ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରଙ୍କ ପ୍ରକଳ୍ପ ‘ଜାଗା ମିସନ୍’ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି। ଜାଗା ମିସନ୍‌କୁ ବିଶ୍ଵର ସବୁଠୁ ବଡ଼ ବସ୍ତି ଜମି ପ୍ରକଳ୍ପର ମାନ୍ୟତା ମିଳିଛି। ଏହି ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ୨୫୫ ବସ୍ତିକୁ ବାସପଯୋଗୀ ଅଞ୍ଚଳ ଭାବେ ବିକଶିତ କରାଯିବା ସହ ୫୨,୬୮୨ ପରିବାରଙ୍କୁ  ଜମି ଅଧିକାର ପ୍ରମାଣପତ୍ର ଯୋଗାଇ ଦିଆଯାଇଛି ବୋଲି ସରକାରୀ ଭାବେ କୁହାଯାଇଛି। ଜାଗା ମିସନ୍‌ର ଏଭଳି ସଫଳତା ପାଇଁ ଓଡ଼ିଶାକୁ ଓ୍ଵାର୍ଲଡ ହାବିଟାଟ ଆଓ୍ଵାର୍ଡ ମିଳିଛି।

ବ୍ରିଟେନ୍‌ସ୍ଥିତ ଓ୍ୱାର୍ଲଡ ହାବିଟାଟ ସଂସ୍ଥା ପକ୍ଷରୁ ୟୁଏନ୍‌ ହାବିଟାଟ ସହଯୋଗରେ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଜାଗା ମିସନ୍‌ ମେ’ ୨୦୧୮ରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଟାଟା ଟ୍ରଷ୍ଟ୍‌ ଓ ନରମାନ ଫୋଷ୍ଟର ଫାଉଣ୍ଡେସନ୍‌ ସହଯୋଗରେ ଆରମ୍ଭ ହୋଇଥିଲା। ଏଥିରେ ବସ୍ତି ବାସିନ୍ଦାଙ୍କୁ ଜମି ଯୋଗାଇବା ସହ ଏକ ବାସପଯୋଗୀ ସ୍ଥାନରେ ରହିବାର ସୁବିଧା ଯୋଗାଇ ଦିଆଯାଉଛି।

ବର୍ତ୍ତମାନ ସୁଦ୍ଧା ଏହି ମିସନ୍‌ ଜରିଆରେ ୫୨, ୬୮୨ ପରିବାରଙ୍କୁ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାସରିଛି। ସହରାଞ୍ଚଳର ୨୫୫ଟି ବସ୍ତିକୁ ଉନ୍ନତ ବାସପଯୋଗୀ ଅଞ୍ଚଳ ଭାବେ ନିର୍ମାଣ କରାଯାଇଛି।

ନିକଟରେ ଏହି ପ୍ରକଳ୍ପକୁ ଇଣ୍ଡିଆ ଜିଓସ୍ପେସିଆଲ ଏକ୍ସଲେନ୍ସ ଆୱାର୍ଡ ମିଳିଥିଲା। ବିଶ୍ବରେ ପ୍ରଥମ କରି ବସ୍ତି ଅଞ୍ଚଳରେ ଡ୍ରୋନ୍ ସର୍ଭେ ଦ୍ବାରା ଡାଟାବେସ୍ ପ୍ରସ୍ତୁତ କରାଯାଇପାରିଛି। ଓଡ଼ିଶା ସରକାରଙ୍କ ଏହି ଉଦ୍ୟମକୁ ନୀତି ନିର୍ଦ୍ଧାରକ, ପ୍ରଶାସକ ଏବଂ ଗବେଷକମାନେ ଉଚ୍ଚ ପ୍ରଶଂସା କରିଛନ୍ତି।

Comment