ି ଦେଇଥିଲା ଏବଂ ତାଙ୍କ ଶରୀରରେ ନିଆଁ ଲଗାଇଦେଇଥିଲା। ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ତହସିଲଦାର ନିଜର ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରିଥିଲେ ଏବଂ ଅଫିସ ବାହାରକୁ ଆସିଥିଲେ। ଏହି ଦୃଶ୍ୟ ଦେଖି ଆଖପାଖ ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଚା କରିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ କାର୍ଯ୍ୟାଳୟର ୨ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।

ହେଲେ ଘଟଣାସ୍ଥଳରେ ହିଁ ତହସିଲଦାର ବିଜୟା ରେଡିଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସୁରେଶ ମଧ୍ୟ ତହସିଲଦାର ଅଫିସ ପରିସରରେ ନିଜ ଶରୀରରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଛି। ଘଟମାର ଖବର ପାଇ ଦମକଳ ବାହିନୀ ଓ ପୋଲିସ ନିଜର ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଗୋଟିଏ ଜମି ବିବାଦକୁ କେନ୍ଦ୍ରକରି ଗତ ୩ ମାସ ହେବ ଅଭିଯୁକ୍ତ ସୁରେଶ ତହସିଲଦାରଙ୍କ କାର୍ଯ୍ୟାଳୟରେ ଘୁରି ବୁଲୁଥିଲା। ହେଲେ ଏହି ଘଟଣାର କୌଣସି ସମାଧାନ ହୋଇପାରିନଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଆଜି ଏହିପରି କାଣ୍ଡ କରିଥିବା ପୋଲିସ ସୂଚନା ଦେଇଛନ୍ତି। ଅଧିକ ତଥ୍ୟ ପାଇଁ ପୋଲିସ ତୁର୍କୀଆଞ୍ଜେଲ ଗ୍ରାମରେ ପହଞ୍ଚି ଅଭିଯୁକ୍ତଙ୍କ ପରିବାରକୁ ପଚରାଉଚରା କରୁଥିବା ଜଣାପଡିଛି।

Comment