ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଭାରତର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ସ୍ଥାନରେ ରହିଛନ୍ତି। ୫ ମାର୍ଚ୍ଚ ୨୦୦୦ ମସିହାରେ ନବୀନ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସେହି ଦିନଠାରୁ ଲଗାତାର ନିର୍ବାଚନ ଜିତି ଆସିଛନ୍ତି। ଆଜି ସୁଦ୍ଧା ସେ ୨୦ ବର୍ଷ ୦୨ ଦିନ ମୁଖ୍ୟମନ୍ତ୍ରୀ ଭାବେ ରହିସାରିଛନ୍ତି।

ନବୀନଙ୍କ ଉପରେ ଆଉ ମାତ୍ର ୫ ଜଣ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ଅଛନ୍ତି। ନବୀନଙ୍କ ଉପରେ ରହିଛନ୍ତି ବିରଭଦ୍ର ସିଂହ। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ସେ ୨୧ ବର୍ଷ ୧୧ ଦିନ ଦାୟିତ୍ୱ ତୁଲାଇଥିଲେ। ସେହିଭଳି ମିଜୋରାମରେ ଲାଲ ଥାନବାଲା ବି ୨୧ ବର୍ଷ ୫୫ ଦିନ ମୁଖ୍ୟମନ୍ତ୍ରୀ ଥିଲେ। ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଗେଗଙ୍ଗ ଆପଙ୍ଗ ୨୨ ବର୍ଷ ୮ ମାସ ୫ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ। ଅନ୍ୟ ଜଣେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗର ଜ୍ୟୋତି ବସୁ ଯିଏ ୨୩ ବର୍ଷ ୧୩୭ ଦିନ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ଏ ଯାଏଁ ସବୁଠାରୁ ଦୀର୍ଘ ସମୟ ମୁଖ୍ୟମନ୍ତ୍ରୀ ରହିଥିବା ବ୍ୟକ୍ତି ହେଲେ ସିକିମର ପବନ କୁମାର ଚମଲିଙ୍ଗ। ମୁଖ୍ୟମନ୍ତ୍ରୀ ଭାବେ ଚମଲିଙ୍ଗ ୨୪ ବର୍ଷ ୧୬୫ ଦିନ ରହିଥିଲେ।

ନବୀନଙ୍କ ତଳେ ଯେଉଁମାନେ ଦଶ ବର୍ଷରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିଛନ୍ତି ସେମାନେ ହେଲେ ତ୍ରିପୁରାର ମାଣିକ ସରକାର, ତାମିଲନାଡୁର ଏମ କରୁଣନିଧି, ହିମାଚଳ ପ୍ରଦେଶର ୱାଇ ଏସ ପାର୍ମର, ପଞ୍ଜାବର ପ୍ରକାଶ ସିଂହ ବାଦଲ, ରାଜସ୍ଥାନର ମୋହନ ଲାଲ ସୁଖାଡ଼ିଆ, ଗୋଆର ପ୍ରତାପ ସିଂହ ରାଣେ, ନାଗାଲାଣ୍ଡର ଏସ ସି ଜମିର, ଦିଲ୍ଲୀର ଶିଲା ଦୀକ୍ଷିତ, ମଣିପୁରର ଓକ୍ରମ ଆଇବବି ସିଂହ, ଆସାମର ତରୁଣ ଗୋଗୋଇ, ଛତିଶଗଡ଼ର ରମଣ ସିଂହ, ବିହାରର ଶ୍ରୀକୃଷ୍ଣ ସିହ୍ନା, ପଶ୍ଚିମବଙ୍ଗର ବିଧାନ ଚନ୍ଦ୍ର ରାୟ, ତାମିଲନାଡୁର ଜୟଲଳିତା, ସିକିମର ନର ବାହାଦୁର ଭଣ୍ଡାରୀ, ଆନ୍ଧ୍ରର ଚନ୍ଦ୍ରାବାବୁ ନାଇଡୁ।

ଅନୁରୂପ ଭାବେ  ଓଡ଼ିଶାର ଜାନକୀ ବଲ୍ଲଭ ପଟ୍ଟନାୟକ, ମଧ୍ୟପ୍ରଦେଶର ଶିବରାଜ ସିଂହ ଚୌହାନ, ଆସାମର ବିମଳା ପ୍ରସାଦ ଚାଲିହା, ଗୁଜରାଟର ନରେନ୍ଦ୍ର ମୋଦି, ବିହାରର ନୀତିଶ କୁମାର, ମିଜୋରାମର ଜୋରମଥଙ୍ଗା, ମହାରାଷ୍ଟ୍ରର ବସନ୍ତ ରାଓ ନାୟକ, କେରଳର ଇକେ ନାୟନର, ପଶ୍ଚିମବଙ୍ଗର ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଏବଂ ତାମିଲନାଡୁର ଏମଜି ରାମଚନ୍ଦ୍ରନ ଦଶ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଶାସନ ଭାର ସମ୍ଭାଳିଥିଲେ।

Comment