ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ‘କୃଷି ଓଡ଼ିଶା-୨୦୨୦’ର ତୃତୀୟ ଦିନ
  • ‘କୃଷି ଓଡ଼ିଶା’ ରେ ବୁଧବାର ଥିଲା ପଞ୍ଚାୟତିରାଜ ଜନପ୍ରତିନିଧି ଦିବସ
  • ଯୋଗଦେଲେ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା
  • ଚାଷୀଙ୍କୁ ସଚେତନ କରିବାର ଦାୟିତ୍ୱ ପଞ୍ଚାୟତ ପ୍ରତିନିଧିମାନେ ନେବେ: ମନ୍ତ୍ରୀ
  • ବ୍ୟାଙ୍କ ଅଧିକାରୀମାନଙ୍କୁ ନେଇ ନେଇ ସ୍ୱତନ୍ତ୍ର ଆଲୋଚନା
  • ଯୋଗଦେଲେ ୫୦୦ରୁ ଅଧିକ ବ୍ୟାଙ୍କ ଅଧିକାରୀ

‘‘ପ୍ରତି ବ୍ଲକରେ କୃଷି ପାଇଁ ସ୍ୱତନ୍ତ୍ର ବୈଠକ ହେବ। ଏହି ବୈଠକରେ କୃଷି ସହ ଜଡ଼ିତ ଅଧିକାରୀମାନେ ସାମିଲ ହୋଇ କୃଷି କ୍ଷେତ୍ରରେ ଯେଉଁ ସମସ୍ୟା ଦେଖାଦେଉଛି ତାର ସମାଧାନ ପାଇଁ ପଦକ୍ଷେପ ନେବେ’’, କହିଛନ୍ତି ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନା।

ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବାକୃଷି ଓଡ଼ିଶା୨୦୨୦ର ବୁଧବାର ଥିଲା ତୃତୀୟ ଦିନ। ଆଜି ଥିଲା ପଞ୍ଚାୟତିରାଜ ଜନପ୍ରତିନିଧି ଦିବସ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ଫିକି ସହଯୋଗରେ ରାଜ୍ୟ କୃଷି ଓ କୃଷି ସଶକ୍ତିକରଣ ବିଭାଗ ପକ୍ଷରୁ ଏହି କୃଷି ମହୋତ୍ସବ ଆୟୋଜନ କରାଯାଉଛି।

ଚାଷୀମାନେ ହେଉଛନ୍ତି ଆମର ଶକ୍ତି। ଏଣୁ ଚାଷୀମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରାଧାନ୍ୟ ଦେଇ ଆସୁଛନ୍ତି। ଚାଷୀମାନଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ଏହି ଯୋଜନା ସମ୍ପର୍କରେ ଗାଁ ଗହଳିର ଚାଷୀମାନେ ସଚେତନ ନାହାନ୍ତି। ଏଣୁ ସେମାନଙ୍କୁ ସଚେତନ କରିବାର ଦାୟିତ୍ୱ ପଞ୍ଚାୟତ ପ୍ରତିନିଧିମାନେ ନିଅନ୍ତୁ’’, କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା।

ଗାଁ ଗାଁରେ ଗଠନ ହୋଇଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ। ଏମାନଙ୍କୁ ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଉତ୍ପାଦନ ଗୋଷ୍ଠୀ ଗଠନ କରାଯାଇଛି। ଏହି ଉତ୍ପାଦନ ଗୋଷ୍ଠୀମାନେ ଯେଉଁ ଫସଲ ଉତ୍ପାଦନ କରୁଛନ୍ତି ସେସବୁର ବଜାର ସଂଯୋଗ ଦାୟିତ୍ୱ ପଞ୍ଚାୟତିରାଜ ବିଭାଗ ନେଇଛି। ଓର୍ମାସ ସହୟତାରେ ଏହି ଉତ୍ପାଦନକୁ ବିକ୍ରି କରାଯାଉଛି’’, କହିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା।

ରାଜ୍ୟ ସରକାର ଚାଷୀମାନଙ୍କୁ ପ୍ରୋତ୍ସାହନ ଦେଇ ଆସୁଛନ୍ତି। ବିଶେଷକରି ଜଳସେଚନ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଉଛି। ଚାଷ ଜମିକୁ ସବୁ ସମୟରେ ପାଣି ଯୋଗାଇବା ପାଇଁ ବଡ଼ ବଡ଼ ଡ୍ୟାମମାନ ନିର୍ମାଣ କରାଯାଉଛି। ଏହାସହ ବୋରୱେଲ ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଗତ ପାଞ୍ଚ ବର୍ଷ ଭିତରେ ୭୦ ହଜାର ବୋରୱେଲ ନିର୍ମାଣ କରାଯାଇଛି। ଆଗାମୀ ୫ ବର୍ଷ ଭିତରେ ଆହୁରି ୧ ଲକ୍ଷ ବୋରୱେଲ ନିର୍ମାଣ କରିବାର ଲକ୍ଷ୍ୟ ରହିଛି। ଏହାସହ ଚାଷକୁ ଅଧିକ ଲାଭଜନକ କରିବା ଯେଉଁ ପ୍ରୟାସ କରାଯାଉଛି। ଏଥିରେ ଚଳିତକୃଷି ଓଡ଼ିଶାବେଶ୍ ସହାୟକ ହେବ’’, କହିଛନ୍ତି ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର।

କୃଷି ମହୋତ୍ସବର ତୃତୀୟ ଦିନରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ, ଆପିକଲର ଅଧ୍ୟକ୍ଷ ପ୍ରଭାତ ଆଦିତ୍ୟ ମିଶ୍ର, କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଅମରେନ୍ଦ୍ର ଦାସ, ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। କୃଷି ଓ ଖାଦ୍ୟ ଉତ୍ପାଦନ କମିସନର ଏମ୍ ମୁଥୁକୁମାର ସ୍ୱାଗତ ଭାଷଣ ଦେଇଥିବା ବେଳେ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ଏମ୍ ଥିରୁମାଲା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

‘କୃଷି ଓଡ଼ିଶା’ ତୃତୀୟ ଦିନରେ ବ୍ୟାଙ୍କ ଅଧିକାରୀମାନଙ୍କୁ ନେଇ ଆଲୋଚନା ହୋଇଥିଲା। ଚାଷୀମାନଙ୍କୁ ବିଭିନ୍ନ ବ୍ୟାଙ୍କରୁ କିପରି ସହଜ ଏବଂ ସୁବିଧାରେ ଋଣ ମିଳି ପାରିବ ସେ ଉପରେ ଆଲୋଚନା ହୋଇଥିଲା। ବିଭିନ୍ନ ରାଷ୍ଟ୍ରାୟାତ ଏବଂ ସମବାୟ ବ୍ୟାଙ୍କର ଅଧିକାରୀମାନଙ୍କ ସହ ରାଜ୍ୟ ସରକାର ଆଲୋଚନା କରିଥିଲେ। ଏହି ଆଲୋଚନାରେ ୫୦୦ରୁ ଅଧିକ ବ୍ୟାଙ୍କ ଅଧିକାରୀ ଯୋଗ ଦେଇଥିଲେ।

ଏହି ଆଲୋଚନାରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ୱରର ଜେନେରାଲ ମ୍ୟାନେଜର ସୋନାଲି ଦାସ, ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ ସମିତିର ଆବାହକ ସଞ୍ଜୟ କୁମାର, ମତ୍ସ୍ୟ ଓ ପଶୁପାଳନ ବିଭାଗର କମିସନର ତଥା ସଚିବ ରଘୁପ୍ରସାଦ, କୃଷି ଓ ଖାଦ୍ୟ ଉତ୍ପାଦନ କମିସନର ଏମ୍ ମୁଥୁକୁମାର ଯୋଗ ଦେଇଥିଲେ।

ଅନ୍ୟପଟେ ଗତ ଦୁଇ ଦିନ ପରି ତୃତୀୟ ଦିନରେ ପାଠଶାଳା ଅନୁଷ୍ଠିତ ହୋଇଥିଲା। ପ୍ରଥମ ଅଧିବେଶନରେଅଧିକ ଲାଭ ପାଇଁ କୃଷିଜାତ ଦ୍ରବ୍ୟର ବଜାର ବ୍ୟବସ୍ଥାଶୀର୍ଷକ ଉପରେ ଆଲୋଚନା ହୋଇଥିଲା। ଏଥିରେ ଉତ୍କଳ ବିଶ୍ୱବିଦ୍ୟାଳୟର ଆଗ୍ରୋ ବିଜିନେସ୍ ମ୍ୟାନେଜମେଣ୍ଟର ପ୍ରଫେସର ସୁକୁମାର ଦାସ ଓ ସମବାୟ ବିଭାଗ ପରିସଂଖ୍ୟାନ ଉପନିର୍ଦ୍ଦେଶିକା ଗାୟତ୍ରୀ ପଟ୍ଟନାୟକ ଯୋଗ ଦେଇଥିଲେ। କୃଷି କ୍ଷେତ୍ରରେ ବଜାର ଗୁରୁତ୍ୱପୂର୍ଣ୍ଣ। ତେଣୁ ଚାଷ ପୂର୍ବରୁ ବଜାର ଅନୁଧ୍ୟାନ କରି କୃଷି କାର୍ଯ୍ୟ କରିବାକୁ ଅତିଥିମାନେ ମତ ଦେଇଥିଲେ।

ପାଠଶାଳାର ଦ୍ୱିତୀୟ ଅଧିବେଶନରେ ଲାଭ ବୃଦ୍ଧି ପାଇଁବଜାର ଭିତ୍ତିକ କୃଷି ଉତ୍ପାଦନ ବ୍ୟବସ୍ଥାଶୀର୍ଷକ ଉପରେ ଆଲୋଚନା ହୋଇଥିଲା। ଏଥିରେ ଓୟୁଏଟିର କୃଷି ବୈଜ୍ଞାନିକ ଡକ୍ଟର ମହାମାୟା ପ୍ରସାଦ ନାୟକ, ଡକ୍ଟର ସନତ ମିଶ୍ର ଓ ଭୁବନେଶ୍ୱର ଆଇଆରଆରଆଇର ବୈଜ୍ଞାନିକ କିଶୋର କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ଭାରତ କ୍ଷୀର, ଡାଲି, ଚା, ପନିପରିବା, ଗହମ ଆଦି ଉତ୍ପାଦନରେ ଓଡ଼ିଶା ସାରା ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏଣୁ ଉତ୍ପାଦନ ନୁହେଁ ଲାଭ ଉପରେ ଗୁରୁତ୍ୱ ଦିଆଯିବା ଦରକାର। ଅଧିକ ଶୀତଳଭଣ୍ଡାର ନିର୍ମାଣ ଉପରେ ପାଠଶାଳାରେ ମତ ପ୍ରକାଶ ପାଇଥିଲା।

Comment