ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିନରେ ଷଡ଼ମଲ୍ଲଙ୍କ ନିହତ ଖବର ଶୁଣି ଚିନ୍ତାରେ ପଡ଼ି ଯାଇଛନ୍ତି ରାଜା କଂସ।

ବରଗଡ଼: ଶିଶୁ କୃଷ୍ଣକୁ ହତ୍ୟା କରିବାର ଷଡ଼ଯନ୍ତ୍ର ନେଇ ଗୋପପୁରକୁ କଂସ ପ୍ରେରଣ କରିଥିଲେ ଷଡ଼ମଲ୍ଲ ପୁତନା, ଷଣ୍ଡାସୁର, ବକାସୁର, ଶକଟାସୁର, ଧେନୁକାସୁର, ତୃଣାସୁର। ଷଡ଼ମଲ୍ଲ କୃଷ୍ଣ, ବଳରାମଙ୍କୁ ନିଶ୍ଚୟ ନିଧନ କରିବେ ବୋଲି କଂସ ବେଶ୍‌ ଆଶାବାଦୀ। ଏଥିପାଇଁ ସେ ସୁରାପାନ ସହ ଅଟ୍ଟହାସ୍ୟରେ ନର୍ତ୍ତକୀଗଣଙ୍କ ନୃତ୍ୟରେ ବେଶ୍ ବିଭୋର ହୋଇଯାଇଥିଲେ।

ହଠାତ୍ ଗୁପ୍ତଚରଠାରୁ ଖବର ମିଳିଲା ଯେ ଷଡ଼ମଲ୍ଲ ବାଳକ କୃଷ୍ଣ ଓ ବଳରାମଙ୍କ ହାତରେ ନିହତ ହୋଇଛନ୍ତି। ଚମକି ପଡି ଶିହରି ଉଠିଛନ୍ତି ରାଜା କଂସ। ମନେ ପଡ଼ିଛି ବିଜୁଳି କନ୍ୟାର ଦୈବବାଣୀ। ପାତ୍ରମନ୍ତ୍ରୀଙ୍କ ସହ ଆଲୋଚନା କରି କଂସ କହିଛନ୍ତି ସତରେ କ’ଣ ଇଏ ସେହି କୃଷ୍ଣ ଯିଏ କି ମୋର ମୃତ୍ୟୁର କାରଣ ହେବ। ମନ୍ତ୍ରୀ ପାରିଷଦ ସହ କୃଷ୍ଣ ବଳରାମଙ୍କୁ ବିନାଶ କରିବା ପାଇଁ କରିଛି ସଘନ ଆଲୋଚନା।

ନିକଟସ୍ଥ ମଗଧ ରାଜ୍ୟକୁ ଆକ୍ରମଣ କରି ବଶବର୍ତ୍ତୀ କରିଛି ସମ୍ରାଟ ଜରାସନ୍ଧଙ୍କୁ। ଜରାସନ୍ଧ ମଧ୍ୟ କଂସର ବଶତା ସ୍ୱୀକାର କରି ନିଜର ଦୁଇ କନ୍ୟା ହେତି ଓ ପ୍ରହେତିକୁ ଅର୍ପଣ କରିଛି ବୀର କଂସାସୁରଙ୍କୁ। ଉଭୟଙ୍କ ବିବାହ ସଂପନ୍ନ ହୋଇଛି କଂସ ସହିତ।

ନାରଦଙ୍କ ପରାମର୍ଶକ୍ରମେ ମହାମନ୍ତ୍ରୀ ଶକ୍ରାଜିତଙ୍କୁ ଆଦେଶ କରି ରଙ୍ଗସଭା ଅୟୋଜନ କରିବାର ନିଷ୍ପତ୍ତି ନେଇଛନ୍ତି ମହାରାଜା କଂସ। ଆସନ୍ନ କଂସ-କୃଷ୍ଣ ଯୁଦ୍ଧରେ ନିଜ ପକ୍ଷରେ ଯୁଦ୍ଧରେ ଯୋଗ ଦେବା ପାଇଁ ପଡ଼ୋଶୀ ରାଜ୍ୟର ରାଜାମାନଙ୍କୁ ନିମନ୍ତ୍ରଣ କରାଯାଇଛି।
ଅନ୍ୟପଟେ ନଗର ପରିଭ୍ରମଣ କରି ନିଜର ପ୍ରଜାମାନଙ୍କ ସୁଖଦୁଃଖ ବୁଝିବା ସହ  ଅନ୍ୟାୟୀଙ୍କୁ ଦଣ୍ଡ ବିଧାନ କରିଛନ୍ତି କଂସ। ଟ୍ରାଫିକ ନିୟମ ଭାଙ୍ଗୁଥିବା ଲୋକଙ୍କୁ ଦଣ୍ଡ ବିଧାନ କରିବା ସହ ଟ୍ରାଫିକ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ କଂସ।

କୃଷ୍ଣ ଜନ୍ମ ପରେ ଉତ୍ସବ ମୁଖରିତ ହୋଇଉଠିଛି ସମଗ୍ର ଗୋପପୁର। ହସଖୁସିରେ ଫାଟି ପଡୁଛି ଗୋପଦାଣ୍ଡ। ଭଗବାନଙ୍କୁ ପାଖରେ ପାଇ ଏବଂ ତାଙ୍କର ଲୀଳା ଖେଳା ସହ ସହଭାଗୀ ହୋଇ ନିଜକୁ ଧନ୍ୟ ମନେ କରିଛନ୍ତି ଗୋପପୁରବାସୀ। ହେଲେ ଏ ସବୁ ଭିତରେ ଅହେତୁକ ଆଶଙ୍କାରେ ଆଶଙ୍କିତ ହୋଇଛନ୍ତି ମା’ ଯଶୋଦା।

ଷଡମଲ୍ଲଙ୍କ ନିଧନରେ କୃଷ୍ଣଙ୍କ ଅଲୌଳିକ ଶକ୍ତି ଉପରେ ଯେତେ ଆଶ୍ଚର୍ଯ୍ୟାନ୍ୱିତ ହୋଇଛନ୍ତି ତାଠୁ ବେଶି ଶଙ୍କିତ ହୋଇଛନ୍ତି ଆସନ୍ନ ବିପଦକୁ ମନେପକାଇ। କୃଷ୍ଣଙ୍କ ଦଧିଭାଣ୍ଡ ଭାଙ୍ଗିବାର ବାରମ୍ବାର ଯୋଜନାରେ ବିବ୍ରତ ହୋଇ ତାଙ୍କୁ ବାନ୍ଧି ପକାଇଛନ୍ତି ମା’ ଯଶୋଦା। ଜମିରେ ଗୁରୁଣ୍ଡି ଗୁରୁଣ୍ଡି ଜାମଲାର୍ଜୁନ ଦୁଇ ବୃକ୍ଷ ମଧ୍ୟ ଦେଇ ବାହାରିବାକୁ ଚେଷ୍ଟା କରିବାରୁ ବାଳ କୃଷ୍ଣଙ୍କ ଶକ୍ତିରେ ଭାଙ୍ଗି ଯାଇଛି ଉଭୟ ବୃକ୍ଷ। ଭିତରୁ ବାହାରି ଆସିଛନ୍ତି ଅଭିଶପ୍ତ ଦୁଇ ଦେବପୁତ୍ର ଜାମଲା ଓ ଅର୍ଜୁନ।

ଉଭୟେ ସ୍ୱୟଂ ବିଷ୍ଣୁଙ୍କ ଚତୁର୍ଦ୍ଧାମୁରତି ଦର୍ଶନ କରି ଗଦ ଗଦ ହୋଇଉଠିଛନ୍ତି। ଏ ସବୁ ଦୃଶ୍ୟ ପଛରେ ଥାଇ ଦେଖୁଛନ୍ତି ମା’ ଯଶୋଦା। କୋଳକୁ ସାଉଁଟି ନେଇଛନ୍ତି କୃଷ୍ଣଙ୍କୁ। ଗେଲ ବସର କରି ପାଛୋଟି ନେଇଛନ୍ତି ଅନ୍ତପୁରକୁ। ଗାଈ ଚରାଇବାକୁ ଯାଇ ଗୋପାଳ ବାଳକମାନଙ୍କ ସହ ବଣଭୋଜି କରିଛନ୍ତି ବେନିଭାଇ କୃଷ୍ଣ ବଳରାମ।

ଏହି ଅବସରରେ ବେଣୁ ବାବା ମଠରେ ବ୍ରହ୍ମା ଜଗତର ଉଦ୍ଧାର ପାଇଁ ମୋହନ ବଇଁଶୀ ପ୍ରଦାନ କରିଛନ୍ତି ନର ରୂପୀ ନାରାୟଣଙ୍କୁ। ସଖା ସହଚରଙ୍କ ସହ କନ୍ଦୁକ କ୍ରୀଡା କରୁଥିବା ସମୟରେ କନ୍ଦୁକଟି କାଳିନ୍ଦି ହ୍ରଦରେ ପଶିଯାଇଥିଲା। କାଳିନ୍ଦି ହ୍ରଦର ସୁରକ୍ଷାରେ ଜଗି ରହିଛି କାଳୀୟ ନାଗ। ନାଗ ଭୟରେ କେହି ସେଠାକୁ ପ୍ରବେଶ କରନ୍ତି ନାହିଁ। ହେଲେ ସାହସର ସହ ସେଠି ପ୍ରବେଶ କଲେ ବାଳ କୃଷ୍ଣ। କନ୍ଦୁକକୁ ହାତରେ ଟେକି ଧରିବା ବେଳେ ଫଣା ଟେକି ଆକ୍ରମଣ କଲା କାଳୀୟ ନାଗ। ଅବିଳମ୍ବେ କାଳୀୟ ନାଗର ମସ୍ତକ ଉପରେ ନୃତ୍ୟ କରି ଦର୍ପଦଳନ କରିଛନ୍ତି ଏବଂ କାଳିନ୍ଦି ହ୍ରଦକୁ ଛାଡି ଚାଲି ଯିବାକୁ ନିର୍ଦ୍ଦେଶ ଦେଇଛନ୍ତ ଭଗବାନ ଶ୍ରୀକୃଷ୍ଣ।

ଧନୁଯାତ୍ରାର ପଞ୍ଚମ ଦିବସରେ ଶିଳ୍ପୀ କଳା ନିକେତନ କଟକ, ସଂଗମ ଭବାନୀପାଟଣା, ଜୟ ମା ଦୁର୍ଗା କଳାପରିଷଦ ମୁରିବାହାଲ, ବଉଳି କଳାପରିଷଦ ବୌଦ୍ଧ, ଜୁଡାଝଲକା ବଲାଙ୍ଗୀର, ଝଙ୍କାର ମ୍ୟୁଜିକ ପାଟଣାଗଡ, ଅଷ୍ଟଭୁଜା ଗୋଟିପୁଅ ନୃତ୍ୟ ପୁରୀ, ସରଗମ୍ କଳାପରିଷଦ ବାମରା, କୁଠିଶାଲ ଅତାବିରା, ବେନେର ମୁହୁରିଆ କଳାପରିଷଦ ବଲାଙ୍ଗୀର, ଛଉ ନୃତ୍ୟ ପୁରଲିଆର କଳାକାରମାନେ ରାଜଦରବାର ଏବଂ ରଙ୍ଗମହଲରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଅନୁରୂପ ଭାବେ ଚକ୍ରପାଣି ସେଠ ଏବଂ ତେଜରାଜ ମହାପାତ୍ରଙ୍କ ସଂଚାର ସହ ପଞ୍ଚବାଦ୍ୟ ବରଗଡ଼, ଦିବ୍ୟରୂପା କଳାପରିଷଦ ବରଗଡ଼, ଉମାକାନ୍ତ ବେହେରା ଏବଂ ଗ୍ରୁପ ବଲାଙ୍ଗୀର, ଶିଳ୍ପୀ କଳାନିକେତନ କଟକ, କୁଠିଶାଲା ଅତାବିରାର କଳାକାରମାନେ ଗୋପପୁରରେ ନୃତ୍ୟଗୀତ ପରିବେଷଣ କରିଥିଲେ।

Comment