ଓଡ଼ିଶାଲାଇଭ୍ ବ୍ୟୁରୋ

  • 5-T ଅଧୀନକୁ ଆସିଲା ଉଚ୍ଚଶିକ୍ଷା ବିଭାଗ
  • ଅଧ୍ୟାପକଙ୍କ ଡ୍ୟୁଟି ସମୟ କଡ଼ାକଡ଼ି ହେବ
  • ଜିଲ୍ଲା ଓ ବ୍ଲକ ସ୍ତରୀୟ ମେଧାବୀ ତାଲିକା ପ୍ରସ୍ତୁତ ହେବ
  • ବିଶ୍ୱବିଦ୍ୟାଳୟ ସ୍ତରରେ କ୍ୟାରିଅର କାଉନସେଲିଂକୁ ସୁଦୃଢ଼ କରାଯିବ

ସବୁ କଲେଜରେ ଏଣିକି ୭ ଘଣ୍ଟା ଡ୍ୟୁଟି କରିବେ ଅଧ୍ୟାପକ ଅଧ୍ୟାପିକା। 5-T ରେ ଉଚ୍ଚଶିକ୍ଷା ବିଭାଗ ସାମିଲ ହେବା ପରେ ଏହି ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଉଚ୍ଚଶିକ୍ଷା ବିଭାଗ ଯୋଜନା ଏବଂ ସଂଯୋଜନା ବିଭାଗକୁ ଚିଠି ଲେଖିଛି।

କଲେଜରେ ଅଧ୍ୟାପକ, ଅଧ୍ୟାପିକାମାନେ କେତେ ସମୟ ରହୁଛନ୍ତି ତାହା ଜାଣିବା ପାଇଁ ବାୟୋମେଟ୍ରିକ ବ୍ୟବସ୍ଥା ହୋଇଥିଲା। କଲେଜକୁ ଆସିବା ଏବଂ ଯିବା ସମୟରେ ଅଧ୍ୟାପକ ଅଧ୍ୟାପିକାମାନେ ବାୟୋମେଟ୍ରିକରେ ଫିଙ୍ଗରପ୍ରିଣ୍ଟ ଦେବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା। ଏହି ବ୍ୟବସ୍ଥାକୁ ଅଧ୍ୟାପକ ଅଧ୍ୟାପିକାମାନେ ବିରୋଧ କରିଥିଲେ।

ଏବେ ଉଚ୍ଚଶିକ୍ଷା ବିଭାଗ 5-T ଅଧିନକୁ ଆସିଛି। ଏହି ବ୍ୟବସ୍ଥାରେ ଅଧ୍ୟାପକ ଅଧ୍ୟାପିକାଙ୍କ ଉପସ୍ଥାନକୁ କଡ଼ାକଡ଼ି ଯାଞ୍ଚ କରାଯିବ।

ସେହିପରି ଛାତ୍ରଛାତ୍ରୀଙ୍କ ପାଇଁ ସ୍କଲାରସିପ୍‌ ପାଣ୍ଠି ଗଠନ କରାଯିବ। ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପ୍‌ଟପ୍‌ ବାଣ୍ଟିବା ପାଇଁ ଜିଲ୍ଲା ଓ ବ୍ଲକ ସ୍ତରୀୟ ମେଧାବୀ ତାଲିକା ପ୍ରସ୍ତୁତ କରାଯିବ। ଏହି ତାଲିକା ଅନୁଯାୟୀ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପ୍‌ଟପ୍‌ ବଣ୍ଟନ କରାଯିବ। ଏସ୍‌ଏମ୍‌ଏସ୍‌ ଏବଂ ୱେବ୍‌ସାଇଟ୍‌ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ବିଭାଗକୁ ଫିଡ୍‌ବ୍ୟାକ ଦେଇ ପାରିବେ।

ବିଶ୍ୱବିଦ୍ୟାଳୟ ସ୍ତରରେ କ୍ୟାରିଅର କାଉନସେଲିଂକୁ ସୁଦୃଢ଼ କରାଯିବ। ଓଡ଼ିଆ ଛାତ୍ରଛାତ୍ରୀମାନେ ବାହାର ରାଜ୍ୟରେ କିପରି ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଦେଇ ପାରିବେ ସେନେଇ ବ୍ୟବସ୍ଥା କରାଯିବ। ‘ମୋ’ ସ୍କୁଲ’ ଭଳି ‘ମୋ’ କଲେଜ’ ଗଠନ କରାଯିବ। ଏଥିରେ ପୁରୁଣା ଛାତ୍ରଛାତ୍ରୀମାନେ ଟଙ୍କା ଦେଇ ପାରିବେ।

Comment