ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ଚାଲିଛି ପାୱାର ସୋ’। ଦାଦା ଶରଦ ପାୱାର ଏବଂ ପୁତୁରା ଅଜିତ ପାୱାରଙ୍କ ଭିତରେ ଚାଲିଛି ବଳ କଷାକଷି। ଦାଦା ଶରଦଙ୍କୁ ଚକ୍‌ମା ଦେଖାଇ ପୁତୁରା ଅଜିତ ଏନ୍‌ସିପିର ୫୪ ବିଧାୟକଙ୍କ ଦସ୍ତଖତ ଆଣି ଫଡ୍‌ନାଭିସ୍‌ ସରକାରଙ୍କୁ ସମର୍ଥନ କରିଥିଲେ। ହେଲେ ଶରଦ ପାୱାରଙ୍କ ଗେମ୍‌ପ୍ଲାନରେ ଏବେ ଅଜିତଙ୍କ ହାତ ଖାଲି ହେଉଛି।

ଯେଉଁ ୫୪ ବିଧାୟକଙ୍କୁ ନେଇ ଅଜିତ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ସେମାନଙ୍କ ଭିତରୁ ୫୧ ଜଣ ଶରଦଙ୍କ ପଟକୁ ଚାଲି ଆସିଲେଣି। ମାତ୍ର ୪ ଜଣ ବିଧାୟକ ଏବେ ଅଜିତଙ୍କ ସମର୍ଥନରେ ଅଛନ୍ତି। ଏହି ୫୧ ଜଣିଆ ତାଲିକାକୁ ନେଇ ଏନ୍‌ସିପି ବିଧାୟକ ଦଳ ନେତା ଜୟନ୍ତ ପାଟିଲ୍‌ ରାଜଭବନ ଯାଇଥିଲେ। ଏବେ ୪ ଜଣ ବିଧାୟକଙ୍କୁ ନେଇ ଅଜିତ ପାୱାର ଫଡ୍‌ନାଭିସ୍‌ ସରକାରରେ କେମିତି ତିଷ୍ଠିବେ ତା’ ଉପରେ ନଜର ରହିଛି।

୨୨ ତାରିଖ ରାତି ୧୨ଟା ଯାଏଁ ଅଜିତ ଏନ୍‌ସିପି ସହିତ ଥିଲେ। ନୂଆଦିଲ୍ଲୀରେ ହୋଇଥିବା ଶିବସେନା-ଏନ୍‌ସିପି-କଂଗ୍ରେସର ମିଳିତ ବୈଠକରେ ବି ଅଜିତ ଉପସ୍ଥିତ ଥିଲେ। ହେଲେ ରାତି ୧୨ଟାରେ ଅଜିତ କଡ଼ ଲେଉଟାଇଥିଲେ। ୫୪ ଜଣ ବିଧାୟକଙ୍କ ଦସ୍ତଖତ ନେଇ ଅଜିତ ଫଡ୍‌ନାଭିସ୍‌ଙ୍କ ପଟକୁ ଢଳିଥିଲେ।

୨୩ ତାରିଖରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ମହାରାଷ୍ଟ୍ର ରାଜନୀତି ନୂଆ ମୋଡ଼ ନେଇଥିଲା। ଅଜିତଙ୍କ ପାୱାର ବଳରେ ଫଡ୍‌ନାଭିସ୍‌ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୫୪ ଜଣ ବିଧାୟକଙ୍କ ସମର୍ଥନ ଥିବାରୁ ଅଜିତ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ।

ଆସନ୍ତା ୩୦ରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ ଫଡ୍‌ନାଭିସ୍‌ ସରକାର। ହେଲେ ଏନ୍‌ସିପିର ଯେଉଁ ୫୪ ଜଣ ବିଧାୟକଙ୍କୁ ନେଇ ଫଡ୍‌ନାଭିସ୍‌ ସରକାର ଗଠନ ହୋଇଛି ସେମାନଙ୍କ ଭିତରୁ ୫୧ ଜଣ ଅଜିତଙ୍କ ହାତରୁ ଖସି ଆସିଥିବାରୁ କେମିତି ସରକାର ତିଷ୍ଠିବ ତାକୁ ନେଇ ମାନସ ମନ୍ଥନ ଚାଲିଛି।

Comment