ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭୁବନେଶ୍ୱରରେ ‘କୃଷି ଓଡ଼ିଶା’
  • ବିଭିନ୍ନ କମ୍ପାନିର ସିଇଓଙ୍କ ସହ ଆଲୋଚନା କଲେ ସରକାର
  • ଓଡ଼ିଶାର କୃଷି କ୍ଷେତ୍ରକୁ ଆଗକୁ ନେବା ପାଇଁ ଆଲୋଚନା
  • ସିଇଓମାନେ ଦେଲେ ନୂଆ ପ୍ରସ୍ତାବ
  • ଲାଭଜନକ କୃଷି ଉପରେ ସରକାର ଦେଲେ ଗୁରୁତ୍ୱ

ଓଡ଼ିଶାର କୃଷି କ୍ଷେତ୍ରର ବିକାଶ ପାଇଁ ଭୁବନେଶ୍ୱର ଜନତା ମଇଦାନରେ ଚାଲିଛି ‘କୃଷି ଓଡ଼ିଶା’। ଆମ ରାଜ୍ୟର ଚାଷୀମାନେ କିପରି ଉନ୍ନତମାନର କୃଷି ଯନ୍ତ୍ରାଂଶ, ଅତ୍ୟାଧୁନିକ ଜ୍ଞାନ କୌଶଳ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟାକୁ ଆଧାର କରି ଅଧିକ ଲାଭଜନକ ଚାଷ କରିପାରିବେ ସେହି ଲକ୍ଷ୍ୟରେ ବିଭିନ୍ନ କମ୍ପାନିର ସିଇଓମାନଙ୍କ ସହ ଆଲୋଚନା କରିଥିଲେ ରାଜ୍ୟ ସରକାର।

‘କୃଷି ଓଡ଼ିଶା’ ଉଦ୍‌ଘାଟନୀ ଉତ୍ସବ ଦିନ ଏହି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରୁ ଆସିଥିବା କୃଷି ସହ ଜଡ଼ିତ ପ୍ରମୁଖ କମ୍ପାନି ସଇଓମାନଙ୍କ ସହ ବୈଠକ ହୋଇଥିଲା। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, କୃଷି ବିଭାଗର ପ୍ରମୁଖ ସଚିବ ଡକ୍ଟର ସୌରଭ ଗର୍ଗ ଏବଂ କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ ମହାପାତ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲ।

ଆଲୋଚନା ବେଳେ କୃଷି କ୍ଷେତ୍ରକୁ ନେଇ ଓଡ଼ିଶାରେ ଥିବା ସମ୍ଭାବନା ସମ୍ପର୍କରେ ରାଜ୍ୟ ସରକାର କମ୍ପାନିମାନଙ୍କୁ ଅବଗତ କରିଥିଲେ। ଓଡ଼ିଶାରୁ ହେଉଥିବା କୃଷିଜାତ ସାମଗ୍ରୀ କିପରି ବଜାର ସଂଯୋଗ ହୋଇପାରିବ ସେ ଉପରେ ସରକାର ସିଇଓମାନଙ୍କ ସହ ଆଲୋଚନା କରିଥିଲେ।

‘‘ଓଡ଼ିଶାର ଚାଷୀମାନେ କିପରି ଲାଭଜନକ ଚାଷ କରିବେ ସେଥିପାଇଁ ଆମେ ବିଭିନ୍ନ କମ୍ପାନିମାନଙ୍କୁ ଡାକିଛୁ। ଓଡ଼ିଶା କୃଷି କ୍ଷେତ୍ରରେ କେତେ ଅଗ୍ରସର ହୋଇଛି ଏବଂ ତାକୁ ନେଇ କ’ଣ ସବୁ କରି ହେବ ତାହା ଏହି କମ୍ପାନିମାନଙ୍କୁ ଦେଖାଇବା ଆମର ଲକ୍ଷ୍ୟ ଥିଲା। ଆଲୋଚନା ବେଳେ ବିଭିନ୍ନ କମ୍ପାନିର ସିଇଓ ଗୋଦାମ ଘର ଏବଂ ଶୀତଳ ଭଣ୍ଡାର ଉପରେ ଗୁରୁତ୍ୱ ଦେଇଥିଲେ।  ଅଧିକ ଗୋଦାମ ଘର ଏବଂ ଶୀତଳ ଭଣ୍ଡାର ରହିଲେ ଚାଷୀମାନେ ଏହାର ଲାଭ ଉଠାଇ ପାରିବେ ବୋଲି ସେମାନେ ପ୍ରସ୍ତାବ ଦେଇଥିଲେ’’, କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡକ୍ଟର ସୌରଭ ଗର୍ଗ।

ଓଡ଼ିଶାର କୃଷିକୁ କିପରି ଲାଭଜନକ କରିହେବ ସେ ସମ୍ପର୍କରେ କମ୍ପାନି ସିଇଓମାନେ ସରକାରଙ୍କ ଆଗରେ ମତ ରଖିଥିଲେ। ବିଶେଷକରି ଶିକ୍ଷିତ ଯୁବକମାନେ କିପରି ଚାଷ ପ୍ରତି ଆକର୍ଷିତ ହେବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା।

‘‘ଓଡ଼ିଶାର କୃଷି କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର ଏବଂ ବିଭିନ୍ନ କମ୍ପାନିର ସିଇଓମାନଙ୍କର ବୈଠକ ହୋଇଥିଲା। ସିଇଓମାନେ ସେମାନଙ୍କ ମତ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ରଖିଥିଲେ। ସେଥିମଧ୍ୟରୁ ମୁଖ୍ୟ ପ୍ରସ୍ତାବ ଥିଲା ଅଧିକ ଶୀତଳ ଭଣ୍ଡାର ଏବଂ ଗୋଦାମ ଘର କରିବା। ଅଧିକ ଗୋଦାମ ଘର ରହିଲେ ଚାଷୀମାନେ ଏହାର ଲାଭ ଉଠାଇ ପାରିବେ’’, କହିଛନ୍ତି ଫିକି ମହାସଚିବ ଦିଲ୍ଲୀପ ଚେନୋୟ।

ଜାନୁଆରି ୨୦ରୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି ‘କୃଷି ଓଡ଼ିଶା’। ‘ଲାଭ ଜନକ କୃଷି ପାଇଁ ପ୍ରୟାସ’ ଥିମ୍‌କୁ ଆଧାର କରି ଏହି କୃଷି ମହୋତ୍ସବ ଆରମ୍ଭ ହୋଇଛି। ଏଥିରେ କୃଷି ସହ ଜଡ଼ିତ ଦେଶ ବିଦେଶର ୧୧୨ଟି କମ୍ପାନି ଭାଗ ନେଇଛନ୍ତି।

‘‘କୃଷି ଓଡ଼ିଶାରେ ସାମିଲ ହେବାକୁ ଆମକୁ ରାଜ୍ୟ ସରକାର ଆମନ୍ତ୍ରିତ କରିଥିଲେ। ଏହି କୃଷି ମହୋତ୍ସବରେ ଭାଗ ନେଇଥିବାରୁ ମୁଁ ବହୁତ ଖୁସି। ରାଜ୍ୟ ସରକାରଙ୍କ ସହ ଆମର ଆଲୋଚନା ଫଳପ୍ରଦ ହୋଇଛି। ଆମ କମ୍ପାନିର କୃଷି ଯନ୍ତ୍ରାଂଶ କିପରି ସ୍ଥାନୀୟ ଚାଷୀଙ୍କ ପାଇଁ ଫଳପ୍ରଦ ହେବ ଏବଂ ସେମାନେ କିପରି ଲାଭଜନକ ଚାଷ କରି ପାରିବେ ସେ ବିଷୟରେ ପ୍ରସ୍ତାବ ଦେଇଛୁ’’, କହିଛନ୍ତି ଇଟାଲିରୁ ଆସିଥିବା ଫେଡର ୟୁନାକୋମା କମ୍ପାନିର ସିଇଓ ଡେଭିଡ୍‌ ଗାଲାରେଟ୍‌।

‘‘ସବୁ କମ୍ପାନିର ମୁଖ୍ୟମାନେ ଓଡ଼ିଶାର କୃଷି କ୍ଷେତ୍ର ପାଇଁ କ’ଣ ତାଙ୍କର ଆଭିମୁଖ୍ୟ ରହିଛି ସେ ବିଷୟରେ ସରକାରଙ୍କ ପାଖରେ ମତ ରଖିଥିଲେ। ଆଲୋଚନା ଫଳପ୍ରଦ ହୋଇଛି। ସେମାନେ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା କାର୍ଯ୍ୟକାରୀ ହେଲେ ଓଡ଼ିଶାର ଚାଷୀଙ୍କ ପାଇଁ ବେଶ୍‌ ସହାୟକ ହେବ’’, କହିଛନ୍ତି ପିପିଏଲ୍‌ କର୍ପୋରେଟ୍‌ ବ୍ୟାପାର ମୁଖ୍ୟ ସୁଧୀରଞ୍ଜନ ମିଶ୍ର।

Comment