ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହିଳା ଦିବସରେ ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ସାଜିଲେ ମା ସମଲେଶ୍ଵରୀ ସ୍ୱୟଂ ସହାୟକ ଗୋଷ୍ଠୀ। ପେପର ଠୁଙ୍ଗା ତିଆରି କରି ସ୍ଵାବଲମ୍ଵୀ ହେବା ସହ ପିଲିଥିନ ବ୍ୟବହାର ନକରିବାକୁ ଲୋକଙ୍କୁ କରୁଛନ୍ତି ସଚେତନ। 

ନିଜେ ସ୍ୱାବଲମ୍ବୀ ହୋଇ ଜୟପୁରକୁ ପଲିଥିନ ମୁକ୍ତ ସହର ଗଠନ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ୧୦ ଜଣ ମହିଳା। ଏହାସହ ଅନ୍ୟ ମହିଳାଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ। ଜୟପୁର ସହରର ପାରାବେଢ଼ା ଅଞ୍ଚଳର ୧୦ ଜଣ ମହିଳା ମିଶି ୨୦୧୭ରେ ମା ସମଲେଶ୍ଵରୀ ସ୍ୱୟଂ ସହାୟକ ଗୋଷ୍ଠୀ ତିଆରି କରିଥିଲେ। ପେପର ଠୁଙ୍ଗା କରି ପରିବେଶକୁ ପ୍ରଦୂଷଣରୁ ରକ୍ଷା କରିବା ସହ ନିଜେ ଆତ୍ମ ନିର୍ଭରଶୀଳ ହୋଇପାରିଛି।

୨୦୧୮ ମସିହାରେ ଜୟପୁର ପୌରପରିଷଦର ସହ ଯୋଗ ଦେଇ ଏହି ମହିଳାମାନେ ପେପରରେ ଠୁଙ୍ଗା ତିଆରି କରିବା ତାଲିମ ନେଇଥିଲେ। ୧୦ ଜଣ ମହିଳା ହେଲେ କିରଣ ବାହାଦୂର, ମିନତି ନାୟକ, ରିବିକା ହିୟାଲ. ପାର୍ବତୀ ମହାରଣା, କୁନି ମହାରଣା, ସାଇବାଣି ମହାରଣା, ପଦ୍ମା ବାହାଦୂର, ପି ନାଗାମଣି ବିମଳା ବୈରାଗୀ, କେ ସିବତା ପାତ୍ର।

ଘର ସଂସାର କାମ ସାରି ଅପରାହ୍‌ଣ ୨ଟାରେ ଏସଏସଜି ଗ୍ରୁପର ସଭାପତି କିରଣ ବାହାଦୂରଙ୍କ ଘରେ ଏକାଠି ହୁଅନ୍ତି ସମସ୍ତେ। ସେଠାରେ ସମସ୍ତେ ଠୁଙ୍ଗା ତିଆରିରେ ଲାଗିପଡ଼ନ୍ତି। ଠୁଙ୍ଗା ତିଆରି କରିବା ପରେ ତାକୁ ବିକ୍ରି କରିବା ପାଇଁ ବାହାରିପଡ଼ନ୍ତି। ଅପରାହ୍‌ଣ ୨ଟାରୁ ୫ଟା ଯାଏଁ ଠୁଙ୍ଗା ତଆରି ପରେ ୫ଟାରୁ ବିକ୍ରି କାମ ଆରମ୍ଭ ହୋଇଥାଏ।

ଦୋକାନ ଦୋକାନ ଯାଇ ପଲିଥିନକୁ ବର୍ଜନ କରିବା ପାଇଁ ଲୋକମାନଙ୍କୁ ଆହ୍ଵାନ କରନ୍ତି। ପଲିଥିନ ଖାଇ ଗାଈ ଗୋରୁ ମୃତ୍ୟ ବରଣ କରିବା ସହ ଏହା ପରିବେଶ ପାଇଁ ମଧ୍ୟ କ୍ଷତିକାରକ ତେଣୁ ପଲିଥିନ ନବ୍ୟବହାର କରିବା ପାଇଁ ଗ୍ରାହକ ଓ ଦୋକାନୀମାନଙ୍କୁ ସଚେତନ କରାଇଥାନ୍ତି ଏହି ମହିଳାମାନେ। ଏହା ବଦଳରେ ପେପର ଠୁଙ୍ଗା ବ୍ୟବହାର କରିବା ପାଇଁ ଲୋକମାନଙ୍କୁ କହିଥାନ୍ତି।

ଠୁଙ୍ଗାକୁ କିଲୋ ପିଛା ୪୦ ଟଙ୍କା ଦରରେ ବିକ୍ରି କରନ୍ତି ମହିଳାମାନେ। ଦିନକୁ ୧୦ରୁ ୧୨ କେଜି ଠୁଙ୍ଗା ପ୍ରସ୍ତୁତ କରି ବିକି କରିଥାନ୍ତି ମହିଳାମାନେ। ପୌରପରିଷଦ ସହ ମିଳିତ ଭାବେ ସ୍ଥାନୀୟ ଏକ ବ୍ୟାଙ୍କରୁ ୭୦ ହଜାର ଟଙ୍କା ଋଣ ଆଣି ଏହି ବ୍ୟବସାୟ ଆରମ୍ଭ କରିଥିବା ମହିଳାମାନେ ପ୍ରକାଶ କରିଛନ୍ତି। ମହିଳାମାନଙ୍କ ଏଭଳି କାର୍ଯ୍ୟପାଇଁ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି।

Comment