ଓଡ଼ିଶାଲାଇଭ ବ୍ୟୁରୋ

ସାତ ବର୍ଷ ପୂର୍ବେ ୨୦୧୨ ଆଜିର ଦିନରେ ରାଜଧାନୀ ଦିଲ୍ଲୀରେ  ଏକ ବସ୍‌ରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏହି ଘଟଣା ସାରାଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ନିର୍ଭୟା ଗଣଦୁଷ୍କର୍ମ ନାଁରେ ଏହି ଘଟଣା ସାରାଦେଶରେ ବ୍ୟାପି ଯାଇଥିଲା। ଏହାକୁ ନେଇ ଦେଶବ୍ୟାପୀ ଉତ୍ତେଜନା ଦେଖାଯାଇଥିଲା। ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବାକୁ ଦାବି ହୋଇଥିଲା ରାସ୍ତାକୁ ଓହ୍ଲାଇଥିଲେ ଲୋକେ।

କ’ଣ ଥିଲା ପୂରା ଘଟଣା

ଦୁଷ୍କର୍ମର ଶିକାର ହୋଇଥିବା ୨୩ ବର୍ଷୀୟା ଯୁବତୀ ଜଣେ ପାରାମେଡିକାଲ ଛାତ୍ରୀ ଥିଲେ। ସେଦିନ ନିର୍ଭୟା ତାଙ୍କ ଜଣେ ପୁରୁଷ ବନ୍ଧୁଙ୍କ ସହ ଫିଲ୍ମ ଦେଖିବାକୁ ଯାଇଥିଲେ। ଫିଲ୍ମ ଦେଖି ଫେରିବା ପରେ ସେ ବସ୍‌ ଯୋଗେ ମୁନିରକାରୁ ଦ୍ୱାରକା ଅଭିମୁଖେ ଯାଉଥିଲେ।  ବସ୍‌ରେ ନିର୍ଭୟାଙ୍କ ବ୍ୟତୀତ ତାଙ୍କ ବନ୍ଧୁ ଅନ୍ୟ ୬ ଜଣ ଲୋକ ଥିଲେ। ସେହି ୬ ଜଣ ନିର୍ଭୟାଙ୍କୁ ବସ୍‌ ଭିତରେ ଦୁଷ୍କର୍ମ କରିଥିଲେ। ତାଙ୍କ ବନ୍ଧୁ ବିରୋଧ କରିବା ଯୋଗୁଁ ତାଙ୍କୁ ମଧ୍ୟ ଖୁବ ମାରିଥିଲେ।

ବସରେ ଥିବା ୬ ଜଣ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରିଥିଲେ। କେବଳ ଏତିକି ନୁହେଁ ନରରୂପି ରାକ୍ଷସମାନେ ତାଙ୍କ ଉପରେ ଘୋର ଅତ୍ୟାଚାର କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଚଳନ୍ତା ବସ୍‌ରୁ ଫିଙ୍ଗି ଦିଆଯାଇଥିଲା।  ଗୁରୁତର ଅବସ୍ଥାରେ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବା ଯୋଗୁଁ ତାଙ୍କୁ ସିଙ୍ଗାପୁର ପଠାଯାଇଥିଲା। ସିଙ୍ଗାପୁରର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ନିର୍ଭୟା।

ଘଟଣାର ଦୁଇ ଦିନରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ଜଣେ ବସ୍‌ ଡ୍ରାଇଭର, ଜଣେ ନାବାଳକ ସହ ଅନ୍ୟ ୪ ଜଣ ବି ସାମିଲ ଥିଲା।

ବସ୍‌ ଡ୍ରାଇଭର ଜଣକ ତିହାର ଜେଲରେ ଆତ୍ମହତ୍ୟା କରିଥିଲେ। ନାବାଳକ ଜଣକଙ୍କୁ ଜୁଭେନାଇଲ ଡିଟେନସନ ସେଣ୍ଟର ୩ ବର୍ଷ ରଖିବା ପରେ ୨୦୧୫ରେ ତାଙ୍କୁ ବେଲ୍‌ ମିଳିଥିଲା।

ବାକି ୪ ଜଣଙ୍କୁ ଦିଲ୍ଲୀ ହାଇକୋର୍ଟ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ। ଅଭିଯୁକ୍ତ ଦିଲ୍ଲୀ ରାୟକୁ ଚାଲେଞ୍ଜ କରି  ସୁପ୍ରିମକୋର୍ଟ ଦ୍ୱାରସ୍ତ ହୋଇଥିଲେ, ହେଲେ ସୁପ୍ରିମକୋର୍ଟ ମଧ୍ୟ ସେମାନଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ।

ଅଭଯୁକ୍ତମାନଙ୍କ ମଧ୍ୟରୁ ଜଣେ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାୟର କରିଛନ୍ତି। ଆସନ୍ତା ୧୭ ତାରିଖିରେ କୋର୍ଟ ଏହାର ଶୁଣାଣି କରିବେ। ଖୁବଶୀଘ୍ର ଦୋଷୀମାନଙ୍କୁ ଫାଶୀ ଦେବା ପାଇଁ ତାରିଖ ନିର୍ଦ୍ଧାରଣ ହେବ।

Comment